ପ୍ୟାରିସ୍: ଜୀବନକୁ ଯୁଦ୍ଧ ଭଳି ଜିଉଁଥିବା ହେଲେ ଜୀବନରେ ଆସୁଥିବା ଅଗଣିତ ଆହ୍ବାନ ଆଗରେ କେବେବି ହାର ମାନୁ ନଥିବା ସାରା ବିଶ୍ବର ୪୪୦୦ ଭିନ୍ନକ୍ଷମ ଖେଳାଳିଙ୍କୁ ନେଇ ବୁଧବାରଠାରୁ ପ୍ୟାରିସ୍ରେ ଆରମ୍ଭ ହେବ ପାରାଲିମ୍ପିକ୍ସର ସପ୍ତଦଶ ସଂସ୍କରଣ। ୨୨ କ୍ରୀଡ଼ାର ୫୪୯ ଇଭେଣ୍ଟ୍ରେ ପ୍ରତିଦ୍ବନ୍ଦ୍ବିତା ହେବ। ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ୧୨ ଦିନ ଧରି ଭିନ୍ନକ୍ଷମ କ୍ରୀଡ଼ାରେ ଉତ୍କର୍ଷ ଲାଭ କରିଥିବା ଖେଳାଳି କ୍ରୀଡ଼ା ମହାକୁମ୍ଭର ସ୍ମରଣୀୟ ପଦକ ଲାଗି ପରସ୍ପର ସହ ଲଢ଼ୁଥିବାର ଦେଖିବାକୁ ମିଳିବେ। ଭାରତୀୟ ଭିନ୍ନକ୍ଷମ କ୍ରୀଡ଼ା ଇତିହାସର ସର୍ବବୃହତ୍ ଦଳ (୮୪ଜଣିଆ) ଏଥିରେ ଅଂଶଗ୍ରହଣ କରିବେ।
ଟୋକିଓରେ ଖେଳା ଯାଇଥିବା ପାରାଲିମ୍ପିକ୍ସର ଗତ ସଂସ୍କରଣରେ ଭାରତ ୫ ସ୍ବର୍ଣ୍ଣ ସହ ରେକର୍ଡ ୧୯ ପଦକ ଜିତି ୨୪ତମ ସ୍ଥାନରେ ରହିଥିଲା। ଏଥର ଭାରତ ୨୫ ପଦକ ଜିତିବାର ଆଶା ଥିବା ପାରାଲିମ୍ପିକ୍ସ କମିଟି ଅଫ୍ ଇଣ୍ଡିଆ (ପିସିଆଇ)ର ସଭାପତି ତଥା ତାରକା ଜାଭଲିନ୍ ଫିଙ୍ଗାଳି ଦେବେନ୍ଦ୍ର ଝାଝରିଆ ଦୃଢ଼ ଆଶା ପୋଷଣ କରିଛନ୍ତି। ବିଶେଷ କରି ସ୍ବର୍ଣ୍ଣ ପଦକ ସଂଖ୍ୟାକୁ ଦୁଇ ଅଙ୍କରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଥିବା ସେ ମତ ଦେଇଛନ୍ତି। ହାଂଝୌ ପାରା ଏସିଆଡ୍ରେ ଭାରତ ୧୧୧ ପଦକ ଜିତିବା ପରେ ପାରାଲିମ୍ପିକ୍ସରେ ଏଥର ପୂର୍ବାପେକ୍ଷା ଭଲ କରିବ ବୋଲି ଆଶା ରହିଛି।
ଟୋକିଓରେ ଭାରତର ୫୪ଜଣ ଖେଳାଳି ୯ଟି କ୍ରୀଡ଼ାରେ ଅଂଶଗ୍ରହଣ କରିଥିଲେ। ଏଥର ଭାରତୀୟ ପ୍ରତିଯୋଗୀମାନେ ୩ଟି ଅଧିକ ଅର୍ଥାତ୍ ୧୨ଟି କ୍ରୀଡ଼ାରେ ଭାଗନେବେ। ସୁଟର ମନୀଷ ନରୱାଲ୍, ସଟଲର୍ କ୍ରୀଷ୍ଣା ନାଗର, ଧାବିକା ଦୀପ୍ତି ଜୀବନଜୀ, ବ୍ୟାଡମିଣ୍ଟନ୍ ତାରକା ସୁହାସ ୟତିରାଜ, ତୀରନ୍ଦାଜ ଶୀତଲ ଓ ହରବିନ୍ଦର ସିଂହ ପ୍ରମୁଖ ସ୍ବର୍ଣ୍ଣ ଦୌଡ଼ରେ ରହିବେ। ଦୁର୍ଭାଗ୍ୟଜନକ ଭାବେ ଏଥରର ପାରାଲିମ୍ପିକ୍ସରେ ଜଣେ ହେଲେ ବି ଓଡ଼ିଆ ଖେଳାଳିଙ୍କୁ ଦେଖିବାକୁ ମିଳିବ ନାହିଁ। ପାରା ବ୍ୟାଡମିଣ୍ଟନ୍ ତାରକା ପ୍ରମୋଦ ଭଗତ ନିଜ ବର୍ଗରେ ସ୍ବର୍ଣ୍ଣ ଜିତିବାର ଯଥେଷ୍ଟ ସମ୍ଭାବନା ଥିଲେ ମଧ୍ୟ ୱାଡା ନିୟମ ଉଲ୍ଲଂଘନ କରି ବିଶ୍ବ ବ୍ୟାଡମିଣ୍ଟନ୍ ମହାସଂଘ ଦ୍ବାରା ନିଲମ୍ବିତ ହେବା ପରେ ପ୍ୟାରିସ୍ ପାରାଲିମ୍ପିକ୍ସ ଖେଳିବାରୁ ବଞ୍ଚିତ ହୋଇଛନ୍ତି।