ବିସିସିଆଇକୁ ୬୦ ପ୍ରତିଶତ କ୍ଷତିପୂରଣ ଦେବ ପିସିବି

ଦୁବାଇ: ବୁଝାମଣା ମୁତାବକ ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳାଯାଉନଥିବାରୁ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ)କୁ ଦାୟୀ କରି ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) କ୍ଷତିପୂରଣ ପାଇଁ ଆଇସିସି (ଆନ୍ତର୍ଜାତୀୟ କ୍ରି‌କେଟ୍‌ ପରିଷଦ) ନିକଟରେ ମାମଲା ଦାୟର କରିଥିଲା। ହେଲେ ଏହି ମାମଲାକୁ ଆଇସିସି ଖାରଜ କରିଦେଇଥିଲା। ତେବେ ଆଇସିସିରେ ଏହି ମାମଲା ଲଢ଼ିବା ପାଇଁ ଯେଉଁ ଖର୍ଚ ହୋଇଥିବ ତା’ର କ୍ଷତି ଭରଣା ପାଇଁ ପିସିବି ବିପକ୍ଷରେ ବିସିସିଆଇ ପାଲଟା ମାମଲା ଦାୟର କରିଥିଲା। ବୁଧବାର ଏହି ମାମଲାର ରାୟ ଶୁଣାଇଛି ଆଇସିସି। ବିସିସିଆଇକୁ ଦାବି ଅର୍ଥର ୬୦ ପ୍ରତିଶତ କ୍ଷତିପୂରଣ ପ୍ରଦାନ କରିବାକୁ ପିସିବିକୁ ଆଇସିସି ନିର୍ଦେଶ ଦେଇଛି। ଏଠାରେ ସୂଚନାଯୋଗ୍ୟ, ଉଭୟ ଦେଶ ୨୦୧୫ରୁ ୨୦୨୩ ମଧ୍ୟରେ ୬ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିବା ନେଇ ଚୁକ୍ତି କରିଥିଲେ। ହେଲେ ଭାରତ ଏହାକୁ ନ ମାନିବାରୁ କ୍ଷତି ହୋଇଥିଲା ବୋଲି ଆଇସିସି ନିକଟରେ ପିସିବି ଅଭିଯୋଗ କରିଥିଲା।

ଏଥିସହ ୪୪୭ କୋଟି ଟଙ୍କାର କ୍ଷତିପୂରଣ ମଧ୍ୟ ଦାବି କରିଥିଲା। ହେଲେ ଏହି ଅଭିଯୋଗ ଆଇସିସି ଖାରଜ କରି ଦେଇଥିଲା। ଅନ୍ୟପକ୍ଷରେ ପିସିବିର ଏହି ଅଭିଯୋଗ ପାଇଁ ବିସିସିଆଇ ଆଦାଲତ କାର୍ଯ୍ୟରେ ୧୫ କୋଟି ଟଙ୍କା ଖର୍ଚ କରିଥିଲା। ଏହାର କ୍ଷତି ପୂରଣ ପାଇଁ ବିସିସିଆଇ ମଧ୍ୟ ଆଇସିସିର ଦ୍ବାରସ୍ଥ ହୋଇଥିଲା। ଆମେ ଖେଳିବା ଲାଗି ଚୁକ୍ତି କରିଥିଲୁ, କିନ୍ତୁ ଏଥିରେ କୌଣସି ଅର୍ଥିକ ଦେଣନେଣକୁ ନେଇ କିଛି ନଥିଲା। ‌ସରକାର ଅନୁମତି ନଦେବାରୁ ଆମେ ପାକିସ୍ତାନରେ ଖେଳୁନୁ ବୋଲି ବିସିସିଆଇ ଯୁକ୍ତି ବାଢ଼ିଥିଲା। ଉଭୟ ଦେଶ ମଧ୍ୟରେ ଏହି ବିବାଦର ସମାଧାନ ଲାଗି ଆଇସିସି ତିନି ଜଣିଆ ଏକ ସମିତି (ଡିଆର୍‌ସି) ଗଠନ କରିଥିଲା। ସମିତି ଦୁଇ ପକ୍ଷଙ୍କ ଯୁକ୍ତି ଶୁଣିଥିଲା। ବୁଧବାର ଏହାର ଶୁଣାଣି କରି ବିସିସିଆଇକୁ କ୍ଷତିପୂରଣ ବାବଦରେ ୬୦ ପ୍ରତିଶତ ଦେବାକୁ ପିସିବିକୁ ନିର୍ଦେଶ ଦେଇଛି। ଏଥିସହ ସମିତି ଗଠନ ପାଇଁ ହୋଇଥିବା‌ ଖର୍ଚର ୪୦ ପ୍ରତିଶତ ବିସିସିଆଇ ପ୍ରଦାନ କରିବା ଲାଗି ମଧ୍ୟ ନିର୍ଦେଶ ଦେଇଛି।

ସମ୍ବନ୍ଧିତ ଖବର