ଭାରତରେ ବିଶ୍ବକପ୍‌ ଖେଳିବାକୁ ଯିବାପାଇଁ ବିସିସିଆଇଠୁ ଲିଖିତ ପ୍ରତିଶ୍ରୁତି ଚାହିଁଲା ପିସିବି

ପାକିସ୍ତାନ ଆତଙ୍କବାଦ କାର୍ଯ୍ୟକଳାପ ବନ୍ଦ କରିବା ପ୍ରତିଶ୍ରୁତି ଦେଉ: ବିସିସିଆଇ

କରାଚି: ଆଗାମୀ ୨୦୨୧ରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଏବଂ ୨୦୨୩ରେ ୫୦ ଓଭରିଆ ବିଶ୍ବକପ୍‌ ଭାରତରେ ଆୟୋଜିତ ହେବ। ଏହି ବିଶ୍ବକପ୍‌ ଖେଳିବା ପାଇଁ ପାକିସ୍ତାନ ଖେଳାଳି ଭାରତ ଯିବାରେ ଭିସା ସମସ୍ୟା ଉପୁଜିପାରେ ବୋଲି ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଚିନ୍ତା ପ୍ରକଟ କରିଛି। ସେତେବେଳେ ଭାରତ ଗସ୍ତ କରିବାରେ ଭିସା ସମସ୍ୟା ଯେଭଳି ନ ଉପୁଜେ ସେଥିନେଇ ବିସିସିଆଇ (ଭାରତୀୟ କ୍ରିକେଟ୍‌ ବୋର୍ଡ) ତାଙ୍କ ସରକାରଙ୍କଠୁ ସବୁଜସଂକେତ ଆଣିବା ଦରକାର। ଏପରିକି ବିସିସିଆଇ ସରକାରୀ ସବୁଜସଂକେତ ସଂପର୍କରେ ଆମକୁ ଲିଖିତ ପ୍ରତିଶୃତି ଦେଉ ବୋଲି ପିସିବି ଚାହିଁଛି। ଏହା ମଧ୍ୟ ପରବର୍ତୀ କିଛି ମାସ ମଧ୍ୟରେ ଦେବା ଜୁରୁରି। ପୁଣି ଏଭଳି ସରକାରୀ ଅନୁମତି ସଂପର୍କରେ ସ୍ପଷ୍ଟ କରିବାକୁ ବିସିସିଆଇକୁ ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ) ପରାମର୍ଶ ଦେଉ ବୋଲି ପିସିବି ମଧ୍ୟ କହିଛି। ଆମେ ଭାରତରେ ଆୟୋଜିତ ହେବାକୁ ଥିବା ସେହି ଦୁଇଟି ବିଶ୍ବକପ୍‌ ଉପରେ ନଜର ରଖିଛୁ। ସେଥିପାଇଁ ଆଇସିସିକୁ ମଧ୍ୟ ବିସିସିଆଇଠାରୁ ନିର୍ଭର ପ୍ରତିଶୃତି ଆଣିବାକୁ କହିଛୁ। ଯେପରି ଭିସା ପାଇବାରେ ଆମେ କୌଣସି ସମସ୍ୟାର ସମ୍ମୁଖୀନ ନହେବୁ ସେନେଇ ଭାରତ ସରକାର ସ୍ପଷ୍ଟ କରିବା ଉଚିତ ବୋଲି ପିସିବି ସିଇଓ ୱାସିମ୍‌ ଖାନ୍‌ ଏକ ସାକ୍ଷାତକାରରେ କହଛନ୍ତି।

