ଇସଲାମାବାଦ: ବିଶ୍ବକପ୍ରେ ପାକିସ୍ତାନ ସେମିଫାଇନାଲ୍କୁ ନଯାଇପାରିଲେ, ଦଳର ନେତୃତ୍ବ ପରିବର୍ତ୍ତନ ହୋଇପାରେ। ପାକିସ୍ତାନ ଦଳ ଭାରତରୁ ଫେରିବା ପରେ ଅନ୍ୟ ଜଣେ ଉପଯୁକ୍ତ ଖେଳାଳିଙ୍କ କାନ୍ଧରେ ଦଳର ଭାର ହସ୍ତାନ୍ତର କରାଯିବ ବୋଲି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପରୋକ୍ଷରେ ସଙ୍କେତ ଦେଇଛି। ଶୁକ୍ରବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାକିସ୍ତାନ ପୁଣି ପରାଜୟର ସାମ୍ନା କରିଲେ ସେମିଫାଇନାଲ୍ ଦୌଡ଼ରୁ ଦୂରେଇ ଯିବ। ତେଣୁ ଦଳକୁ ସମସ୍ତ ୪ ମ୍ୟାଚ୍ ଜିତିବା ଜରୁରି ହୋଇପଡ଼ିଛି। ତେବେ ପାକିସ୍ତାନର ପ୍ରଦର୍ଶନ ଉପରେ ପିସିବି ଜାରି କରିଥିବା ବିବୃତ୍ତିରେ କୁହାଯାଇଛି ଯେ, ବିଜୟ ଓ ପରାଜୟ ଖେଳର ଏକ ଅଂଶ। ପାକିସ୍ତାନ ବିଶ୍ବକପ୍ ଦଳ ଗଠନ ପାଇଁ ଅଧିନାୟକ ବାବର ଆଜମ ଓ ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମ ଉଲ ହକ୍ଙ୍କୁ ପୂର୍ଣ୍ଣ ସ୍ବାଧିନତା ଦିଆଯାଇଥିଲା।
ତେଣୁ ବିଶ୍ବକପ୍ରେ ଦଳର ପ୍ରଦର୍ଶନକୁ ବିଚାର କରି ଆଗକୁ ପାକିସ୍ତାନ କ୍ରିକେଟ୍ର ବୃହତ୍ତର ଉନ୍ନତି ପାଇଁ ବୋର୍ଡ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବ। ତଥାପି ଏବେ ପ୍ରଶଂସକ, ପୂର୍ବତନ ଖେଳାଳି ଓ ପାକିସ୍ତାନ କ୍ରିକେଟ୍ ସହ ଜଡ଼ିତ ବ୍ୟକ୍ତିବିଶେଷମାନେ ଦଳକୁ ସମର୍ଥନ କରି ଉତ୍ସାହିତ କରିବାକୁ ପିସିବି ଅନୁରୋଧ କରିଛି। ଆଗକୁ ପାକିସ୍ତାନ ସମ୍ମୁଖରେ କିଛି ବଡ଼ ମ୍ୟାଚ୍ ରହିଛି। ତେଣୁ ଦଳ ନିଶ୍ଚିତ ରୂପେ ଉପରକୁ ଉଠିବ ବୋଲି ସକରାତ୍ମକ ରହିଛି ପାକିସ୍ତାନ ବୋର୍ଡ। ସୂଚନାଯୋଗ୍ୟ, ଆଫଗାନିସ୍ତାନଠୁ ପାକିସ୍ତାନର ପରାଜୟ ପରେ ପିସିବିର ବରିଷ୍ଠ ନେତୃତ୍ବମାନେ ବାବରଙ୍କ ଉପରେ ଖପ୍ପା ଅଛନ୍ତି। ପାକିସ୍ତାନ ଦଳ ସ୍ବଦେଶରେ ପହଞ୍ଚିବା ପରେ ସରଫରାଜ ଅହମଦ, ମହମ୍ମଦ ରିଜୱାନ ଓ ସାହିନ ଶାହ ଆଫ୍ରିଦିଙ୍କ ମଧ୍ୟରୁ ଜଣଙ୍କୁ ଅଧିନାୟକ ନିଯୁକ୍ତ କରାଯାଇପାରେ। ପାକିସ୍ତାନର ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ଏବଂ ୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପ୍ ଓ ୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ନୂଆ ଅଧିନାୟକଙ୍କ ନେତୃତ୍ବରେ ଦଳ ପ୍ରସ୍ତୁତି ଆରମ୍ଭ କରିବ ବୋଲି ପିସିବିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।