୩୦୦୦ ମିଟର ଦୌଡ଼ରେ ପାରୁଲଙ୍କ ନୂଆ ଜାତୀୟ କୀର୍ତ୍ତିମାନ

ଲସ୍‌ଆଞ୍ଜେଲ୍ସ: ଭାରତୀୟ ଧାବିକା ପାରୁଲ ଚୌଧରୀ ଲସ୍‌ଆଞ୍ଜେଲ୍ସରେ ଆୟୋଜିତ ସାଉଣ୍ଡ ରନିଂ ମିଟ୍‌ରେ ନୂଆ ଜାତୀୟ କୀର୍ତ୍ତିମାନ କରିଛନ୍ତି। ଶନିବାର ରାତିରେ ଖେଳାଯାଇଥିବା ଏହି ପ୍ରତିଯୋଗିତାର ମହିଳା ୩୦୦୦ ମିଟର ଦୌଡ଼କୁ ସେ ୮:୫୭.୯ ସେକେଣ୍ଡ ସମୟରେ ଶେଷ କରି ଏହି କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ପୂର୍ବରୁ ଏହି କୀର୍ତ୍ତିମାନ ସୂରିୟା ଲୋ‌ଗନାଥନ (୯:୦୫.୫ ସେକେଣ୍ଡ)ଙ୍କ ନାମରେ ରହିଥିଲା। ସୂରିୟା ନୂଆଦିଲ୍ଲୀରେ ୬ ବର୍ଷ ତଳେ ଏହି କୀର୍ତ୍ତିମାନ କରିଥିଲେ। ଷ୍ଟିପଲ୍‌ଚେଜ୍‌ ତାରକା ପାରୁଲ ଏଥିସହ ୯ ମିନିଟ୍‌ ମଧ୍ୟରେ ରେସ୍‌ ଶେଷ କରିବାରେ ମଧ୍ୟ ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଥିଲେ। କୀର୍ତ୍ତିମାନ ସତ୍ତ୍ବେ ପାରୁଲ ପଞ୍ଚମ ସ୍ଥାନରେ ରହି ପୋଡିୟମ ଫିନିସ କରିବାରେ ବିଫଳ ହୋଇଥିଲେ। ଗତ ମାସରେ ଚେନ୍ନାଇରେ ଆୟୋଜିତ ଜାତୀୟ ପ୍ରତିଯୋଗିତାରେ ସେ ମହିଳା ୩୦୦୦ ମିଟର ଷ୍ଟିପଲ୍‌ଚେଜ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର