କୋହଲି, ରୋହିତ ଓ ଧୋନିଙ୍କ ନେତୃତ୍ବ ଶୈଳୀର ଭିନ୍ନତା ବଖାଣି‌ଲେ ପାର୍ଥିବ

ଭଦୋଦରା: ୱିକେଟ୍ ରକ୍ଷକ ପାର୍ଥିବ ପଟେଲ ଭାରତୀୟ କ୍ରିକେଟ୍‌ର ତିନି ଲୋକପ୍ରିୟ ତାରକା ମହେନ୍ଦ୍ର ସିଂହ ଧୋନି, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଖେଳିଛନ୍ତି। ଏଣୁ ଏମାନଙ୍କ ନେତୃତ୍ବ ଶୈଳୀରେ ଥିବା ଭିନ୍ନତା ବିଷୟରେ ଭଲ ଭାବରେ ଜାଣିଛନ୍ତି। ଏହି ବିଷୟରେ ନିଜ ମତ ରଖିବାକୁ ଯାଇ ପାର୍ଥିବ ପୂର୍ବତନ କ୍ରିକେଟର ଆକାଶ ଚୋପ୍ରାଙ୍କ ୟୁ-ଟ୍ୟୁବ୍ ଚାଟ୍ ସୋ’ ଆକାଶବାଣୀରେ ଅଂଶଗ୍ରହଣ କରି କହିଛନ୍ତି ଯେ ‘ ମୁଁ ଭାବୁଛି ଧୋନି ଖେଳାଳିଙ୍କ ଦକ୍ଷତାକୁ ଭଲ ଭାବରେ ଚିହ୍ନନ୍ତି। କେଉଁ ଖେଳାଳିଙ୍କୁ କିଭଳି ଓ କେଉଁ ପରିସ୍ଥିତିରେ ଉପଯୋଗ କରିହେବ, ସେ କଥା ବି ସେ ଭଲ ଭାବରେ ଜାଣିଛନ୍ତି। ଆମେ ସବୁବେଳେ ନିଜର ଶତ ପ୍ରତିଶତ ଦେବା କଥା ଆଲୋଚନା କରୁ। ସତ କଥା ହେଲା ସବୁ ଖେଳାଳିଙ୍କ ଶତପ୍ରତିଶତ ସ୍ତର ଏକାପରି ହୋଇନଥାଏ। ସେପଟେ ରୋହିତଙ୍କ ଅଧିନାୟକତ୍ବ ଶୈଳୀକୁ ବର୍ଣ୍ଣନା କରିବାକୁ ଯାଇ ପାର୍ଥିବ ମତ ରଖିଛନ୍ତି ଯେ ରୋହିତ ଭଲ ଯୋଜନା କରନ୍ତି।

ବୋଲରଙ୍କ ସହ ସବୁବେଳେ ଭାବ ବିନିମୟ କରନ୍ତି। ତାଙ୍କୁ ଦିଆଯାଇଥିବା ସୁଯୋଗର କିଭଳି ସୁବିନିଯୋଗ କରାଯିବ ଏବଂ ସେହି ଭୂମିକାରେ କେଉଁ ଖେଳାଳି ଶ୍ରେଷ୍ଠ ପ୍ରଦର୍ଶନ କରିପାରିବେ, ସେ କଥା ସବୁବେଳେ ଭାବୁଥାଆନ୍ତି। ଗତ କିଛି ବର୍ଷ ହେବ ତାଙ୍କ ନେତୃତ୍ବ ଦକ୍ଷତାରେ ଢେର ଉନ୍ନତି ହୋଇଛି। ଖେଳାଳି ପରିଚାଳନାରେ ଧୋନି ଓ ରୋହିତ ପୂରା ଓସ୍ତାଦ। ଶେଷରେ ବିରାଟଙ୍କ ନେତୃତ୍ବ ଶୈଳୀକୁ ନିଆରା ବୋଲି ଅଭିହିତ କରିଥିଲେ ପାର୍ଥିବ। ‘‘ ବିରାଟଙ୍କ ନେତୃତ୍ବ ଶୈଳୀ ଟିକେ ନିଆରା। ସେ ସବୁବେଳେ ଆଗରେ ରହିବାକୁ ଭଲପାଆନ୍ତି। ସବୁବେଳେ ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରନ୍ତି। ଏହା ତାଙ୍କ ଶୈଳୀ ଏବଂ ଏଥିରେ ସେ ଭଲ ବି କରନ୍ତି। ଧୋନି ଓ ରୋହିତ ଡ୍ରେସିଂ ରୁମ୍‌କୁ ଶାନ୍ତ ରଖିବାକୁ ପସନ୍ଦ କରନ୍ତି। ଅନ୍ୟପକ୍ଷରେ କୋହଲି ସବୁବେଳେ ନିଜ ଖେଳାଳିଙ୍କୁ ଭଲ କରିବା ଲାଗି ଉତ୍ସାହିତ କରୁଥାଆନ୍ତି’’ ବୋଲି ପାର୍ଥିବ କହିଥିଲେ। ସୂଚନାଯୋଗ୍ୟ ଯେ ଧୋନିଙ୍କ ନେତୃତ୍ବରେ ଭାରତ ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍, ୨୦୧୧ ଏକଦିବସୀୟ ବିଶ୍ବକପ୍ ଓ ୨୦୧୩ ଚାମ୍ପିଅନ୍ସ ଟ୍ରଫି ଜିତିଛି। କୋହଲିଙ୍କ ଅଧିନାୟକତ୍ବରେ ଭାରତ ଅଷ୍ଟ୍ରେଲିଆରେ ପ୍ରଥମ ଟେଷ୍ଟ୍ ଶୃଙ୍ଖଳା ବିଜୟ ହାସଲ କରିଥିଲା। ରୋହିତଙ୍କ ନେତୃତ୍ବରେ ମଧ୍ୟ ଭାରତ ନିଦହାସ ଟ୍ବେଣ୍ଟି-୨୦ ଟ୍ରଫି ଓ ୨୦୧୮ ଏସିଆ କପ୍ ଟ୍ରଫି ଜିତିଛି।

ସମ୍ବନ୍ଧିତ ଖବର