ଭୁବନେଶ୍ବର: ଭାରତର ଭେଟେରାନ୍ ଗୋଲ୍ରକ୍ଷକ ପିଆର୍ ଶ୍ରୀଜେଶ ଗତ ୧୬ ବର୍ଷ ଧରି ଭାରତୀୟ ହକିକୁ ସେବା ଯୋଗାଇ ଦେଇଆସୁଛନ୍ତି। ବର୍ତ୍ତମାନ ତାଙ୍କ କ୍ୟାରିୟରର ଶେଷ ହୋଇ ଆସୁଥିଲା ବେଳେ ଯୁବ ଗୋଲ୍ରକ୍ଷକ କ୍ରିଷନ ପାଠକ ଶ୍ରୀଜେଶଙ୍କ ସ୍ଥାନ ନେଇପାରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ରାଉରକେଲାରେ ଇଂଲଣ୍ଡ ବିପକ୍ଷ ବିଶ୍ବକପ୍ ମ୍ୟାଚ୍ରେ ଶ୍ରୀଜେଶଙ୍କୁ ବିଶ୍ରାମ ଦିଆଯାଇ ପାଠକଙ୍କୁ ଗୋଲପୋଷ୍ଟ ଦାୟିତ୍ବ ଦିଆଯାଇଥିଲା। ଫଳସ୍ବରୂପ ଭାରତ ଗୋଟିଏ ବି ଗୋଲ୍ ବରଣ ନକରି ମ୍ୟାଚ୍କୁ ୦-୦ରେ ଅମୀମାଂସିତ ରଖିଥିଲା। ତେଣୁ ଏହି ଦକ୍ଷତାକୁ ଦେଖିଲେ ଶ୍ରୀଜେଶଙ୍କଠୁ ପାଠକ ଗୋଲ୍ପୋଷ୍ଟ ଦାୟିତ୍ବ ନିଜ କାନ୍ଧକୁ ନେବା ସମୟ ଆସିଯାଇଥିବା ଭାରତୀୟ ଗୋଲ୍ରକ୍ଷକ ପ୍ରଶିକ୍ଷକ ଡେନିସ୍ ଭାନ୍ ଡି ପୋଲ୍ ସଙ୍କେତ ଦେଇଛନ୍ତି। ଶ୍ରୀଜେଶ ଯେତେବେଳେ ବି ଅବସର ଘୋଷଣା କରିବେ, ପାଠକ ତାଙ୍କ ସ୍ଥାନ ପୂରଣ କରିବେ ବୋଲି ସେ ସୂଚନା ଦେଇଛନ୍ତି।
ଡେନିସ୍ଙ୍କ ମତରେ, ଭାରତୀୟ ଦଳ ସହିତ ସେ ଦୀର୍ଘ ଦିନଧରି କାମ କରିଆସୁଛନ୍ତି। ବେଙ୍ଗାଲୁରୁରେ ଗତ ଡିସେମ୍ବରରେ ହୋଇଥିବା ଶିବିରରେ ୯ ଜଣ ଗୋଲିଙ୍କୁ ସେ ପ୍ରଶିକ୍ଷଣ ଦେଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ବିଶ୍ବକପ୍ ଦଳରେ ସ୍ଥାନ ପାଇଥିଲେ। ୨୦୧୯ କନିଷ୍ଠ ବ୍ୟାଚ୍ର ଗୋଲିମାନେ ଏବେ ବରିଷ୍ଠ ଦଳରେ ଯୋଡ଼ିହେଲେଣି। ତେଣୁ ଭାରତର ଭବିଷ୍ୟତ ଉଜ୍ବଳମୟ ବୋଲି ଡେନିସ୍ କହିଛନ୍ତି। ସେ ମଧ୍ୟ କହିଛନ୍ତି ଯେ ଶ୍ରୀଜେଶ ଓ ପାଠକ ଖେଳ ମଝିରେ ଅଦଳବଦଳ ହେଉଛନ୍ତି, ଯାହାକି ଭଲ ସଙ୍କେତ। ମ୍ୟାଚ୍ ଶେଷ ହେବା ପରେ ଯୁବ ଗୋଲ୍ରକ୍ଷକ ଅଧିକ ଦୃଷ୍ଟି ଆକର୍ଷଣ କରିପାରିବେ। ପାଠକ ଏବେ ଶ୍ରୀଜେଶଙ୍କଠୁ ବହୁତ ସାନ। ତଥାପି ବଡ଼ ମ୍ୟାଚ୍ଗୁଡ଼ିକରେ ପାଠକଙ୍କୁ ଅଧିକ ସୁଯୋଗ ଦିଆଯାଉଛି। କାରଣ ଯେତେବେଳେ ଶ୍ରୀଜେଶ ଅବସର ନେବେ ସେତେବେଳକୁ ପାଠକଙ୍କ ମ୍ୟାଚ୍ ଅଭିଜ୍ଞତା ବଢିଯାଇଥିବ ବୋଲି ଡେନିସ୍ କହିଛନ୍ତି। ଭାରତୀୟ ହକି ଦଳ ବିଶ୍ବକପ୍ ପୁଲ୍ ଡି’ରେ ଦ୍ବିତୀୟ ସ୍ଥାନରେ ରହିଛି। ପ୍ରଥମ ମ୍ୟାଚ୍ରେ ସ୍ପେନ୍କୁ ୨-୦ରେ ହରାଇବା ପରେ ଇଂଲଣ୍ଡ ସହିତ ଖେଳାଯାଇଥିବା ମ୍ୟାଚ୍ ଗୋଲ୍ଶୂନ୍ୟ ଅମୀମାଂସିତ ରହିଥିଲା। ଭାରତ ପୁଲ୍ର ଶେଷ ମ୍ୟାଚ୍ ଗୁରୁବାର ୱେଲ୍ସ ବିପକ୍ଷରେ ଖେଳିବ।