ପାରାମାଉଣ୍ଟ୍‌ ହ୍ୟାଟ୍ରିକ୍‌ ବିଜେତା

ଅରବିନ୍ଦ ସ୍ମାରକୀ ପାରାମାଉଣ୍ଟ୍‌ କପ୍‌ ଉଦ୍‌ଯାପିତ

ଭୁବନେଶ୍ବର: ସ୍ଥାନୀୟ ବିଜେବି ନଗର ପଡ଼ିଆରେ ଚାଲିଥିବା ଅରବିନ୍ଦ ସ୍ମାରକୀ ପାରାମାଉଣ୍ଟ୍ କପ୍‌ କନିଷ୍ଠ କ୍ରିକେଟ୍ ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଆୟୋଜକ ପାରାମାଉଣ୍ଟ୍‌ ସ୍ପୋର୍ଟିଂ କ୍ରମାଗତ ତୃତୀୟ ବର୍ଷ ପାଇଁ ବିଜେତା ହୋଇ ହ୍ୟାଟ୍ରିକ୍‌ ଅର୍ଜନ କରିଛି। ଦୁଇ ଭୁବନେଶ୍ବର ଦଳ ମଧ୍ୟରେ ଏଥର ଅନୁଷ୍ଠିତ ଫାଇନାଲ୍‌ରେ ପାରାମାଉଣ୍ଟ୍‌ ୧୮୬ ରନ୍‌ର ବୃହତ୍‌ ବ୍ୟବଧାନରେ ପ୍ରଗତି ସ୍ପୋର୍ଟିଂକୁ ପରାସ୍ତ କରିଦେଇଛି। ବିଜେତା ପାରାମାଉଣ୍ଟ୍‌ ଦଳ ଅରବିନ୍ଦ ସ୍ମାରକୀ ଟ୍ରଫି ସହ ୨୦,୦୦୦ ଟଙ୍କା ଏବଂ ଉପବିଜେତା ପ୍ରଗତି ସ୍ପୋର୍ଟିଂ ବିମଳ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଟ୍ରଫି ସହ ୧୦,୦୦୦ ଟଙ୍କା ପୁରସ୍କାର ଗ୍ରହଣ କରିଥିଲେ।
ଟସ୍‌ ଜିତି ବ୍ୟାଟିଂ ନେଇଥିବା ପାରାମାଉଣ୍ଟ୍ ସ୍ପୋର୍ଟିଂ ଅଧିନାୟକ ଅଂଶୁମାନ ସାହୁଙ୍କ ୭୪, ୱିକେଟ୍‌ରକ୍ଷକ ବିଦ୍ୟାଧର ବେହେରାଙ୍କ ଅପରାଜିତ ୫୮ ଓ ସୁଦର୍ଶନ ସ୍ବା‌ଇଁଙ୍କ ୪୪ ରନ୍‌ ବଳରେ ନିର୍ଧାରିତ ୪୦ ଓଭରରେ ୪ ୱିକେଟ୍‌ ହରାଇ କରିଥିଲା ୨୪୪ ରନ୍‌। ପ୍ରଗତି ପକ୍ଷରୁ ଶୁଭମ୍‌ ନାୟକ, ସୌଭାଗ୍ୟ ଶଙ୍କର ବେହେରା, ଆୟୂଷ ସାମନ୍ତରାୟ ଓ ଆୟୂଷ ସୁତାର ଗୋଟିଏ ଲେଖାଏଁ ୱିକେଟ୍‌ ପାଇଥିଲେ। ଜବାବରେ ପ୍ରାରମ୍ଭିକ ବିପର୍ଯ୍ୟୟରୁ ଉଠିନପାରି ୩୩.୨ ଓଭରରେ ପ୍ରଗତି ମାତ୍ର ୫୮ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ବିରଜାକାନ୍ତ ବେହେରା ୭.୨-୦-୧୪-୪, ରୀତେଶ ପ୍ରିୟରଞ୍ଜନ ୮-୦-୯-୩ ଓ ବିଭୁଦତ୍ତ ଦାସ ୩-୦-୧୦-୨ ଚମତ୍କାର ବୋଲିଂ ଚିତ୍ର ପାଇଥିଲେ। ଅଂଶୁମାନ ସାହୁ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲା ବେଳେ ସୁଦର୍ଶନ ସ୍ବାଇଁ ପ୍ରତିଯୋଗିତାର ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌ଙ୍କ ସାଙ୍ଗକୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ। ସ୍ବୟଂ ସାର୍ଥକ ରାଉତରାୟ ଶ୍ରେଷ୍ଠ ବୋଲର, ସୌମ୍ୟରଞ୍ଜନ ମହାରଣା ଶ୍ରେଷ୍ଠ କ୍ଷେତ୍ରରକ୍ଷକ ଓ ବିଦ୍ୟାଧର ବେହେରା ଶ୍ରେଷ୍ଠ ୱିକେଟ୍‌ରକ୍ଷକ ପୁରସ୍କାର ଗ୍ରହଣ କରିଥିଲେ। ଚଣ୍ଡୀପ୍ରସନ୍ନ ମହାପାତ୍ର ଓ ସୁଶାନ୍ତ ଦାସ ଫାଇନାଲ୍‌ ମ୍ୟାଚ୍‌ ପରିଚାଳନା କରିଥିଲେ। ରଶ୍ମିରଞ୍ଜନ ମଲ୍ଲ ସ୍କୋରର୍‌ ଏବଂ ଶରତ ସାହୁ ମ୍ୟାଚ୍‌ ‌ରେଫରି ଥିଲେ।
ଉଦ୍‌ଯାପନୀ ଉତ୍ସବରେ ଭୁବନେଶ୍ବର ଦୌଡ଼କୁଦ ସଂଘର ସଂପାଦକ ସୌର୍ଯ୍ୟରଞନ ପରିଜା, ପୂର୍ବତନ ଡେପୁଟି ମେୟର କେ ଶାନ୍ତି, ଓଡ଼ିଶା ଖଣି ନିଗମର ନିର୍ଦେଶକ ଶାନ୍ତନୁ ରଥ ଏବଂ ଭୁବନେଶ୍ବର ବିଡିଓ ଶାନ୍ତନୁ ମହାନ୍ତି ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର