ପରେଶ ପଟେଲ୍‌ ଅଷ୍ଟ୍ରେଲିଆ ଲିଜେଣ୍ଡ୍‌ସ ସହକାରୀ ପ୍ରଶିକ୍ଷକ

ଭୁବନେଶ୍ବର: ଓଡ଼ିଶା ରଣଜୀ ଦଳର ଅବସରପ୍ରାପ୍ତ ଅଲରାଉଣ୍ଡର୍‌ ପରେଶ ପଟେଲ୍‌ ପାଇଛନ୍ତି ବଡ଼ ସୁଯୋଗ। ବିଶ୍ବର ଅବସରପ୍ରାପ୍ତ କିଂବଦନ୍ତି କ୍ରିକେଟରଙ୍କୁ ‌ନେଇ କାନପୁରରେ ଆରମ୍ଭ ହୋଇଥିବା ରୋଡ୍‌ ସେଫଟି ୱାର୍ଲଡ ସିରିଜ୍ (ଆର୍‌ଏସ୍‌ଡବୁଲ୍ୟଏସ୍‌) କ୍ରିକେଟ୍‌ ପ୍ରତିଯୋଗିତାର ଦ୍ବିତୀୟ ସଂସ୍କରଣ ପାଇଁ ପରେଶଙ୍କୁ ଅଷ୍ଟ୍ରେଲିଆ ଲିଜେଣ୍ଡ୍ସ ଦଳର ସହକାରୀ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି। ଏହା ମୋ ପାଇଁ ଅପ୍ରତ୍ୟାଶିତ ବଡ଼ ସୁଯୋଗ। ବହୁ ମହାନ ଖେଳାଳିଙ୍କ ସଂସ୍ପର୍ଶରେ ଆସିବା ସହ ଭବିଷ୍ୟତରେ ବି ମୁଁ ପ୍ରଶିକ୍ଷଣ ମାଧ୍ୟମରେ କ୍ରିକେଟ୍ ସହ ଜଡ଼ିତ ରହିବାକୁ ଆଗ୍ରହୀ ରହିଛି ବୋଲି ପରେଶ ‘ସମ୍ବାଦ’ ସହ କଥା ହେବାବେଳେ ପ୍ରକାଶ କରିଛନ୍ତି। ବାମହାତୀ ବ୍ୟାଟିଂ ଓ ସ୍ପିନ୍ ବୋଲିଂ କରି ନିଜକୁ ଘରୋଇ କ୍ରିକେଟ୍‌ରେ ପ୍ରତିଷ୍ଠିତ କରିଥିବା ପରେଶ ପଟେଲ୍‌ ଇଣ୍ଡିଆନ୍ ଅଏଲ୍‌ ମୁଖ୍ୟ ଦଳରୁ ଖେଳି ବିସିସିଆଇ କର୍ପୋରେଟ୍‌ ଟ୍ରଫି ବିଜେତା ହୋଇଥିଲେ। ଓଡ଼ିଶା ପାଇଁ ସେ ସମସ୍ତ ୩ ଫର୍ମାଟରେ ୮୮ ମ୍ୟାଚ୍‌ ଖେଳି ୨୩୩୦ ରନ୍‌ ଏବଂ ୮୨ ୱିକେଟ୍ ଅକ୍ତିଆର କରିଥିଲେ।

ସୂଚନାଯୋଗ୍ୟ, ଆର୍‌ଏସ୍‌ଡବୁଲ୍ୟଏସ୍‌ ଦ୍ବିତୀୟ ସଂସ୍କରଣରେ ସେନ୍‌ ୱାଟସନ୍‌ଙ୍କ ନେତୃତ୍ବରେ ଖେଳୁଥିବା ଅଷ୍ଟ୍ରେଲିଆ ଲିଜେଣ୍ଡସ ରବିବାର ରାତିରେ ତିଲକରତ୍ନେ ଦିଲସାନଙ୍କ ଶ୍ରୀଲଙ୍କା ଲିଜେଣ୍ଡସ ନିକଟରୁ ହାରିଯାଇଛି। ପରେଶଙ୍କ ୩୭ତମ ଜନ୍ମଦିନ ସେପ୍ଟେମ୍ବର ୧୮ରେ ଅଷ୍ଟ୍ରେଲିଆ ଲିଜେଣ୍ଡସ ନିଜର ଦ୍ବିତୀୟ ମ୍ୟାଚ୍‌ ଇନ୍ଦୋରରେ ବାଂଲାଦେଶ ଲିଜେଣ୍ଡ୍ସ ବିପକ୍ଷରେ ଖେଳିବ। ପରେଶଙ୍କୁ ମିଳିଥିବା ଏହି ଅପୂର୍ବ ସ‌ୁଯୋଗ ପାଇଁ ତାଙ୍କ କ୍ଲବ୍‌ ରାମେଶ୍ବର ସ୍ପୋର୍ଟିଂ (ପୁରୁଣା ଭୁବନେଶ୍ବର) ପକ୍ଷରୁ ସମ୍ପାଦକ ଦୀପକ ମଙ୍ଗରାଜଙ୍କ ସହିତ ତାଙ୍କ ସାଥୀ ଖେଳାଳି ପ୍ରିୟବ୍ରତ ପ୍ରଧାନ, ଆଲୋକ ମଙ୍ଗରାଜ, ଜିପି ରବିନସନ୍‌, ପୂର୍ଣ୍ଣ ମହାରଣା, ଅମ୍ବିକା ପ୍ରସାଦ ବେହେରା, ପ୍ରଶିକ୍ଷକ ଅଜିତ ମିଶ୍ର ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର