ପ୍ୟାରିଙ୍କ ହ୍ୟାଟ୍ରିକ୍‌: ସ୍ପୋର୍ଟ୍ସ ଓଡ଼ିଶାର ବଡ଼ ବିଜୟ

ହାରିଲା ଓଡ଼ିଶା ପୁଲିସ

ଭୁବନେଶ୍ବର: ଏଠାରେ ଚାଲିଥିବା ହିରୋ ଭାରତୀୟ ମହିଳା ଲିଗ୍ (ଆଇଡବ୍ଲୁଏଲ୍‌) ଫୁଟ୍‌ବଲ୍ ପ୍ରତିଯୋଗିତାରେ ବୁଧବାର ଓଡ଼ିଶାକୁ ମିଶ୍ରିତ ସଫଳତା ମିଳିଛି। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଦୁଇ ଓଡ଼ିଶା ଦଳ ମଧ୍ୟରୁ ସ୍ପୋର୍ଟ୍ସ ଓଡ଼ିଶା ବଡ଼ ବିଜୟ ପାଇଥିଲା ବେଳେ ଓଡ଼ିଶା ପୁଲିସ ପରାଜୟ ବରଣ କରିଛି।
ସପ୍ତମ ବାଟାଲିୟନରେ ଖେଳାଯାଇଥିବା ମ୍ୟାଚ୍‌ରେ ସ୍ପୋର୍ଟ୍ସ ଓଡ଼ିଶା ୯-୧ ଗୋଲ୍‌ର ବଡ଼ ବ୍ୟବଧାନରେ ଶିର୍ବୋଦେମ ସ୍ପୋର୍ଟ୍ସ କ୍ଲବ୍‌କୁ ମାତ୍‌ ଦେଇଥିଲା। ପ୍ୟାରି ଖାଖା (୨୮, ୫୮, ୯୦+୪ ମିନିଟ୍‌) ହ୍ୟାଟ୍ରିକ ଅର୍ଜନ କରିଥିଲା ବେଳେ ସତ୍ୟବତୀ ଖଡ଼ିଆ (୨, ୧୪ ମିନିଟ୍‌) ଓ ଯ‌ଶୋଦା ମୁଣ୍ଡା (୫୯, ୬୩ ମିନିଟ୍‌) ଦୁଇଟି ଲେଖାଏଁ ଏବଂ ଜବାମଣି ଟୁଡ଼ୁ (୩୭ ମିନିଟ୍‌) ଓ ଦୀପା ନାୟକ (୬୧ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ସ୍କୋର୍‌ କରିଥିଲେ। ଶିର୍ବୋଦେମ ସ୍ପୋର୍ଟ୍ସ କ୍ଲବ୍‌ ପକ୍ଷରୁ ଏର୍ନାଷ୍ଟିନା ଟେଟେ ଗୋଟିଏ ଗୋଲ୍‌ ଶୁଝିଥିଲେ। ହ୍ୟାଟ୍ରିକ ଗୋଲ୍‌ ଲାଗି ପ୍ୟାରି ଖାଖା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହି ବିଜୟ ସହ ସ୍ପୋର୍ଟ୍ସ ଓଡ଼ିଶା (୭ ପଏଣ୍ଟ୍‌) ଟେବୁଲର ଚତୁର୍ଥକୁ ଉଠିଛି। ଏହି ଦଳ ମୋଟ ୪ ମ୍ୟାଚ୍‌ ଖେଳି ୨ ବିଜୟ, ୧ ପରାଜୟ ପାଇଥିଲା ବେଳେ ଗୋଟିଏ ଅମୀମାଂସିତ ରଖିଛି।

କ୍ୟାପିଟାଲ ହାଇସ୍କୁଲ୍‌ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚ୍‌ରେ ଓଡ଼ିଶା ପୁଲିସ ୦-୪ ଗୋଲ୍‌ରେ ଇଣ୍ଡିଆନ୍‌ ଆରୋଜଠୁ ହାରିଯାଇଛି। ଆରୋ‌ଜ ପକ୍ଷରୁ ଅପୂଣ୍ଣା ନର୍ଜାରି (୧୩, ୧୯, ୭୬ ମିନିଟ୍‌) ହ୍ୟାଟ୍ରିକ୍‌ ଓ ସୁନିତା ମୁଣ୍ଡା (୩୬ ମିନିଟ୍‌) ଗୋଟିଏ ଗୋଲ୍‌ କରିଥିଲେ। ହ୍ୟାଟ୍ରିକ ଅର୍ଜନ କରିଥିବା ଅପୂର୍ଣ୍ଣା ନର୍ଜ‌ାରି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଓଡ଼ିଶା ପୁଲିସ ୪ ମ୍ୟାଚ୍‌ ଖେଳି ୩ ପରାଜୟ ଓ ୧ ବିଜୟରୁ ୩ ପଏଣ୍ଟ୍‌ ପାଇ ୧୨ ଦଳୀୟ ଏହି ପ୍ରତିଯୋଗିତାର ତାଲିକାରେ ନବମ ସ୍ଥାନରେ ରହିଛି। ଅରୋଜ (୭ ପଏଣ୍ଟ୍‌) ସ୍ପୋର୍ଟ୍ସ ଓଡ଼ିଶା ତଳକୁ ପଞ୍ଚମରେ ରହିଛି।

ସମ୍ବନ୍ଧିତ ଖବର