ୱାସିମ୍‌ଙ୍କ କହିବା କଥା ହେଲା ଅଷ୍ଟ୍ରେଲିଆରେ ଚଳିତ ବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆୟୋଜନ ହେବା ଅନିଶ୍ଚିତ ହୋଇପଡ଼ିଛି। କୋଭିଡ୍‌-୧୯ ପାଇଁ ଯଦି ଏହି ବିଶ୍ବକପ୍‌ ସମ୍ଭବ ନହୁଏ, ତାହାଲେ ୨୦୨୧ରେ ହୋଇପାରେ। ତେବେ ୨୦୨୧ ବିଶ୍ବକପ୍‌ ଅଷ୍ଟ୍ରେଲିଆ ନା ଭାରତରେ ହେବ ସେନେଇ ଆଇସିସି କାର୍ଯ୍ୟନିର୍ବାହୀ କମିଟି ସ୍ଥିର କରିବ। ତେବେ ପୂର୍ବରୁ ୨୦୨୧ ବିଶ୍ବକପ୍‌ ଆୟୋଜନ ଅଧିକାର ଭାରତ ପାଇସାରିଥିବାରୁ ଏନେଇ ଏବେ ବି କିଛି ସ୍ପଷ୍ଟ ହୋଇନି। ତଥାପି ଯଦି ବି ଭାରତରେ ଆୟୋଜିତ ହୁଏ ତାହାଲେ ପାକିସ୍ତାନ ଯିବାକୁ ରାଜି। କିନ୍ତୁ ତା’ ପୂର୍ବରୁ ଆମର ଭିସା ନେଇ କୌଣସି ସମସ୍ୟା ଦେଖାଦେବନି ବୋଲି ଭାରତ ସରକାର ପ୍ରତିଶୃତି ଦେବା ଉଚିତ। କେବଳ ଭିସା ସଂପର୍କରେ ନୁହେଁ, ଆମ ଖେଳାଳି ଓ ଅଧିକାରୀଙ୍କ ସୁରକ୍ଷା ସାଙ୍ଗକୁ ନିରାପତ୍ତା ନେଇ ମଧ୍ୟ ପୂର୍ଣ୍ଣ ପ୍ରତିଶୃତି ଦେବାକୁ ପଡ଼ିବ ବୋଲି ୱାସିମ୍‌ କହିଛନ୍ତି। ୱାସିମ୍‌ ପୁଣି କହିଛନ୍ତି, ନିକଟରେ ଭାରତରେ ଖେଳିବା ପାଇଁ ଅଧିକାଂଶ ପାକିସ୍ତାନୀ ଦଳକୁ ସେଠା ସରକାରଙ୍କ ସବୁଜସଂକେତ ମିଳିନଥିଲା। ଏପରିକି ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ କ୍ରିକେଟ୍‌ ଶୃଙ୍ଖଳା ମଧ୍ୟ ପୁନଃଆରମ୍ଭ ହେବାର ସମ୍ଭାବନା ନାହିଁ। ସେହି ଦୃଷ୍ଟିରୁ ଆମେ ଆଗୁଆ ପ୍ରତିଶୃତି ଚାହୁଁଚୁ। ଅନ୍ୟପକ୍ଷରେ ବିଶ୍ବକପ୍‌ ଏକ ଆଇସିସି ପ୍ରତିଯୋଗିତା। ଆୟୋଜକ ଦୃଷ୍ଟିରୁ ସେଠାକୁ ଗସ୍ତ କରିବାକୁ ଥିବା ଦଳମାନଙ୍କ ସୁରକ୍ଷା ଓ ନିରାପତ୍ତା ଦାୟିତ୍ବ ଭାରତ ସରକାରଙ୍କର। ଆମର ମଧ୍ୟ ବିସିସିଆଇ ସହ ଭଲ ସଂପର୍କ ରହିଛି। ହେଲେ ଭାରତ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନହେଲେ ଆମକୁ ବିଶ୍ବକପ୍‌ ଖେଳିବାକୁ ଯିବା ସହଜ ହେବନି ବୋଲି ୱାସିମ୍‌ କହିଛନ୍ତି।

