କରାଚି : ଏସିଆ କପ୍‌ ଆୟୋଜକ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ହାଇବ୍ରିଡ୍ ମଡେଲ୍‌ ପ୍ରସ୍ତାବକୁ ଏସିସି ସଦସ୍ୟ ବିରୋଧ କରୁଛନ୍ତି। ପିସିବି ଚାହୁଁଛି ନିରପେକ୍ଷ ଭେନ୍ୟୁରେ ଏସିଆ କପ୍‌ କରାଗଲେ ମଧ୍ୟ ମୋଟ ୧୩ ମ୍ୟାଚ୍‌ରୁ ୪ଟି ପାକିସ୍ତାନରେ ଖେଳାଯାଉ। ଅବଶିଷ୍ଟ ମ୍ୟାଚ୍‌ ସହିତ ଫାଇନାଲ୍ ନିରପେକ୍ଷ ଭେନ୍ୟୁରେ ଖେଳାଯାଉ। ପିସିବି ଅଧ୍ୟକ୍ଷ ନଜମ ସେଠୀ ଏହି ପ୍ରସ୍ତାବ ଦେଇଛନ୍ତି।

Advertisment

ଏକ‌ ପୋଡ଼କାଷ୍ଟ କାର୍ଯ୍ୟକ୍ରମରେ ଭାଗ ନେଇ ନଜମ କହିଛନ୍ତି, ହାଇବ୍ରିଡ୍ ମଡେଲ୍‌ ପ୍ରସ୍ତାବ ସଫଳ ହେଲେ ଏହାକୁ ଚଳିତ ବର୍ଷର ଦିନିକିଆ ବିଶ୍ବକପ୍‌ ବେଳେ ମଧ୍ୟ ପ୍ରୟୋଗ କରାଯାଇ ପାରିବ। ଅକ୍ଟୋବର-ନଭେମ୍ବରରେ ଦିନିକିଆ ବିଶ୍ବକପ୍‌ ଭାରତରେ ଖେଳାଯିବାକୁ ଥିବାବେଳେ ଏହା ପୂର୍ବରୁ ସେପ୍ଟେମ୍ବରରେ ଏସିଆ କପ୍‌ ଆ‌‌ୟୋଜନ ଅଧିକାର ପାକିସ୍ତାନ ପାଖରେ ରହିଛି। ଭାରତୀୟ ଦଳକୁ ପାକିସ୍ତାନ ଗସ୍ତ ଲାଗି ଭାରତ ସରକାର ଅନୁମତି ଦେଉନଥିବାରୁ ପିବିସି ବାରମ୍ବାର କହି ଆସିଛି, ‘ଭାରତ ଏସିଆ କପ୍‌ ପାଇଁ ପାକିସ୍ତାନ ନଆସିଲେ, ପାକିସ୍ତାନ ଦିନିକିଆ ବିଶ୍ବକପ୍‌ ଖେଳିବାକୁ ଭାରତ ଯିବ ନାହିଁ’। ହାଇବ୍ରିଡ୍ ମଡେଲ୍ ପ୍ରସ୍ତାବ ଅନୁସାରେ ପାକିସ୍ତାନ ୧୩ଟିରୁ ୪ଟି ନିଜ ମ୍ୟାଚ୍‌ ଘରୋଇ ପଡ଼ିଆରେ ଖେଳିବା ସହ ଫାଇନାଲ୍ ଆସିଲେ ନିରପେକ୍ଷ ଭେନ୍ୟୁ ପାଇଁ ପ୍ରସ୍ତୁତ ଅଛି ବୋଲି ନଜମ କହିଛନ୍ତି। ହାଇବ୍ରିଡ୍ ପ୍ରସ୍ତାବକୁ କିନ୍ତୁ ଶ୍ରୀଲଙ୍କା ଓ ବାଂଲାଦେଶ ବିରୋଧ କରି ଆସୁଥିବାରୁ ଭାରତର ନିଷ୍ପତ୍ତିକୁ ଏହା ସୁହାଉଛି।