ସେଣ୍ଟ୍ କିଟ୍ସ : ସେଣ୍ଟ୍ କିଟ୍ସ ଏବଂ ନେଭିସ ପାଟ୍ରିଅଟ୍ସ ଚଳିତ କାରବିଆନ୍ ପ୍ରିମିୟର ଲିଗ୍ (ସିପିଏଲ୍)ରେ ବିଜେତା ହୋଇଛି। ଫାଇନାଲ୍ରେ ଏହି ଦଳ ୩ ୱିକେଟ୍ରେ ସେଣ୍ଟ୍ ଲୁସିଆ କିଙ୍ଗ୍ସକୁ ହରାଇଦେଇଛି। କିଙ୍ଗ୍ସ ଦଳ ୭ ୱିକେଟ୍ରେ ୧୫୯ ରନ୍ କରିଥିଲା। ରାହକିମ୍ କର୍ନୱାଲ ଓ ରସ୍ତନ ଚେଜ୍ ୪୩ ରନ୍ ଲେଖାଏଁ ଏବଂ କିମୋ ପଲ୍ ୩୯ ରନ୍ କରିଥିଲେ। ପାଟ୍ରିଅଟ୍ସ ପକ୍ଷରୁ ଫୱାଦ ଅହମ୍ମଦ ଓ ନସିମ ଶାହ ୨ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ପାଟ୍ରିଅଟ୍ସ ୭ ୱିକେଟ ହରାଇ ଶେଷ ବଲ୍ରେ ଚୌକା ସହ ବିଜୟ ମୁଣ୍ଡି ମାରିଥିଲା। ଡୋମିନିକ୍ ଡ୍ରାକସ ଅପରାଜିତ ୪୮ ରନ୍ (୨୪ ବଲ୍) କରିଥିଲା ବେଳେ ଜୋସୁଆ ଡା’ସିଲ୍ଭା ୩୭, ସେର୍ଫାନେ ରଦରଫର୍ଡ ୨୫ ଓ ଫାବିଅନ୍ ଅଲିନ ୨୦ ରନ୍ କରିଥିଲେ। କିଙ୍ଗ୍ସ ପକ୍ଷରୁ ୱାହବ ରିଆଜ ୨ ୱିକେଟ୍ ଅକ୍ତିଆର କରିଥିଲେ। ଡ୍ରାକ୍ସ ଫାଇନାଲ୍ର ଏବଂ ଚେଜ୍ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
୫୦୦ ମ୍ୟାଚ୍ ଖେଳିବାରେ ବ୍ରାଭୋ ଦ୍ବିତୀୟ
ସାଥୀ ଖେଳାଳି କିରଣ ପୋଲାର୍ଡଙ୍କ ପରେ ଦ୍ବିତୀୟ ଖେଳାଳି ଭାବେ ୫୦୦ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଛନ୍ତି ୱେଷ୍ଟଇଣ୍ଡିଜ୍ ଅଲ୍ରାଉଣ୍ଡର ଡ୍ବେନ୍ ବ୍ରାଭୋ। ସେଣ୍ଟ୍ କିଟ୍ସ ଓ ନେଭିସ୍ ପାଟ୍ରିଅଟ୍ସ ବିପକ୍ଷ କାରବିୟାନ୍ ପ୍ରିମିୟର୍ ଲିଗ୍ ଫାଇନାଲ୍ ଖେଳି ଏହି କୀର୍ତ୍ତିମାନ କରିଛନ୍ତି ସେ। ୨୦୦୬ ମସିହାରେ ଟ୍ବେଣ୍ଟି-୨୦ ପଦାର୍ପଣ କରିବା ପରେ ବ୍ରାଭୋ ସାରା ବିଶ୍ବର ପ୍ରତିଷ୍ଠିତ ଟ୍ବେଣ୍ଟି-୨୦ ଲିଗ୍ ଖେଳି ସାରିଛନ୍ତି। ଆଇପିଏଲ୍ରେ ଚେନ୍ନାଇ ସୁପରକିଙ୍ଗ୍ସ ଓ ଗୁଜୁରାଟ ଲାୟନ୍ସ ଦଳର ପ୍ରତିନିଧିତ୍ବ କରିଛନ୍ତି ସେ।