ନୂଆଦିଲ୍ଲୀ: ଭାରତରେ ଆୟୋଜିତ ହେବାକୁ ଥିବା ଆଗାମୀ ୨୦୨୧ରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଏବଂ ୨୦୨୩ରେ ୫୦ ଓଭରିଆ ବିଶ୍ବକପ୍‌ରେ ଅଂଶ ଗ୍ରହଣ କରିବାକୁ ହେଲେ ଭାରତ ସରକାରଙ୍କଠୁ ଆଗୁଆ ଭିସା ଅନୁମତି ନେଇ ନିର୍ଭର ପ୍ରତିଶୃତି ଚାହିଁଛି ପାକିସ୍ତାନ କ୍ରକେଟ୍‌ ବୋର୍ଡ (ପିସିବି)। ଏନେଇ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ)ଠାରୁ ଲିଖିତ ପ୍ରତିଶୃତି ମଧ୍ୟ ଦାବି କରିଛି ପିସିବି। ତେବେ ବିସିସିଆଇ ଏହାର ଉତ୍ତରରେ ପ୍ରଥମେ ପାକିସ୍ତାନ ଆତଙ୍କବାଦ କାର୍ଯ୍ୟକଳାପ ବନ୍ଦ କରିବାର ପ୍ରତିଶୃତି ଦେଇପାରିବ କି ବୋଲି ପ୍ରଶ୍ନ କରିଛି। ଯଦି ପାକିସ୍ତାନ ଆଦଙ୍କବାଦ କାର୍ଯ୍ୟକଳାପ ବନ୍ଦ କରିବାର ପ୍ରତିଶୃତି ଦେଇପାରିବ ତାହାଲେ ଭାରତ ସରକାର ତାଙ୍କ ଖେଳାଳିଙ୍କୁ ଭିସା ଦେବାରେ କୌଣସି ସମସ୍ୟା ସୃଷ୍ଟି କରିବେନି ବୋଲି ବିସିସିଆଇ ରୋକ୍‌ଠୋକ୍‌ ଜଣାଇଦେଇଛି। କ୍ରୀଡ଼ା ପରିଚାଳନା ବା ପ୍ରତିଯୋଗିତା ପରିଚାଳନା କୌଣସି ସରକାରୀ ହସ୍ତକ୍ଷେପ ରହିପାରିବନି ବୋଲି ଆଇସିସିର ସ୍ପଷ୍ଟ ନିୟମ ରହିଛି। ସେହି ନିୟମ ମଧ୍ୟ କ୍ରିକେଟ୍‌ ବୋର୍ଡଙ୍କ ପାଇଁ ପ୍ରଯୁଜ୍ୟ। ତେଣୁ ଭାରତ ସରକାରଙ୍କଠୁ ପ୍ରତିଶୃତି ମାଗିବା ପିସିବି ପାଇଁ ଉଚିତ ନୁହେଁ। କାରଣ ସୀମାରେ ପାକିସ୍ତାନ ଆତଙ୍କବାଦ କାର୍ଯ୍ୟକଳାପ ବନ୍ଦ କରିପାରିବ ବୋଲି ପିସିବି ଭାରତକୁ ନିର୍ଭର ତଥା ଲିଖିତ ପ୍ରତିଶୃତି ଦେଇପାରିବ କି ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ପ୍ରଶ୍ନ କରିଛନ୍ତି। ବରଂ ଭାରତ ଏକ ଶାନ୍ତିପ୍ରିୟ ଦେଶ। ସନ୍ତୁଳିତ ଉପାୟରେ ହିଁ ଦେଶ ସବୁକିଛି କରିବାକୁ ଆଗଭର। ଯେକୌଣସି ବହୁଦଳୀୟ ପ୍ରତିଯୋଗିତାରେ ଭାଗ ନେଉଥିବା ବିଭିନ୍ନ ଦେଶର ଆଥ୍‌ଲେଟ୍‌ମାନଙ୍କୁ ଭାରତ ସରକାର ଭିସା ମଞ୍ଜୁର କରିଛନ୍ତି। ପାକିସ୍ତାନ କ୍ଷେତ୍ରରେ କାହିଁକି ବ୍ୟତିକ୍ରମ ‌ହେବ ବୋଲି ସେ ପଚାରିଛନ୍ତି। ତେଣୁ ବିଶ୍ବକପ୍‌ ଖେଳିବାକୁ ଆସିବାକୁ ଥିବା ଖେଳାଳି ଓ ଅଧିକାରୀଙ୍କ ଭିସା ପାଇବାରେ ସମସ୍ୟା ଉପୁଜିବା କଥା ଆମେ ଚିନ୍ତା କରିପାରୁନୁ ବୋଲି ବିସିସିଆଇ ଅଧିକାରୀ କହିଛନ୍ତି। ଏପରିସ୍ଥଳେ ୱାସିମ୍‌ ଖାନ୍‌ଙ୍କ ବିବୃତି କିଛି ମାନେ ରଖେନି ବୋଲି ବିସିସିଆଇ କହିଛି।

ସମ୍ବନ୍ଧିତ ଖବର