କ୍ରାଏଷ୍ଟଚର୍ଚ: ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଦ୍ୱିତୀୟ ତଥା ଶେଷ ଟେଷ୍ଟ୍‍ରେ ଇଂଲଣ୍ଡ ନିଜ ସ୍ଥିତି ଦୃଢ଼ କରି ନେଇଛି। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୩ ଓ୍ଵିକେଟ୍‌ରେ ୨୦୨ ରନ୍‌ ସଂଗ୍ରହ କରି ନେଇଥିବାରୁ ମୋଟ ଉପରେ ୨୩୧ ରନ୍‌ରେ ଆଗୁଆ ରହିଛି। ପୂର୍ବରୁ ପ୍ରଥମ ପାଳିରେ ଇଂଲଣ୍ଡର ୩୦୭ ରନ୍‌ ଜବାବରେ ନ୍ୟୁଜିଲାଣ୍ଡ୍‌ ୨୭୮ ରନ୍‌ କରିଥିଲା। ଅଦ୍ୟାବଧି ପତନ ହୋଇଥିବା ସମସ୍ତ ୨୩ ଓ୍ଵିକେଟ୍‌ ଦ୍ରୁତ ବୋଲର ଦଖଲ କରିନେବା ଏହି ଟେଷ୍ଟ୍‍କୁ ବିରଳ କ୍ଲବ୍‌ରେ ସାମିଲ କରିବା ସମ୍ଭାବନା ଦେଖାଇଛି।

Advertisment

ହଗ୍‌ଲେ ଓଭାଲ୍‌ରେ ଚାଲିଥିବା ଏହି ଟେଷ୍ଟ୍‍ରେ ରବିବାର ନ୍ୟୁଜିଲାଣ୍ଡ୍‌ ୧୯୨/୬ରୁ ଖେଳିଥିଲେ ମଧ୍ୟ ୨୭୮ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇ ପ୍ରଥମ ପାଳି ବ୍ୟବଧାନକୁ ୨୯ ରନ୍‌ରେ ସୀମିତ ରଖିଥିଲା। ଓ୍ଵାଟଲିଙ୍ଗ୍‌ (୮୫) ଏବଂ ଟିମ୍‌ ସାଉଦି (୫୦)ଙ୍କ ଅବଦାନକୁ ଆଣ୍ଡରସନ୍‌ ଶେଷ କରିଥିଲେ। ଉଭୟଙ୍କୁ ସେ ବୋଲ୍‌ଡ କରି ଦେଇଥିଲେ। ଷ୍ଟୁଆର୍ଟ ବ୍ରଡ୍‌ (୬/୫୪) ଏବଂ ଜେମ୍‌ସ ଆଣ୍ଡରସନ୍‌ (୪/୭୬) ସମସ୍ତ ଓ୍ଵିକେଟ୍‌ ବାଣ୍ଟି ନେଇଥିଲେ। ଇଂଲଣ୍ଡ ଦ୍ୱିତୀୟ ପାଳିରେ ଆଲେଷ୍ଟର୍‌ କୁକ୍‌ (୧୪)ଙ୍କୁ ସଅଳ ହରାଇଥିଲା। କିନ୍ତୁ ମାର୍କ ଷ୍ଟୋନ୍‌ମ୍ୟାନ୍‌ (୬୦, ୧୩୯ ବଲ୍‌, ୬ ଚୌକା) ଏବଂ ଜେମ୍‌ସ ଭିନ୍‌ସ (୭୬, ୧୨୮ ବଲ୍‌, ୧୦ ଚୌକା) ଦ୍ୱିତୀୟ ଓ୍ଵିକେଟ୍‌ ଭାଗୀଦାରିରେ ୧୨୩ ରନ୍‌ ଯୋଡ଼ି ଅତିଥି ଦଳକୁ ସୁଯୋଗ ଦେଇଥିଲେ। ଅବଶ୍ୟ ଉଭୟ ଚା’ପାନ ବିରତି ପରେ ଆଉଟ୍‌ ହୋଇଯାଇଥିଲେ। ତୃତୀୟ ଦିନ ଖେଳ ଶେଷ ବେଳକୁ ଜୋ ରୁଟ୍‌ (୩୦*) ଏବଂ ଡେଭିଡ୍‌ ମଲାନ୍‌ (୧୯*) ବ୍ୟାଟିଂ କରୁଥିଲେ। ସୂଚନାଯୋଗ୍ୟ, ପ୍ରଥମ ଟେଷ୍ଟ୍‍କୁ ନ୍ୟୁଜିଲାଣ୍ଡ୍‌ ଜିତି ୨ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି।

