ପ୍ୟାରିସ୍: ରଙ୍ଗାରଙ୍ଗ ପରିବେଶ ଏବଂ ଦିବ୍ୟାଙ୍ଗଙ୍କ ଅସାଧାରଣ ପ୍ରତିଭାର ବଳିଷ୍ଠ ନମୁନାର ପ୍ରତିଶ୍ରୁତି ବହନ କରି ପ୍ୟାରିସ୍ ପାରାଲିମ୍ପିକ୍ସ ବୁଧବାର ରାତିରେ ଉଦଘାଟିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ରେକର୍ଡ ସଂଖ୍ୟକ ପ୍ରତିନିଧି ଓ ମହିଳା ଖେଳାଳିଙ୍କ ଉପସ୍ଥିତିରେ ଉଦ୍ଘାଟିତ ହୋଇଥିଲା ଏହି କ୍ରୀଡ଼ା ମହାକୁମ୍ଭ। ପ୍ୟାରିସ୍ରେ ପ୍ରଥମ ଥର ଲାଗି ପାରାଲିମ୍ପିକ୍ସ ଆୟୋଜିତ ହେଉଥିବାରୁ ଫ୍ରାନ୍ସ ସାରା ଏହାକୁ ନେଇ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। ଅଲିମ୍ପିକ୍ସ ଭଳି ପାରାଲିମ୍ପିକ୍ସର ଉଦ୍ଘାଟନୀ ଉତ୍ସବ ମଧ୍ୟ ଷ୍ଟାଡିୟମ୍ ବାହାରେ ଆୟୋଜିତ ହୋଇଛି। ଏଥରର ପାରାଲିମ୍ପିକ୍ସରେ ସାରା ବିଶ୍ବର ୪୪୦୦ ଭିନ୍ନକ୍ଷମ ଖେଳାଳିଙ୍କୁ ନେଇ ବୁଧବାରଠାରୁ ପ୍ୟାରିସ୍ରେ ଆରମ୍ଭ ହେବ ପାରାଲିମ୍ପିକ୍ସର ସପ୍ତଦଶ ସଂସ୍କରଣ। ୨୨ କ୍ରୀଡ଼ାର ୫୪୯ ଇଭେଣ୍ଟ୍ରେ ପ୍ରତିଦ୍ବନ୍ଦ୍ବିତା ହେବ। ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ୧୨ ଦିନ ଧରି ଭିନ୍ନକ୍ଷମ କ୍ରୀଡ଼ାରେ ଉତ୍କର୍ଷ ଲାଭ କରିଥିବା ଖେଳାଳି କ୍ରୀଡ଼ା ମହାକୁମ୍ଭର ସ୍ମରଣୀୟ ପଦକ ଲାଗି ପରସ୍ପର ସହ ଲଢ଼ୁଥିବାର ଦେଖିବାକୁ ମିଳିବେ। ଭାରତୀୟ ଭିନ୍ନକ୍ଷମ କ୍ରୀଡ଼ା ଇତିହାସର ସର୍ବବୃହତ୍ ଦଳ (୮୪ଜଣିଆ) ଏଥିରେ ଅଂଶଗ୍ରହଣ କରିବେ। ଭାରତ ଏଥର ୨୫ଟି ପଦକ ଜିତିବ ବୋଲି ପାରାଲିମ୍ପିକ୍ସ କମିଟି ଅଫ୍ ଇଣ୍ଡିଆର ସଭାପତି େଦବେନ୍ଦ୍ର ଝାଝରିଆ ଦୃଢ଼ ଆଶାପୋଷଣ କରିଛନ୍ତି।
କିଟ୍ରୁ ପ୍ରବୀଣ, ରାମପାଲ
ଭୁବନେଶ୍ବର: ପ୍ୟାରିସ୍ରେ ବୁଧବାରଠୁ ଆରମ୍ଭ ହୋଇଥିବା ପାରାଲିମ୍ପିକ୍ସରେ କିଟ୍ ବିଶ୍ବବିଦ୍ୟାଳୟର ଦୁଇ ଜଣ ଛାତ୍ର ପ୍ରବୀଣ କୁମାର ଓ ରାମପାଲ ଅଂଶଗ୍ରହଣ କରିଛନ୍ତି। ଏହି ଦୁଇ ଜଣ ଭାରତରୁ ପ୍ରତିନିଧିତ୍ବ କରୁଥିଲା ବେଳେ ଉଚ୍ଚ ଡିଆଁରେ ପ୍ରତିଦ୍ବନ୍ଦ୍ବିତା କରିବେ। ପ୍ରବୀଣ ଟୋକିଓ ପାରାଲିମ୍ପିକ୍ସ ଉଚ୍ଚଡିଆଁ ଟି-୬୪ରେ ରୌପ୍ୟ ପଦକ ଜିତିଥିଲେ। ଏଥର ଏହାର ରଙ୍ଗ ବଦଳାଇବାର ଆଶା ରଖିଛନ୍ତି ସେ। ରାମପାଲ ରିଓରେ ଉଚ୍ଚଡିଆଁ ଟି-୪୭ରେ ଷଷ୍ଠ ଓ ଟୋକିଓରେ ପଞ୍ଚମ ସ୍ଥାନରେ ରହିଥିଲେ। ପ୍ୟାରିସ୍ରେ ସେ ପଦକ ଆଶାରେ ଅଛନ୍ତି। କ୍ରୀଡ଼ା କୋଟାରେ ଉଭୟ ପ୍ରବୀଣ ଓ ରାମପାଲ ମାଗଣାରେ କିଟ୍ ବିଶ୍ବବିଦ୍ୟାଳୟରେ ସୋସିଓଲୋଜିରେ ମାଷ୍ଟର ଡିଗ୍ରୀ କରୁଛନ୍ତି। କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।