ମୁମ୍ବାଇ: ମୁମ୍ବାଇ ଜନ୍ମିତ ଭାରତୀୟ ବଂଶୋଦ୍ଭବ ବାମହାତୀ ସ୍ପିନର୍ ଏଜାଜ ପଟେଲ୍ଙ୍କ ପର୍ଫେକ୍ଟ ଟେନ୍ (ଗୋଟିଏ ପାଳିର ସମସ୍ତ ୧୦ ୱିକେଟ୍ ଦଖଲ) କାରଣରୁ ଭାରତର ପ୍ରଥମ ପାଳି ୩୨୫ ରନ୍ରେ ଶେଷ ହୋଇଯାଇଥିଲା। ଟେଷ୍ଟ୍ କ୍ରିକେଟ୍ର ୧୪୪ ବର୍ଷ ଇତିହାସରେ ତୃତୀୟ ବୋଲର ଭାବେ ଏଜାଜ ପଟେଲ୍ (୪୭.୫-୧୨-୧୧୯-୧୦) ଐତିହାସିକ କୃତିତ୍ବ ଅର୍ଜନ କରିଛନ୍ତି। ପୂର୍ବରୁ କେବଳ ଇଂଲଣ୍ଡର ଜିମ୍ ଲେକର (୧୦/୫୩) ଓ ଭାରତର ଅନିଲ କୁମ୍ବଲେ (୧୦/୭୪) ଏଭଳି ସଫଳତା ପାଇଥିଲେ। ପଟେଲଙ୍କ ପରାକ୍ରମକୁ କିନ୍ତୁ ଦଳର ବ୍ୟାଟର୍ ହାତଛଡ଼ା କରିଦେଇଥିଲେ।
ଭାରତର ପାଳି ୩୨୫ ରନ୍ ଜବାବରେ ଶନିବାର କିନ୍ତୁ ନ୍ୟୁଜିଲାଣ୍ଡ୍ ପ୍ରଥମ ପାଳିକୁ ଘରୋଇ ବୋଲରମାନେ ମାତ୍ର ୬୨ ରନ୍ରେ ଶେଷ କରି ୨୬୩ ରନ୍ର ବଡ଼ ଅଗ୍ରଣୀ ନେଇଯାଇଥିଲେ। ତଥାପି ଫଲୋଅନ୍ ନ ଡାକି ବିରାଟ କୋହଲି ଦ୍ବିତୀୟ ପାଳି ଖେଳିବାକୁ ପସନ୍ଦ କରିଛନ୍ତି। ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଦ୍ବିତୀୟ ପାଳିରେ କୌଣସି ୱିକେଟ୍ ନହରାଇ ୬୯ ରନ୍ ସଂଗ୍ରହ କରି ନେଇଥିବାରୁ ମୋଟ ଉପରେ ୩୩୨ ରନ୍ରେ ଆଗୁଆ ହୋଇ ଦୃଢ଼ ସ୍ଥିତିରେ ରହିଛି। ରବିଚନ୍ଦ୍ରନ ଅଶ୍ବିନ୍ ଏବଂ ମହମ୍ମଦ ସିରାଜ ମିଳିତ ଭାବେ ୭ ୱିକେଟ୍ ନେଇ କିୱିଙ୍କ ପର କାଟି ଦେଇଛନ୍ତି।
ଦ୍ବିତୀୟ ଦିନ ୧୬ ୱିକେଟ୍
ଭାରତ ଶନିବାର ସକାଳେ ୨୨୧/୪ରୁ ଖେଳିଥିଲା। ମୟଙ୍କ ଅଗ୍ରୱାଲ୍ ଏବଂ ଋଦ୍ଧିମାନ ସାହା ପୁନଃ ପାଳି ଆରମ୍ଭ କରିଥିଲେ ମଧ୍ୟ ଏଜାଜଙ୍କ ଜାଲ ବିଛାରୁ କେହି ବର୍ତ୍ତିଯାଇନଥିଲେ। ନିଜ ପ୍ରଥମ ଓଭରରେ ଏଜାଜ ପଟେଲ୍ ଲଗାତାର ବଲ୍ରେ ଋଦ୍ଧିମାନ ସାହା ଏବଂ ରବିଚନ୍ଦ୍ରନ ଅଶ୍ବିନଙ୍କୁ ଆଉଟ୍ କରି ଘରୋଇ ଦଳକୁ ଯୁଗଳ ଝଟକା ଦେଇଥିଲେ। ମୟଙ୍କ ଅଗ୍ରୱାଲ୍ ଏବଂ ଅକ୍ଷର ପଟେଲ୍ କିନ୍ତୁ ସପ୍ତମ ୱିକେଟ୍ ପାଇଁ ୬୭ ରନ୍ ଯୋଡ଼ି ପୁଣି ପାଳିକୁ ମୋଡ଼ି ଦେଇଥିଲେ। ମୟଙ୍କ ୧୫୦ ରନ୍ (୩୧୧ ବଲ୍, ୧୭ ଚୌକା, ୪ ଛକା) ଏବଂ ଅକ୍ଷର ୫୨ ରନ୍ (୧୨୮ ବଲ୍, ୫ ଚୌକା, ୧ ଛକା) କରିଥିଲେ। ଶେଷକୁ ମଧ୍ୟ ଏଜାଜ ପଟେଲ୍ ଗୋଟିଏ ଓଭରରେ ଜୟନ୍ତ ଯାଦବ ଓ ମହମ୍ମଦ ସିରାଜଙ୍କୁ ଆଉଟ୍ କରି ଭାରତ ପାଳିକୁ ୩୨୫ ରନ୍ରେ ଶେଷ କରିଦେଇଥିଲେ।
ଭାରତ ଶନିବାର ୬ ୱିକେଟ୍ ହରାଇ ୧୦୪ ରନ୍ ଯୋଡ଼ିଥିଲା। କିନ୍ତୁ ଭାରତୀୟ ବୋଲରମାନେ ନ୍ୟୁଜିଲାଣ୍ଡ୍ ପାଳିକୁ ୨୮.୧ ଓଭର ଓ ୬୨ ରନ୍ରେ ଶେଷ କରିଦେଇଥିଲେ। ସିରାଜ (୪-୦-୧୯-୩) ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇବା ପରେ ୩ ଭାରତୀୟ ସ୍ପିନର୍ ଅଶ୍ବିନ୍ (୮-୦-୮-୪), ଅକ୍ଷର (୯.୧-୩-୧୪-୨) ଓ ଜୟନ୍ତ (୨-୦-୧୩-୧) ଅବଶିଷ୍ଟ କାର୍ଯ୍ୟକୁ ତୁରନ୍ତ ତୁଲାଇ ନେଇଥିଲେ। ଏଥି ସହ ଦ୍ବିତୀୟ ଦିନରେ ମୋଟ ୧୬ ୱିକେଟ୍ର ପତନ ଘଟିଥିବାରୁ ଏହି ଟେଷ୍ଟ୍ରୁ ଫଳାଫଳ ବାହାରିବା ଏକ ପ୍ରକାର ନିଶ୍ଚିତ ହୋଇଛି। ଦ୍ବିତୀୟ ଦିନ ଖେଳ ବନ୍ଦ ବେଳକୁ ମୟଙ୍କ ଅଗ୍ରୱାଲ୍ (୩୮*, ୭୫ ବଲ୍, ୬ ଚୌକା) ଏବଂ ଚେତେଶ୍ବର ପୂଜାରା (୨୯*, ୫୧ ବଲ୍, ୩ ଚୌକା, ୧ ଛକା) ବ୍ୟାଟିଂ କରୁଥିଲେ।
ବିରଳ କ୍ଲବ୍ରେ ଏଜାଜ
ଭାରତୀୟ ବଂଶୋଦ୍ଭବ ବାମହାତୀ ସ୍ପିନର୍ ଏଜାଜ ପଟେଲ୍ଙ୍କ ପରଫେକ୍ଟ ଟେନ୍ (୪୭.୫-୧୨-୧୧୯-୧୦) ଅପ୍ରତ୍ୟାଶିତ ଭାବେ ତାଙ୍କୁ ଟେଷ୍ଟ୍ କ୍ରିକେଟ୍ରେ ନୂଆ ତାରକା ବନାଇ ଦେଇଛି। ମାତ୍ର ତୃତୀୟ ବୋଲର ଭାବେ ସେ ଟେଷ୍ଟ୍ କ୍ରିକେଟ୍ର ୧୪ ଦଶନ୍ଧୀ ଇତିହାସରେ ଏଭଳି ସଫଳତା ପାଇଛନ୍ତି। ୧୯୫୬ ମସିହାରେ ଇଂଲଣ୍ଡ୍ ଅଫସ୍ପିନର୍ ଜିମ୍ ଲେକର (୧୦/୫୩) ଅଷ୍ଟ୍ରେଲିଆ ବିପକ୍ଷରେ ଏବଂ ୧୯୯୯ରେ ନୂଆଦିଲ୍ଲୀର ଫିରୋଜ ସାହା କୋଟଲାରେ ପାକିସ୍ତାନ ବିପକ୍ଷରେ ଭାରତୀୟ ଲେଗ୍ସ୍ପିନର୍ ଅନିଲ କୁମ୍ବଲେ (୧୦/୭୪) ଏହି ବିରଳ କ୍ଲବ୍ର ପ୍ରଥମ ଦୁଇ ସଦସ୍ୟ ଥିଲେ। ଶୁବମନ ଗିଲ୍ଙ୍କୁ ପ୍ରଥମ ଏବଂ ମହମ୍ମଦ ସିରାଜଙ୍କୁ ଦଶମ ଶିକାର କରିଥିଲେ ଏଜାଜ। ମୁମ୍ବାଇ ଜନ୍ମିତ ଏଜାଜଙ୍କ ଏହି ସଫଳତା ପରେ ତାଙ୍କୁ ଭାରତୀୟ ଦଳର ପ୍ରତି ସଦସ୍ୟଙ୍କ ସହ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହି ସଫଳତାକୁ ଅବିଶ୍ବାସ ଆଖ୍ୟା ଦିଆଯାଇଛି। ଏହି ସଫଳତା ସହ ପଟେଲ୍ ମଧ୍ୟ ନିଜ ଦେଶର ମହାନ ଦ୍ରୁତ ବୋଲର ରିଚାର୍ଡ ହାଡଲିଙ୍କ ଶ୍ରେଷ୍ଠ ବୋଲିଂ ଚିତ୍ର (୯/୫୨ ବନାମ ଅଷ୍ଟ୍ରେଲିଆ, ୧୯୮୫)କୁ ପଛରେ ପକାଇ ଦେଇଛନ୍ତି। ପର୍ଫେକ୍ଟ ଟେନ୍ର ଭାରତୀୟ ସଦସ୍ୟ ଅନିଲ କୁମ୍ବଲେ ମଧ୍ୟ ଏଜାଜଙ୍କୁ ସ୍ବାଗତ କରିଛନ୍ତି। ଏକ ଟେଷ୍ଟ୍ ମ୍ୟାଚ୍ର ପ୍ରଥମ ଓ ଦ୍ବିତୀୟ ଦିନ ଏଭଳି ସଫଳତା ପାଇବାକୁ କରିଥିବା ସ୍ବତନ୍ତ୍ର ପ୍ରୟାସକୁ କୁମ୍ବଲେ ପ୍ରଶଂସା କରିଛନ୍ତି। ଏଜାଜ ଶୁକ୍ରବାର ଓ ଶନିବାର ୪ଟି ସ୍ପେଲ୍ରେ ଏଭଳି ସଫଳତା ଅର୍ଜନ କରିଥିଲେ। ୨୪-୧୦-୫୭-୪, ୫-୦-୧୬-୦, ୬-୦-୧୬-୨ ଏବଂ ୧୨.୫-୨-୩୦-୪ ଥିଲା ତାଙ୍କ ୪ ସ୍ପେଲ୍ର ବୋଲିଂ ଚିତ୍ର।
ଭାରତରେ ନ୍ୟୁଜିଲାଣ୍ଡ୍ର ସର୍ବନିମ୍ନ ସ୍କୋର୍
ଭାରତ ମାଟିରେ ଶନିବାର ସର୍ବନିମ୍ନ ସ୍କୋର୍ ଦେଖିବାକୁ ମିଳିଛି। ନ୍ୟୁଜିଲାଣ୍ଡ୍ର ୬୨ ରନ୍ ଭାରତର ୭୫ ରନ୍ (ବନାମ ୱେଷ୍ଟଇଣ୍ଡିଜ୍, ୧୯୭୫)କୁ ପଛକୁ ଠେଲି ଦେଇଛି। ସେହିଭଳି ୬୨ ରନ୍ ମଧ୍ୟ ଭାରତ ବିପକ୍ଷରେ ଯେ କୌଣସି ଦଳ ପାଇଁ ସର୍ବନିମ୍ନ। ଏ କ୍ଷେତ୍ରରେ ନ୍ୟୁଜିଲାଣ୍ଡ୍ ୬ ବର୍ଷ ତଳର ଦକ୍ଷିଣ ଆଫ୍ରିକାର ୭୯ ରନ୍ (ବନାମ ଭାରତ, ନାଗପୁର, ୨୦୧୫)କୁ ପଛରେ ପକାଇଛି। ଦ୍ବିତୀୟ ଦିନ ସୁଦ୍ଧା ଭାରତ ୩୩୨ ରନ୍ ଅଗ୍ରଣୀ ନେବା ମଧ୍ୟ ଏହି ପର୍ଯ୍ୟାୟ ଯାଏଁ ସର୍ବୋଚ୍ଚ। ୨୦୦୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଦ୍ବିତୀୟ ଦିନ ସୁଦ୍ଧା ୩୧୧ ରନ୍ ଆଗୁଆ ଥିଲା।