ସଂକ୍ଷିପ୍ତ ସ୍କୋର୍‌: ଇଂଲଣ୍ଡ ପ୍ରଥମ ପାଳି: ୩୦୭ (ଜନି ବେୟାରଷ୍ଟୋ-୧୦୧, ମାର୍କ ଉଡ୍‌-୫୨, ଟିମ୍‌ ସାଉଦି-୬/୬୨, ଟ୍ରେଣ୍ଟ୍‌ ବୋଲ୍‌ଟ-୪/୮୭)। ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି: ୯୩.୩ ଓଭରରେ ୨୭୮ (କଲିନ୍‌ ଗ୍ରାଣ୍ଡ୍‌ହୋମ୍‌-୭୨, ବିଜେ ଓ୍ଵାଟଲିଙ୍ଗ୍‌-୮୫, ଟିମ୍‌ ସାଉଦି-୫୦, ନିଲ୍‌ ଓ୍ଵାଗ୍‌ନର୍‌-୨୪*, ଷ୍ଟୁଆର୍ଟ ବ୍ରଡ୍‌-୬/୫୪, ଜେମ୍‌ସ ଆଣ୍ଡରସନ୍‌-୪/୭୬)। ଇଂଲଣ୍ଡ ଦ୍ୱିତୀୟ ପାଳି: ୬୬ ଓଭରରେ ୨୦୨/୩ (ମାର୍କ ଷ୍ଟୋନ୍‌ମ୍ୟାନ୍‌-୬୦, ଜେମ୍‌ସ ଭିନ୍‌ସ-୭୬, ଟ୍ରେଣ୍ଟ୍‌ ବୋଲ୍‌ଟ-୨/୩୮, ଟିମ୍‌ ସାଉଦି-୧/୪୨)।

ନୂଆ ବଲ୍‌ରେ ତୃତୀୟ ଥର ୨୦ ଓ୍ଵିକେଟ୍‌
କ୍ରାଏଷ୍ଟଚର୍ଚ: ଚଳିତ ଇଂଲଣ୍ଡ-ନ୍ୟୁଜିଲାଣ୍ଡ୍‌ ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ ଏକ ବିରଳ କୃତିତ୍ୱ ନଜରକୁ ଆସିଛି। ଟେଷ୍ଟ୍‍ କ୍ରିିକେଟ୍‌ ଇତିହାସରେ ମାତ୍ର ତୃତୀୟ ଥର ପାଇଁ ଉଭୟ ଦଳର ନୂଆ ବଲ୍‌ ବୋଲର ହିଁ ସମସ୍ତ ୨୦ ଓ୍ଵିକେଟ୍‌ ବାଣ୍ଟି ନେଇଛନ୍ତି। ନ୍ୟୁଜିଲାଣ୍ଡ୍‌ର ଟିମ୍‌ ସାଉଦି (୬/୬୨), ଟ୍ରେଣ୍ଟ୍‌ ବୋଲ୍‌ଟ (୪/୮୭)ଙ୍କ ସହ ତାଳ ଦେଇ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍‌ (୬/୫୪) ଓ ଜେମ୍‌ସ ଆଣ୍ଡରସନ୍‌ (୪/୭୬) ସମାନ ଢ଼ଙ୍ଗରେ ଓ୍ଵିକେଟ୍‌ ବଣ୍ଟୁଆରା କରି ନେଇଛନ୍ତି। ଟେଷ୍ଟ୍‍ କ୍ରିକେଟ୍‌ ଇତିହାସରେ ପୂର୍ବରୁ ଦୁଇ ଥର ୧୯୦୨ ଏବଂ ୧୯୧୨ ମସିହାରେ ଏଭଳି ଘଟଣା ଘଟିଥିଲା। ଏପର୍ଯ୍ୟନ୍ତ ପତନ ହୋଇଥିବା ସମସ୍ତ ୨୩ ଓ୍ଵିକେଟ୍‌ ମଧ୍ୟ ଦ୍ରୁତ ବୋଲରଙ୍କୁ ମିଳିଛି। ଇଂଲଣ୍ଡର ପରବର୍ତୀ ଓ୍ଵିକେଟ୍‌ ଯଦି ସାଉଦି-ବୋଲ୍‌ଟଙ୍କ ମଧ୍ୟରୁ କେହି ନିଅନ୍ତି ତେବେ ପ୍ରଥମ ଥର ପାଇଁ ସମାନ ୪ ଜଣ ବୋଲର ୨୪ ଓ୍ଵିକେଟ୍‌ ଦଖଲ କରିବେ। କେବଳ ନୂଆ ବଲ୍‌ ବୋଲରଙ୍କୁ ଛାଡ଼ିଦେଲେ ମଧ୍ୟ ୪ ବୋଲର୍‌ ପ୍ରଥମ ୨୦ ଓ୍ଵିକେଟ୍‌କୁ ବାଣ୍ଟିନେବାରେ ଏହା ଚତୁର୍ଥ ଉଦାହରଣ। ୧୮୮୭ ଏବଂ ୧୯୮୧ରେ ମଧ୍ୟ ଏଭଳି ଘଟିଥିଲା। ଶେଷ ଥର ପାଇଁ ୧୯୮୧ରେ ଇଆନ୍‌ ବୋଥାମ୍‌, ବବ୍‌ ଓ୍ଵିଲିସ୍‌, ଡେନିସ୍‌ ଲିଲି, ଟେରି ଆଲଡରମ୍ୟାନ୍‌ ମିଳିତ ଭାବେ ୨୦ ଓ୍ଵିକେଟ ନେଇଥିଲେ।