ପାରାମାଉଣ୍ଟ୍‌ ଟ୍ରଫି ବଜାୟ ରଖିଲା

ଅରବିନ୍ଦ ସ୍ମାରକୀ ସର୍ବଭାରତୀୟ କ୍ରିକେଟ୍‌

ଭୁବନେଶ୍ୱର: ପାରାମାଉଣ୍ଟ୍‌ ସ୍ପୋର୍ଟିଂ-ଏ ଦଳ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଅରବିନ୍ଦ ସ୍ମାରକୀ ୧୫ ବର୍ଷରୁ କମ୍‌ ସର୍ବଭାରତୀୟ ଗେଲ୍‌ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ବିଜେତା ଆଖ୍ୟା ବଜାୟ ରଖିଲା। ରବିବାର ଫାଇନାଲ୍‌ ମୁକାବିଲାରେ ଗତଥରର ଏହି ବିଜେତା ଦଳ ପଶ୍ଚିମବଙ୍ଗର ନୈହାଟୀ ସ୍ପୋର୍ଟିଂକୁ ୭ ଓ୍ଵିକେଟ୍‌ରେ ପରାସ୍ତ କରି ଟ୍ରଫି ନିଜ ପାଖରେ ରଖିନେଲା। ଟସ୍‌ ଜିତି ପାରାମାଉଣ୍ଟ୍‌ ଦଳ ପ୍ରଥମେ କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲା। ଅଧିନାୟକଙ୍କ ନିଷ୍ପତ୍ତିକୁ ଯଥାର୍ଥ ପ୍ରମାଣିତ କରି ବୋଲରମାନେ କମାଲ୍‌ ଦେଖାଇଥିଲେ। ପାର୍ଥ ସାରଥୀ ସାହୁ (୬.୪-୧-୨୯-୩), ସ୍ୱୟମ୍‌ ସାର୍ଥକ ରାଉତରାୟ (୮-୨-୩୩-୩), ରୀତେଶ ପ୍ରିୟରଞ୍ଜନ (୮-୨-୧୫-୨) ଏବଂ ବୀରାଜକାନ୍ତ ବେହେରା (୩-୦-୭-୨) ଦମ୍‌ଦାର ବୋଲିଂ କରି ନୈହାଟୀ ସ୍ପୋର୍ଟିଂର ୧୦ଟି ଯାକ ଓ୍ଵିକେଟ୍‌ ବାଣ୍ଟି ନେଇଥିଲେ। ଯାହା ଫଳରେ ନୈହାଟୀ ୩୫.୪ ଓଭରରେ ୧୨୯ ରନ୍‌ କରିପାରିଥିଲା। ସୁମନ ସେଠୀ ୩୨, ସମୀରଣ ପଲ୍‌ ୧୭ ଓ ଆକାଶ ସରକାର ୧୪ ରନ୍‌ କରିଥିଲେ। ଜବାବରେ ସୁଦର୍ଶନ ସ୍ୱାଇଁ (୬୭ ରନ୍‌, ୧୨ ଚୌକା)ଙ୍କ ଅପରାଜିତ ଅର୍ଧଶତକ ସାଙ୍ଗକୁ ଏମ୍‌ ଜ୍ଞାନେନ୍ଦ୍ର କୁମାରଙ୍କ ୨୩ ରନ୍‌ ବଳରେ ପାରାମାଉଣ୍ଟ୍‌ ସ୍ପୋର୍ଟିଂ ୨୬ ଓଭରରେ ମାତ୍ର ୩ ଓ୍ଵିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ପବିତ୍ର ପ୍ରଧାନ ଓ ନିର୍ମଳ ମିଶ୍ର ଫାଇନାଲ୍‌ ମ୍ୟାଚ୍‌ ପରିଚାଳନା କରିଥିଲା ବେଳେ ଶରତ ସହୁ ମ୍ୟାଚ୍‌ ରେଫରି ରହିଥିଲେ। ବୀରବର ନାୟକ ସ୍କୋର୍‌ର ଏବଂ ଅବିନାଶ ସାମଲ ଭାଷ୍ୟକାର ଦାୟିତ୍ୱ ତୁଲାଇଥିଲେ।

ସୁଦର୍ଶନ ସ୍ୱାଇଁଙ୍କୁ ଫାଇନାଲ୍‌୍‌ର ଶ୍ରେଷ୍ଠ ସାଙ୍ଗକୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଏବଂ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌ ପୁରସ୍କାର ମିଳିଥିଲା। ବିଜେତା ଦଳର ଅନ୍ୟତମ ସଦସ୍ୟ ପାର୍ଥ ସାରଥୀ ସାହୁ ଶ୍ରେଷ୍ଠ ବୋଲର ଏବଂ ନୈହାଟୀ ଦଳର ସୂରଜ ଯାଦବ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ପୁରସ୍କାର ପାଇଥିଲା ବେଳେ ପ୍ରଗତି ସ୍ପୋର୍ଟିଂକୁ ଶ୍ରେଷ୍ଠ ଶୃଙ୍ଖଳିତ ଦଳ ବିବେଚିତ କରାଯାଇଥିଲା। ବିଜେତା ପାରାମାଉଣ୍ଟ୍‌ ସ୍ପୋର୍ଟିଂ ଅରବିନ୍ଦ ସ୍ମାରକୀ ଟ୍ରଫି ସାଙ୍ଗକୁ ୨୦,୦୦୦ ଟଙ୍କା ପୁରସ୍କାର ରାଶି ପାଇଥିଲା ବେଳେ ଉପବିଜେତା ନୈହାଟୀ ସ୍ପୋର୍ଟିଂ ବିମଳ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଟ୍ରଫି ସହିତ ୧୦,୦୦୦ ଟଙ୍କା ପୁରସ୍କାର ରାଶି ପାଇଥିଲା।

ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ପାରାଦୀପ ପୋର୍ଟ ଟ୍ରଷ୍ଟର ଟ୍ରଷ୍ଟି ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଉପମେୟର କେ ଶାନ୍ତି, ଭୁବନେଶ୍ୱର ଦୌଡ଼କୁଦ ସଂଘ ସଂପାଦକ ସୌମ୍ୟରଞ୍ଜନ ପରିଜା, ବିଜେବି ନଗର ପିପୁଲ୍‌ସ ଆସୋସିଏସନ୍‌ ସଭାପତି ରଘୁନାଥ ମିଶ୍ର, ଓଡ଼ିଶା କ୍ରିକେଟ୍‌ ସଂଘର ମୁଖ୍ୟ କାର୍ଯ୍ୟନିର୍ବାହୀ ବିଦ୍ୟୁତ୍‌ ନାୟକ, ବରିଷ୍ଠ ପ୍ରଶିକ୍ଷକ କିଶୋର ମାଣିଆ, ଆୟୋଜକ ପାରାମାଉଣ୍ଟ୍‌ ସ୍ପୋର୍ଟିଂର ସଭାପତି ପ୍ରତାପ ଜେନା, ସଂପାଦକ ଅଶୋକ ପାତ୍ରଙ୍କ ସହିତ ଅଧିକାଂଶ ବରିଷ୍ଠ ଓ କନିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର