ମିସ୍‌ବାଙ୍କୁ ସୋହେଲଙ୍କ ସମାଲୋଚନା, ଘରୋଇ ୟୁଟ୍ୟୁବ୍‌ ଚ୍ୟାନେଲ ପରିଚାଳନାରୁ ପ୍ରଶିକ୍ଷକଙ୍କୁ ରୋକିଲା ପିସିବି

କରାଚି: ଚଳିତ ଇଂଲଣ୍ଡ ଗସ୍ତରେ ବିଶେଷକରି ତୃତୀୟ ତଥା ଅନ୍ତିମ ଟେଷ୍ଟ୍‌ରେ ଦଳର ଶୋଚନୀୟ ପ୍ରଦର୍ଶନ ପରେ ମିସ୍‌ବା ଉଲ୍‌ ହକ୍‌ଙ୍କ ନେତୃତ୍ବାଧୀନ ପାକିସ୍ତାନ ପ୍ରଶିକ୍ଷଣ ମଣ୍ଡଳୀକୁ କଟୁ ସମାଲୋଚନା କରିଛନ୍ତି ପୂର୍ବତନ ଅଧିନାୟକ ଆମିର ସୋହେଲ। ପ୍ରଥମ ପାଳି‌ରେ ଅନାକର୍ଷଣୀୟ ବୋଲିଂ ପ୍ରଦର୍ଶନ ପରେ ବ୍ୟାଟିଂରେ ୨୭୩ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ଫଲୋଅନ୍‌ ଖେଳିବା ପ୍ରଶିକ୍ଷକମାନଙ୍କ ଅପାରଗତା ପ୍ରତି ଅଙ୍ଗୁଳି ନିର୍ଦେଶ କରୁନିକି ବୋଲି ପଚାରିଛନ୍ତି ଆମୀର। ଖେଳାଳିଙ୍କ ଆଡୁ ରଣନୀତିର ଘୋର ଅଭାବକୁ ସମାଲୋଚନା କରିଥିଲେ; କିନ୍ତୁ ଏହା ସିଧାସଳଖ ପ୍ରଶିକ୍ଷଣ ବିଭାଗର ଅପାରଗତା ବୋଲି ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ଅପ୍‌ଲୋଡ୍‌ କରିଥିବା ଭିଡିଓରେ କହିଛନ୍ତି ଆମୀର। ମୁଁ ଏହି ଟେଷ୍ଟରେ ୟାସିର୍‌ ସାହାଙ୍କ କିଛିଟା ପ୍ରୟାସକୁ ଦେଖିଲି। ସେ ତାଙ୍କ ବୋଲିଂ କରୁଥିବା ବାହୁକୁ ଉନ୍ନତ ଶୈଳୀରେ ବ୍ୟବହାର କରୁଥିଲେ; ହେଲେ ଦୁର୍ଭାଗ୍ୟବଶତଃ ୧୫୦ରୁ ଅଧିକ ରନ୍‌ ବ୍ୟୟ କରିଥିଲେ। ଏହାହିଁ ୟାସିର୍‌ଙ୍କ ବୋଲିଂର ବୈଶିଷ୍ଟ ବୋଧେ। ଯେତେବେଳେ ବି ସେ ଲମ୍ବା ସ୍ପେଲ୍‌ ବୋଲିଂ କରନ୍ତି ୧୫୦ରୁ ଅଧିକ ରନ୍‌ ବ୍ୟୟ କରନ୍ତି। ଆଉ ଯଦି ତୁମର ବୋଲରମାନେ ଯଥେ‌ଷ୍ଟ ରନ୍‌ ବ୍ୟୟ କରନ୍ତି ଏବଂ ଏକାଧିକ ୱିକେଟ୍‌ ଅକ୍ତିଆର କରିନପାରନ୍ତିନି ତାହାଲେ ମ୍ୟାଚ୍‌ ଜିତିବାର ଆଶା ବହୁତ କମିଯାଏ ବୋଲି ଆମୀର କହିଛନ୍ତି। ଆମେ ନସିମ୍‌ ସାହାଙ୍କ ପା୍ଖକୁ ଆସିବ‌ା। ତାଙ୍କର ବାରମ୍ବାର ଗୋଟିଏ ଆକ୍‌ସନ୍‌ ଦେଖିବାକୁ ମିଳେନି। ତାଙ୍କର ବାହୁର ଫଲୋଥ୍ରୁ ମଧ୍ୟ ସ୍ଥିର ନୁହେଁ। ମୁଁ ବାରମ୍ବାର କହିଆସୁଛି ‌ଯେ ଆମ ପ୍ରଶିକ୍ଷକଙ୍କ ନିକଟରେ ଏତେ ଲମ୍ବା ସମୟ ଥିବା ସତ୍ତ୍ବେ ଦଳ ତଥା ଖେଳାଳିଙ୍କର କୌଣସି ଉନ୍ନତି ପରିଲକ୍ଷିତ ହୋଇନାହିଁ। ପୁଣି ଆମେ ଯେତେବେଳେ ସାହିନ ସାହା ଆଫ୍ରିଦିଙ୍କ ବିଷୟରେ ଆଲୋଚନା କରିବା, ତାହାଲେ ସେ ଉନ୍ନତି କରିବା ନିଶ୍ଚିତ ଆବଶ୍ୟକ। କିନ୍ତୁ ହଠାତ୍‌ ତାଙ୍କଠାରେ ପତନ ‌ଦେଖିବାକୁ ପାଉଛେ ବୋଲି କହିଛନ୍ତି ଆମୀର। ତେଣୁ ଏତେସବୁ କହିବାର ଅର୍ଥ ହେଲା ‘‘ଏହିସବୁ ଦାୟିତ୍ବ କାହାର? କାହିଁକି ତାହାଲେ ପ୍ରଶିକ୍ଷକମାନଙ୍କୁ ରଖାଯାଇଛି? ସେମାନେ କ’ଣ କେବଳ ମଜାମସ୍ତି‌ରେ ବୁଲିବା ପାଇଁ ଅଛନ୍ତି? ଯଦି ସେମାନେ ବିଳାଶବ୍ୟସନ ଯାତ୍ରା କରିବାକୁ ଚାହାଁନ୍ତି, ତାହାଲେ ସେମାନଙ୍କୁ ବିଶ୍ବ ଭ୍ରମଣରେ ପଠାଯାଉ ଏବଂ ଖେଳାଳିମାନଙ୍କୁ ସେମାନଙ୍କ ସାମର୍ଥ୍ୟ ଅନୁଯାୟୀ ଖେଳିବାକୁ ଛାଡ଼ି ଦିଆଯାଉ’’ ବୋଲି ଆମୀର ସୋହେଲ ଗର୍ଜନ କରିଛନ୍ତି। ‘‘ମୁଁ ବାରମ୍ବାର ସୋହେଲ ଖା‌ନ୍‌ଙ୍କ ସଂପର୍କରେ କହିଆସୁଛି। ସେଥିରେ ମଧ୍ୟ କାରଣ ଥିଲା। ଯଦି ଗୋଟିଏ ଟେଷ୍ଟ୍‌ ମ୍ୟାଚ୍‌ରେ କିଛି ୱିକେଟ୍‌ ପାଇଁ ତୁମେ ମହମ୍ମଦ ଆବାସ୍‌ଙ୍କୁ ଖେଳାଅ, ଏବଂ ସେ ନୂଆ ବଲ୍‌ରେ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଆଉଟ୍‌ କରିବାର ସୁଯୋଗ ପାଇଲେନି ତାହାଲେ ତାଙ୍କୁ କାହିଁକି ଖେଳାଇବେ।
ଘରୋଇ ୟୁଟ୍ୟୁବ୍‌ ଚ୍ୟାନେଲ ପରିଚାଳନାରୁ ପ୍ରଶିକ୍ଷକଙ୍କୁ ରୋକିଲା ପିସିବି

କରାଚି: ପାକିସ୍ତାନ ପ୍ରଶିକ୍ଷକମାନେ ଏଣିକି ଘରୋଇ ୟୁଟ୍ୟୁବ୍‌ ଚ୍ୟାନେଲ ପରିଚାଳନା କରିପାରିବେନି। ଏଭଳି କଟକଣା ଜାରି କରିଛି ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି)। ଘରୋଇ କ୍ରିକେଟ୍‌ର ଢାଞ୍ଚାରେ ଉନ୍ନତି ଆଣିବା ପାଇଁ ପିସିବି ନିକଟରେ ପ୍ରଶିକ୍ଷକମାନଙ୍କ ଏକ ପ୍ୟାନେଲ ନିଯୁକ୍ତ କରିଥିଲା। ଯେଉଁମାନେ ପୂର୍ବରୁ ଦଳ ପାଇଁ ଭଲ ସେବା ଦେଇଥିଲେ ସେମାନଙ୍କୁ ଏହି ପ୍ୟାନେଲରେ ରଖିଥିଲା। ଏହି ପ୍ୟାନେଲରେ ମହମ୍ମଦ ୟୁସୁଫ୍‌ ବ୍ୟାଟିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି। ‌ଏଭଳି ସୁଯୋଗ ପାଇବା ପରେ ସେ ଖୁବ୍‌ ଖୁସୀ ଏବଂ ନିଜର ଜ୍ଞାନ ଓ ଅଭିଜ୍ଞତା ବଳରେ ଯୁବ କ୍ରିକେଟର୍‌ମାନଙ୍କୁ ସହାୟତା କରିପାରିବେ ବୋଲି ଦୃଢ଼ ବିଶ୍ବାସ ରଖିଛନ୍ତି ୟୁସୁଫ୍‌। ହେଲେ ପିସିବି ଏବେ ସେହିସବୁ ପ୍ରଶିକ୍ଷକଙ୍କ ପାଇଁ ନିର୍ଦିଷ୍ଟ ନିୟମାବଳୀ ଜାରି କରିଛି ଯାହାକି ପ୍ରଶିକ୍ଷକଙ୍କ ଚିନ୍ତାର କାରଣ ପାଲଟିଛି। ପାକ୍‌ ପାସନ୍‌ର ରିପୋର୍ଟ ଅନୁଯାୟୀ, ଏହି ପ୍ରଶିକ୍ଷକମାନେ ସେମାନଙ୍କ ଘରୋଇ ୟୁଟ୍ୟୁବ୍‌ ଚ୍ୟାନେଲ ପରିଚାଳନାରୁ ଦୂରେଇ ରହିବେ। ଇଞ୍ଜାମାମ୍‌ ଉଲ୍‌ ହକ୍‌, ସାକ୍‌ଲିନ୍‌ ମୁସ୍ତାକ, ସୋଏବ୍‌ ଅଖତର, ଫୈଜଲ୍‌ ଇକ୍‌ବାଲଙ୍କ ଭଳି କ୍ରିକେଟର୍‌ମାନେ ସେମାନଙ୍କ ଚ୍ୟାନେଲ୍‌ରେ ନିଜ ନିଜର ମତ ସେୟାର କରୁଛନ୍ତି। ପୁଣି ଅବ୍‌ଦୁଲ୍‌ ରଜାକ୍‌, ଆଇଜାଜ୍‌ ଚିମା, ବାସିତ୍‌ ଅଲ୍ଲୀ, ଫୈଜଲ ଇକ୍‌ବାଲ, ଗୁଲାମ ଅଲ୍ଲୀ, ହୁମାୟୁନ ଫର୍‌ହାତ, ଇର୍ଫାନ୍‌ ଫଜିଲ ଏବଂ ଜାଫର ଇକ୍‌ବାଲ ପ୍ରମୁଖ ଆଗାମୀ ଋତୁରେ କ୍ବାଇ-ଇ-ଆଜମ୍‌ ଟ୍ରଫିରେ ସେମାନଙ୍କ ପ୍ରଶିକ୍ଷକ ଦାୟିତ୍ବ ଆରମ୍ଭ କରିବେ। ଏହିସବୁ ଆନ୍ତର୍ଜାତିକ କ୍ରିକେଟର୍‌ଙ୍କ ବ୍ୟତୀତ ଅନ୍ୟାନ୍ୟ ପୂର୍ବତନ ପ୍ରଥମ ଶ୍ରେଣୀ ଖେଳାଳିମାନେ ମଧ୍ୟ ସେମାନଙ୍କ ପ୍ରଶିକ୍ଷକ ପଦାର୍ପଣ କରିବେ। ସେହିସବୁ ପ୍ରଥମ ଶ୍ରେଣୀ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଅଫ୍‌ତାବ ଖାନ୍‌, ଅସ୍‌ଲାମ କ୍ୟୁରେସୀ, ଫହାଦ୍‌ ମାସୁଦ, ହବିବ୍‌ ବାଲୁଚ, ହାଫିଜ ମଜିଦ୍‌ ଜାହାଙ୍ଗୀର, ହନିଫ୍‌ ମଲିକ ଏବଂ ମହମ୍ମଦ ସାଦିକ୍‌।

ପ୍ରଶିକ୍ଷକଙ୍କ ପାଇଁ ଏଭଳି କଟକଣା ଜାରି କରିଥିବା ପିସିବି ଏହା ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ ମିସ୍‌ବା ଉଲ୍‌ ହକ୍‌ଙ୍କୁ ଇଂଲଣ୍ଡ ଗସ୍ତରୁ ଦଳ ଫେରିବା ପରେ ମୁଖ୍ୟ ଚୟନକର୍ତା ପଦତ୍ୟାଗ କରିବାକୁ କହିସାରିଛି। କାରଣ ପିସିବି ଏବେ ଜଣେ ନୂଆ ଚୟନକର୍ତାଙ୍କୁ ନିଯୁକ୍ତ କରିବା ସପକ୍ଷରେ ରହିଛି। ଏପରିକି ଜଣେ ନାମୀ ପୂର୍ବତନ ଦ୍ରୁତ ବୋଲରଙ୍କୁ ଏହି ପଦରେ ନିଯୁକ୍ତ କରାଯିବ ବୋଲି ପିସିବି ସୂତ୍ରରୁ କୁହାଯାଇଛି।

ସମ୍ବନ୍ଧିତ ଖବର