ଇସଲାମାବାଦ୍ : ଏସିଆ କପ୍ରେ ପାକିସ୍ତାନରେ ହେବାକୁ ଥିବା ମ୍ୟାଚ୍ ସଂଖ୍ୟାରେ ବୃଦ୍ଧି କରିବାକୁ ଏହାର କ୍ରିକେଟ୍ ବୋର୍ଡ ପିସିବି ଦାବି ଉପସ୍ଥାପନ କରିବ। ଦୁବାଇରେ ହେବାକୁ ଥିବା ଏସିଆ କ୍ରିକେଟ୍ ପରିଷଦ (ଏସିସି) ବୈଠକରେ ପିସିବି କ୍ରିକେଟ୍ କମିଟି ମୁଖ୍ୟ ଜାକା ଆସ୍ରଫ୍ ଏହି ଦାବି ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି। ଏସିସି ପକ୍ଷରୁ ପ୍ରସ୍ତୁତ ହୋଇଥିବା ସୂଚୀ ଅନୁସାରେ ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୧୭ ତାରିଖ ମଧ୍ୟରେ ପାକିସ୍ତାନରେ ୪ ମ୍ୟାଚ୍ ଏବଂ ଶ୍ରୀଲଙ୍କାରେ ୯ ମ୍ୟାଚ୍ ଆୟୋଜିତ ହେବ। ଭାରତ ଏହି ପ୍ରତିଯୋଗିତାରେ ଖେଳିବାକୁ ପାକିସ୍ତାନ ଯିବା ପାଇଁ ଅମଙ୍ଗ ହେବାରୁ ଏସିସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିଲା। ସେତେବେଳେ ଯଦିଓ ପିସିବି ଦାୟିତ୍ବରେ ଆସ୍ରଫ୍ ନଥିଲେ, କିନ୍ତୁ ଏବେ ସେ କ୍ଷମତାକୁ ଆସିବା ପରେ ପୁଣି ଥରେ ଏସିଆ କପ୍ ସୂଚୀରେ ପରିବର୍ତ୍ତନ ଲାଗି ଏସିସି ଉପରେ ଚାପ ପକାଇବାକୁ ଯୋଜନା କରିଛନ୍ତି।
ଅନ୍ୟପକ୍ଷରେ ଏସିଆ କପ୍ ଆୟୋଜନ ସମୟରେ ଶ୍ରୀଲଙ୍କାରେ ଅସ୍ବଭାବିକ ପାଣିପାଗ ରହିବାକୁ ଥିବାରୁ ଏହାର ଫାଇଦା ଉଠାଇବାକୁ ପିସିବି ଲକ୍ଷ୍ୟ ରଖିଛି। ଯଦିଏ ଏହି ଦାବି ଏସିସି ଉପରେ କୌଣସି ଫରକ ପକାଇବନି, ତଥାପି ପାଣିପାଗ ସ୍ଥିତିକୁ ନଜରରେ ରଖି ପାକିସ୍ତାନକୁ ଅଧିକ ମ୍ୟାଚ୍ ମିଳିପାରେ ବୋଲି ପିସିବି ଆଶା ରଖିଛି।