ଭୁବନେଶ୍ବର: ଦିନ ଥିଲା ରାଜଧାନୀ ଭୁବନେଶ୍ବରରେ ଗୋଟିଏ ଋତୁରେ ୬ରୁ ୭ ବରିଷ୍ଠସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତା ଆୟୋଜିତ ହେଉଥିଲା। ସହରରେ ବହୁ ଉତ୍ସର୍ଗୀକୃତ କ୍ରିକେଟ୍ ପଡ଼ିଆ ଥିବାରୁ ପ୍ରତ୍ୟେକ ୱାର୍ଡ ଓ ଅଞ୍ଚଳରେ ବିଭିନ୍ନସ୍ତରୀୟ ପ୍ରତିଯୋଗିତାମାନ ବି ଆୟୋଜିତ ହେଉଥିଲା। ଆଜି କିନ୍ତୁ ରାଜଧାନୀର କ୍ରୀଡ଼ା ଦୃଶ୍ୟପଟ୍ଟରେ ବ୍ୟାପକ ପରିବର୍ତ୍ତନ ଆସିଛି। ଏଠାକାର ବହୁମୁଖୀ କ୍ରୀଡ଼ା ଭିତ୍ତିଭୂମି ବିଶ୍ବସ୍ତରୀୟ ହୋଇଛି। ଦୁର୍ଭାଗ୍ୟଜନକ ଭାବେ କ୍ରିକେଟ୍ ଭିତ୍ତିଭୂମି କିନ୍ତୁ ପୂର୍ବାପେକ୍ଷା ସଙ୍କୁଚିତ ହୋଇଛି। ଯେଉଁ ପଡ଼ିଆ କ୍ରିକେଟ୍ ଖେଳାଳିଙ୍କ ରଣଭୂମି ଥିଲା, ସେଥିରୁ ଅଧିକାଂଶ ଅନ୍ୟ ଖେଳର ଖାତାକୁ ଚାଲିଗଲାଣି କିମ୍ବା ଅନ୍ୟାନ୍ୟ ବ୍ୟାବହାରିକ କାର୍ଯ୍ୟରେ ବିନିଯୋଗ ହୋଇଗଲାଣି। ହାତଗଣତି ପଡ଼ିଆକୁ ନେଇ ରାଜଧାନୀର କ୍ରିକେଟ୍ ଦୁନିଆ ନିଜ ପୂର୍ବ ଗୌରବ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିଲା ବେଳେ ସହରର ଅନ୍ୟତମ ପ୍ରତିଷ୍ଠିତ କ୍ରିକେଟ୍ ପଡ଼ିଆ ‘ପାରାପାଉଣ୍ଟ୍ ଗ୍ରାଉଣ୍ଡ୍’ର ଭବିଷ୍ୟତ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଯାହା କ୍ରିକେଟ୍ପ୍ରେମୀଙ୍କୁ ଘୋର ଚିନ୍ତାରେ ପକାଇଛି। ସେହିଭଳି ପଡ଼ିଆ ପରିଚାଳନା କରୁଥିବା ପାରାମାଉଣ୍ଟ ସ୍ପୋର୍ଟିଂ କ୍ଲବ୍ର କର୍ମକର୍ତ୍ତାମାନେ ଆଶା ଓ ଆଶଙ୍କାର ଦୋ’ଛକିରେ ରହିଛନ୍ତି। ଏଠାରେ ଦୈନିକ ଅଭ୍ୟାସ କରୁଥିବା ଅଢ଼େଇ ଶହ (ଉଭୟ ପୁରୁଷ ଓ ମହିଳା)ରୁ ଅଧିକ କ୍ରିକେଟର୍ଙ୍କର ମଧ୍ୟ ଆଗକୁ କ’ଣ ହେବ, କ’ଣ ନହେବ, ସେମାନେ କେମିତି ଅଭ୍ୟାସ କରିବେ, ସେ ଦ୍ବନ୍ଦ୍ବରେ ରହିଛନ୍ତି।
ସ୍ଥାନୀୟ ବିଜେବିନଗରଠାରେ ଥିବା ୨.୭ ଏକର ବିଶିଷ୍ଟ ଏହି ପଡ଼ିଆର ଇତିହାସ ପାଖାପାଖି ୫୦ବର୍ଷ। ସତୁରି ଦଶକର ଶେଷ ଆଡ଼କୁ କିଛି ଉତ୍ସାହୀ କ୍ରିକେଟର୍ ବଡ଼ବଡ଼ ପଥର, ଅନାବନା ଜଙ୍ଗଲୀ ଘାସ ତଥା ଖାଲଖମାରେ ପରିପୂର୍ଣ୍ଣ ଏହି ପଡ଼ିଆର କିଛି ଅଂଶକୁ ସଫା କରି ସେଠାରେ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ। ୧୯୭୯ରେ ପାରାମାଉଣ୍ଟ ସ୍ପୋର୍ଟିଂ କ୍ଲବ୍ ଗଢ଼ାହେବା ସହ ଏହି ପଡ଼ିଆ ଭୁବନେଶ୍ବରର ଅନ୍ୟତମ କ୍ରିକେଟ୍ କର୍ମଶାଳା ପାଲଟିଥିଲା। ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଥିବା ଏହି ପଡ଼ିଆଟି ୧୯୯୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବରପୁତ୍ର ବିଜୁ ପଟ୍ଟନାୟକଙ୍କ ପ୍ରଚ୍ଛନ୍ନ ଅବଦାନ ପାଇଁ ଖେଳପଡ଼ିଆ ଭାବେ ସ୍ବୀକୃତି ଲାଭ କରିଥିଲା। ପରବର୍ତ୍ତୀ ସମୟରେ ଏହା ଭୁବନେଶ୍ବର ମହାନଗର ନିଗମ ଅଧୀନକୁ ଆସିଥିଲା। ତେବେ ପାରାମାଉଣ୍ଟ୍ ସ୍ପୋର୍ଟିଂ କ୍ଲବ୍ କର୍ମକର୍ତ୍ତାଙ୍କ ଅଦମ୍ୟ ଉଦ୍ୟମ ପାଇଁ ପଡ଼ିଆଟି ଏକ ଉତ୍ସର୍ଗୀକୃତ କ୍ରିକେଟ୍ ପଡ଼ିଆ ଭାବେ ଗଢ଼ି ଉଠିଥିଲା। ସଂପ୍ରତି ଏଠାରେ ୭ଟି କ୍ରିକେଟ୍ ପିଚ୍ ( ୨ କଂକ୍ରିଟ୍, ୫ ଟର୍ଫ) ଥିଲା ବେଳେ ମହାନ କ୍ରିକେଟର୍ କପିଳ ଦେବଙ୍କ ଅନୁଦାନରେ ରାତ୍ରକାଳୀନ ଅଭ୍ୟାସର ବ୍ୟବସ୍ଥା ବି ରହିଛି। ସେହିଭଳି ଅତ୍ୟାଧୁନିକ ବୋଲିଂ ମେସିନ ମଧ୍ୟ ସ୍ଥାପିତ ହୋଇଛି।
ଉତ୍ସର୍ଗୀକୃତ କ୍ରିକେଟ୍ ପଡ଼ିଆ ଭାବେ ରହିବା ନେଇ ଦ୍ବନ୍ଦ୍ବ, ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟରେ ଉପଯୋଗ ହେବା ସଂଶୟ
ଏଠାରେ କ୍ରିକେଟ୍ ଖେଳି ବହୁ ଖେଳାଳି ଓଡ଼ିଶା ଦଳର ବିଭିନ୍ନ ବୟସବର୍ଗ ଦଳରେ ସ୍ଥାନ ପାଇଛନ୍ତି। ପୁଣି ରାଜ୍ୟ ଦୃଷ୍ଟିହୀନ କ୍ରିକେଟ୍ ଦଳ, ଦିବ୍ୟାଙ୍ଗ କ୍ରିକେଟ୍ ଦଳ ଏଠାରେ ଅଭ୍ୟାସ କରି ଜାତୀୟ ସ୍ତରରେ ସଫଳତା ଲାଭ କରିଛନ୍ତି। ପ୍ରଭଞ୍ଜନ ମଲ୍ଲିକ, ଦୀପ୍ତିରଂଜନ ଜେନା, ତନ୍ମୟ ପଟ୍ଟନାୟକ, ଚିତ୍ତରଞ୍ଜନ ସ୍ବାଇଁଙ୍କ ଭଳି ଖେଳାଳି ଏହିଠାରୁ ଖେଳ ଆରମ୍ଭ କରିଥିବା ଜଣାପଡ଼ିଛି। ୧୯୯୯ରୁ ୨୦୦୫ ମସିହା ପର୍ଯ୍ୟନ୍ତ ନିୟମିତ ଭାବେ ଏଠାରେ ବରିଷ୍ଠସ୍ତରୀୟ ଅନ୍ତଃକ୍ଲବ୍ କ୍ରିକେଟ୍ ପ୍ରତିଯୋଗିତା ଆୟୋଜିତ ହେଉଥିଲା। ୨୦୦୫ ପରଠାରୁ ଆର୍ଥିକ ବୋଝକୁ କମ୍ କରିବା ଲାଗି ପାରାମାଉଣ୍ଟ୍ କ୍ଲବ୍ ପକ୍ଷରୁ ଅଦଳବଦଳ କରି କନିଷ୍ଠ ଓ ବରିଷ୍ଠସ୍ତରୀୟ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଖେଳାଳିଙ୍କ ଫିଟ୍ନେସ୍ ପାଇଁ ଏକ ଜିମ୍ନାସିୟମ ମଧ୍ୟ ଏଠାରେ କାର୍ଯ୍ୟକରୁଛି। ତେବେ ୨୦୨୪ ମସିହା ସେପ୍ଟେମ୍ବର ମାସଠାରୁ ଏହି ପଡ଼ିଆର ମାଲିକାନା ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ବିଦ୍ୟାଳୟ ହାତକୁ ଚାଲିଯାଇଛି। ପଡ଼ିଆଟି ଏଭଳି ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ହାତକୁ ଯିବା ସ୍ବାଗତଯୋଗ୍ୟ। ତେବେ ଏଥିଲାଗି ଆଗାମୀ ସମୟରେ ଏହାର ଚରିତ୍ର ଓ ପ୍ରକାର ବଦଳିବା ନେଇ ବାଟ ବି ଖୋଲିଛି। ଏଣୁ ମାଲିକାନା ଯାହା ହାତରେ ଥାଉ ନା କାହିଁକି ପାରମାଉଣ୍ଟ୍ ଗ୍ରାଉଣ୍ଡ୍ର ଚରିତ୍ର ‘ଖେଳ ପଡ଼ିଆ’ ଭାବେ ଅକ୍ଷୁଣ୍ଣ ରଖିବାକୁ ମଙ୍ଗଳବାରର ସାମ୍ବାଦିକ ସମ୍ମିଳନୀରେ କ୍ଲବ୍ର କର୍ମକର୍ତ୍ତାମାନେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି।
କ୍ଲବ୍ର ସଭାପତି ପ୍ରତାପ କୁମାର ଜେନା କହିଛନ୍ତି, ପାରାମାଉଣ୍ଟ୍ ପଡ଼ିଆ ବିଜେବି କଲେଜ୍ ମାଲିକାନାକୁ ଯିବାରେ ଆମର କୌଣସି ଅସୁବିଧା ନାହିଁ। ତେବେ ଏହା ଭବିଷ୍ୟତରେ ଯେଭଳି କେବଳ ଖେଳ ପଡ଼ିଆ ଭାବେ ହିଁ ଉପଯୋଗ ହେବ, ତାହା ରାଜ୍ୟ ସରକାର ସୁନିଶ୍ଚିତ କରନ୍ତୁ। ଏହି ପଡ଼ିଆରୁ ବହୁ କ୍ରିକେଟର୍ ସୃଷ୍ଟି ହୋଇଛନ୍ତି। ଏବେବି ଦୈନିକ ଅଢ଼େଇ ଶହରୁ ଅଧିକ ପିଲା କ୍ରିକେଟ୍ ଅଭ୍ୟାସ କରିବା ସହ ଖେଳୁଛନ୍ତି। ଖରାଦିନରେ ଯଦି ରାଜଧାନୀର କୌଣସି କ୍ରିକେଟ୍ ପଡ଼ିଆରେ ସବୁଜ ଘାସ ଦେଖିବାକୁ ଚାହିବେ, ତାହେଲେ ଆମ ପଡ଼ିଆରେ ହିଁ ଦେଖି ପାରିବେ। ଏଣୁ ପାରାମାଉଣ୍ଟ୍ ପଡ଼ିଆ ଯେଭଳି ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟରେ ଉପଯୋଗ ନହୁଏ, ସେ ଦିଗରେ ବିଶେଷ ଧ୍ୟାନ ଦେବାକୁ ଆମେ କ୍ରୀଡ଼ାମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛୁ।