ବ୍ୟାଙ୍କକ୍: ପ୍ରଥମ ଭାରତୀୟ ପୁରୁଷ ମୁଷ୍ଟିଯୋଦ୍ଧା ଭାବେ ନିଶାନ୍ତ ଦେବ ଅଲିମ୍ପିକ୍ସ ଟିକେଟ୍ କରାୟତ୍ତ କରିଛନ୍ତି। ଏଠାରେ ଆୟୋଜିତ ଦ୍ବିତୀୟ ମୁଷ୍ଟିଯୁଦ୍ଧ ବିଶ୍ବ ଅଲିମ୍ପିକ୍ସ ଯୋଗ୍ୟତା ପ୍ରତିଯୋଗିତାର ସେମିଫାଇନାଲ୍ରେ ପହଞ୍ଚି ସେ ପ୍ୟାରିସ୍ ଟିକେଟ୍ ନିଶ୍ଚିତ କରିଥିଲେ। ଶୁକ୍ରବାର ୭୧ କେଜି ବର୍ଗ କ୍ବାର୍ଟରଫାଇନାଲ୍ରେ ସେ ୫-୦ରେ ମୋଲଦୋଭାର ଭାସିଲ ସେବୋତାରିଙ୍କୁ ହରାଇଛନ୍ତି। ନିଶାନ୍ତଙ୍କ ସହ ଏପର୍ଯ୍ୟନ୍ତ ଭାରତର ୪ ମୁଷ୍ଟିଯୋଦ୍ଧା ଅଲିମ୍ପିକ୍ସ ଟିକେଟ୍ ନିଶ୍ଚିତ କରିସାରିଲେଣି। ପୂର୍ବରୁ ୩ ଜଣ ମହିଳା ନିଖତ ଜରିନ (୫୦ କେଜି), ପ୍ରୀତ ପାୱାର (୫୪ କେଜି) ଓ ଲଭ୍ଲିନା ବୋରଗୋହାଇଁ (୭୫ କେଜି) ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିଲେ। ମହିଳା ୬୦ କେଜିରେ ଅଙ୍କୁଶିତା ବୋରୋଙ୍କଠୁ ଭାରତର ଅଲିମ୍ପିକ୍ସ ଆଶା ଅଟିକି ଯାଇଛି। କ୍ବାର୍ଟରଫାଇନାଲ୍ରେ ପୂର୍ବତନ ଯୁବ ବିଶ୍ବ ପ୍ରତିଯୋଗିତା ବିଜୟିନୀ ଅଙ୍କୁଶିତା ୨-୩ରେ ସ୍ବିଡେନ୍ର ଆଜେନେସ ଆଲେକ୍ସିଉସନଙ୍କଠୁ ହାରି ଯାଇଥିଲେ।
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଦ୍ବାରା ନିଲମ୍ବିତ ହୋଇଥିବା ଅନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧ ସଂଘ (ଆଇବିଏ)ଠୁ ଆନୁଷ୍ଠାନିକ ଭାବେ ସମ୍ପର୍କ ଛିନ୍ନ କରିଛି ଭାରତୀୟ ମୁଷ୍ଟିଯୁଦ୍ଧ ମହାସଂଘ (ବିଏଫ୍ଆଇ)। ତେବେ ବିଶ୍ବରେ ମୁଷ୍ଟିଯୁଦ୍ଧ ପରିଚାଳନା ପାଇଁ ନୂଆ କରି ଗଠନ ହୋଇଥିବା ୱାଲ୍ଡ ବକ୍ସିଂ (ଡବ୍ଲୁବି) ସହ ହାତ ମିଳାଇଛି ବିଏଫ୍ଆଇ। ଭାରତୀୟ ମୁଷ୍ଟିଯୋଦ୍ଧାମାନଙ୍କୁ କ୍ରୀଡ଼ାର ସର୍ବୋଚ୍ଚ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏକ ପ୍ଲାଟଫର୍ମ ଯୋଗାଇବା ଆଶା ନେଇ ବିଏଫ୍ଆଇ ଏଭଳି ନିଷ୍ପତ୍ତି ନେଇଛି। ଆଇବିଏର ଶାସନ, ଆର୍ଥିକ ପରିଚାଳନା ଓ କ୍ରୀଡ଼ା ଅଖଣ୍ଡତା ଉପରେ ଖପ୍ପା ହେବା ସହ ୨୦୧୯ରେ ଏହାର ମାନ୍ୟତାକୁ ପ୍ରତ୍ୟାହାର କରିଥିଲା ଆଇଓସି। ଆଇବିଏର ପୂର୍ବତନ ସଭାପତି ପ୍ରାର୍ଥୀ ବୋରିସ ଭାନ୍ ଦେର ଭର୍ସ୍ତଙ୍କ ନେତୃତ୍ବରେ ୱାଲ୍ଡ ବକ୍ସିଂ ୨୦୨୩ ଏପ୍ରିଲ୍ରେ ଗଠନ ହୋଇଥିଲା।
ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ୟାରିସ୍ ଅଲିମ୍ପିକ୍ସରେ ସମସ୍ତ ପଦକ ବିଜେତା ମୁଷ୍ଟିଯୁଦ୍ଧାଙ୍କୁ ପୁରସ୍କାର ରାଶି ପ୍ରଦାନ କରିବାକୁ ବୁଧବାର ଅନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧ ସଂଘ (ଆଇବିଏ) ଘୋଷଣା କରିଛି। ଗତ ବର୍ଷ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିଠାରୁ ସ୍ବୀକୃତି ହରାଇଥିବାରୁ ଆଇବିଏ ପ୍ୟାରିସ୍ ଅଲିମ୍ପିକ୍ସରେ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା ଆୟୋଜନ କରୁନି। ଏହା ସତ୍ତ୍ବେ ଆଇବିଏ ଜୁଲାଇ ୨୬ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ବିଜେତା ମୁଷ୍ଟିଯୋଦ୍ଧାଙ୍କୁ ଯଥାକ୍ରମେ ୧ଲକ୍ଷ ଡଲାର (ପ୍ରାୟ ୮୪ ଲକ୍ଷ ଟଙ୍କା), ୫୦ ହଜାର ଡଲାର (ପ୍ରାୟ ୪୨ ଲକ୍ଷ ଟଙ୍କା) ଓ ୨୫ ହଜାର ଡଲାର (ପ୍ରାୟ ୨୧ ଲକ୍ଷ ଟଙ୍କା) ପ୍ରଦାନ କରିବାକୁ ଘୋଷଣା କରିଛି। ପ୍ରଥମେ କ୍ରୀଡ଼ା ପରିଚାଳନା ସଂସ୍ଥା ଭାବେ ବିଶ୍ବ ଆଥ୍ଲେଟିକ୍ସ ଏପ୍ରିଲ ମାସରେ ଚଳିତ ବର୍ଷ ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ପୁରସ୍କାର ରାଶି ଘୋଷଣା କରିଥିଲା।