ମେଲ୍ବର୍ଣ୍ଣ: ମାନସିକ ଅବସାଦ ଯୋଗୁଁ ଟିମ୍ ପେନ୍ ଅନିର୍ଦ୍ଦିଷ୍ଟ ସମୟ ପାଇଁ କ୍ରିକେଟ୍ରୁ ବିରତି ନେବା ପରେ ତାଙ୍କ ସ୍ଥାନରେ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଅଷ୍ଟ୍ରେଲିଆ ଟେଷ୍ଟ୍ ଦଳର ନୂଆ ଅଧିନାୟକ ମନୋନୀତ ହୋଇଛନ୍ତି। ଶୁକ୍ରବାର କ୍ରିକେଟ୍ ଅଷ୍ଟ୍ରେଲିଆର ଏହି ଘୋଷଣା ପରେ କମିନ୍ସ ଅଷ୍ଟ୍ରେଲିଆର ୪୭ତମ ଟେଷ୍ଟ୍ ଅଧିନାୟକ ହୋଇଛନ୍ତି। ଏଥି ସହିତ ରେ ଲିଣ୍ଡୱାଲ୍ଙ୍କ ପରେ ଦ୍ବିତୀୟ ବିଶେଷଜ୍ଞ ଦ୍ରୁତ ବୋଲର ଭାବେ କମିନ୍ସ ଜାତୀୟ ଦଳର ନେତୃତ୍ବ ଭାର ପାଇଛନ୍ତି। ଲିଣ୍ଡ୍ୱାଲ ୧୯୫୦ ଦଶକର ମଧ୍ୟଭାଗରେ ଭାରତ ବିପକ୍ଷ ଏକ ଟେଷ୍ଟ୍ରେ ଅଷ୍ଟ୍ରେଲିଆର ନେତୃତ୍ବ ନେଇଥିଲେ।
ଦଳର ନେତୃତ୍ବ ଭାର ପାଇଥିବାରୁ ସମ୍ମାନସ ସହ ଏହାକୁ ଗ୍ରହଣ କରୁଛି ବୋଲି କମିନ୍ସ କହିଛନ୍ତି। ଗତ କିଛି ବର୍ଷ ଧରି ପେନ୍ ଦଳକୁ ଯେଭଳି ଏକାଠି କରି ବଳିଷ୍ଠ ନେତୃତ୍ବର ପରିଚୟ ଦେଇଥିଲେ, ଠିକ୍ ସେହିଭଳି ମୁଁ ଦାୟିତ୍ବକୁ ଆଗେଇନେବି ବୋଲି କହିଛନ୍ତି କମିନ୍ସ। ଟେଷ୍ଟ୍ ଦଳରେ କମିନ୍ସଙ୍କ ଉପଅଧିନାୟକ ଦାୟିତ୍ବ ଅଭିଜ୍ଞ ତଥା ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ୍ଙ୍କୁ ମଳିଛି। ତେଣୁ ଷ୍ଟିଭଙ୍କ ସହ ମିଶି ଦଳକୁ ଅଧିକ ଦୃଢ଼ ଓ ଶକ୍ତିଶଳୀ କରିବି ବୋଲି ସେ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ, କମିନ୍ସ ପୂର୍ବରୁ ପ୍ରାୟ ଦୁଇ ବର୍ଷ ଧରି ଉପଅଧିନାୟକ ଦାୟିତ୍ବ ତୁଲାଇଛନ୍ତି। ଏବେ ସେ ଇଂଲଣ୍ଡ ବିପକ୍ଷ ଘରୋଇ ଆସେସ୍ ଶୃଙ୍ଖଳାରୁ ହିଁ ନୂଆ ଭୂମିକାରେ ଅବତୀର୍ଣ୍ଣ ହେବେ। ଡିସେମ୍ବର ୮ରୁ ବ୍ରିସ୍ବନ୍ରୁ ଆସେସ୍ ଶୃଙ୍ଖଳା ଆରମ୍ଭ ହେବ।
ଅନିର୍ଦ୍ଦିଷ୍ଟ ସମୟ ବିରତି ନେଲେ ପେନ୍
କ୍ରିକେଟ୍ ତାସ୍ମାନିଆର ଜଣେ ପୂର୍ବତନ ମହିଳା କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଯୌନ ଉଦ୍ଦିପକ ବାର୍ତ୍ତା ପଠାଇବା ମାମଲାରେ ଛନ୍ଦି ହୋଇ ପେନ୍ ଗତ ସପ୍ତାହରେ ଅଷ୍ଟ୍ରେଲିଆ ଟେଷ୍ଟ୍ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ। ୨୦୧୬ରେ ବୋନିଙ୍କୁ ବିବାହ କରିଥିବା ପେନ୍ କ୍ରିକେଟ୍ ତାସ୍ମାନିଆ ଏବଂ କ୍ରିକେଟ୍ ଅଷ୍ଟ୍ରେଲିଆ ଦ୍ବାରା ୨୦୧୮ରେ ଏକ ତଦନ୍ତରୁ ଅଭିଯୋଗମୁକ୍ତ ହୋଇଥିଲେ ମଧ୍ୟ ଗତ ଶୁକ୍ରବାର ଜାତୀୟ ଦଳର ଅଧିନାୟକ ପଦ ଛାଡ଼ି ଦେଇଥିଲେ। ଏବେ କିନ୍ତୁ ସେ ମାନସିକ ଅବସାଦ କାରଣ ଦର୍ଶାଇ ଅନିର୍ଦ୍ଦିଷ୍ଟ ସମୟ ପାଇଁ କ୍ରିକେଟ୍ରୁ ବିରତି ନେଇଛନ୍ତି ବୋଲି ତାଙ୍କ ପ୍ରବନ୍ଧକ ଜେମ୍ସ ହେଣ୍ଡରସନ୍ ଶୁକ୍ରବାର ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ଫଳ ରେ ୩୫ ଟେଷ୍ଟ୍ ଖେଳିଥିବା ୩୬ ବର୍ଷ ବୟସ୍କ ପେନ୍ଙ୍କ ଆନ୍ତର୍ଜାତିକ କ୍ୟାରିୟରର ଅନ୍ତ ଘଟିବା ଆଶଙ୍କା କରାଯାଉଛି। ସେ ୧୫ ଜଣିଆ ଆସେସ୍ ଦଳରେ ଏକମାତ୍ର ବିଶେଷଜ୍ଞ ୱିକେଟ୍ରକ୍ଷକ ଭାବେ ସାମିଲ ହୋଇଥିଲା ବେଳେ ଏବେ ତାଙ୍କ ବଦଳରେ ଆଲୋକ୍ସ କାରି ସ୍ଥାନ ପାଇବା ନିଶ୍ଚିତ ହୋଇଯାଇଛି।