ପେଲେ @୮୦: ବ୍ରାଜିଲ୍‌କୁ ଦେଲେ ଧନ୍ୟବାଦ

ସାଓ ପାଓଲୋ : ଅଧିକାଂଶ ବିଚାରରେ ସର୍ବକାଳୀନ ମହାନ୍‌ ଫୁଟ୍‌ବଲ୍‌ ତାରକା ଭାବେ ପରିଗଣିତ ପେଲେ ୮୦ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୪୦ ମସିହା ଅକ୍ଟୋବର ୨୩ ତାରିଖରେ ଦକ୍ଷିଣ ବ୍ରାଜିଲର ଟ୍ରେସ୍‌ କୋରାକୋସ୍‌ ସହରରେ ଜନ୍ମ ଗ୍ରହଣ କରିଥିଲେ ପେଲେ। ଯାହାଙ୍କ ପ୍ରକୃତ ନାମ ଏଡ୍‌ସନ୍‌ ଆରାଣ୍ଟେସ୍‌ ଡୋ ନାସିମେଣ୍ଟୋ। ଶୁକ୍ରବାର ଏହି ମହାନ୍‌ ବ୍ରାଜିଲ ତାରକା ତଥା ଫୁଟ୍‌ବଲ୍‌ କିଂବଦନ୍ତି ନିଜର ୮୦ତମ ଜନ୍ମ ଦିବସକୁ ଖୁବ୍‌ ଖୁସୀରେ ପାଳନ କରିଛନ୍ତି। ‌କରୋନା ମହାମାରୀ ଯୋଗୁଁ ଧୂମ୍‌ଧାମ୍‌ ଉତ୍ସବ ମନାଇନଥି‌ଲେ ମଧ୍ୟ ବ୍ରାଜିଲ୍‌ରେ ନିଜ ବାସଭବନରେ ରହି ସେ ଜନ୍ମଦିନର ସଂକେତ ଦେଇଥିଲେ। ୮୦ ବର୍ଷ ବୟସ ସତ୍ତ୍ବେ ନିଜର ଚିରାଚରିତ ହାସ୍ୟ ବଦନରେ ସେ ଅନେକ ମାଇଲଖୁଣ୍ଟ‌ କଥା ମନେ ପକାଇଦେଇଥିଲେ। କିଛି ବର୍ଷ ଧରି ଏହି ଫୁଟ୍‌ବଲ ସମ୍ରାଟ୍‌ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାରେ ପଡ଼ିଛନ୍ତି। ଅଧିକାଂଶ ସମୟ ସେ ହସ୍ପିଟାଲକୁ ଯିବା ଆସିବା ଚଲାଇଛନ୍ତି। ଗତବର୍ଷ କିଡ୍‌ନି ସମସ୍ୟା ଯୋଗୁଁ ହଠାତ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୨୦୧୪ରେ ମଧ୍ୟ ସେ ମୂତ୍ର ସଂକ୍ରମଣ ଯୋଗୁଁ ଅସୁସ୍ଥ ହୋଇପଡ଼ି ଆଇସିୟୁରେ ଭର୍ତ୍ତି ହୋଇଥିଲେ। ହେଲେ କଦାପି ତାଙ୍କ ଚେହେରାର ଚମକ କିମ୍ବା ମନୋବଳ ହରାଇନାହାନ୍ତି। ‘‘ମୁଁ ପୂରା ଭଲ ଅଛି, କେବଳ ଏତିକି ଯେ ମୁଁ ଖେଳିବାକୁ ସମର୍ଥ ହେଉନି’’ ବୋଲି ଜନ୍ମଦିନରେ ପେଲେ କୌତୁକିଆ ମନ୍ତବ୍ୟ ଦେଇଛନ୍ତି। ବ୍ରାଜିଲ ଫୁଟ୍‌ବଲ୍‌ କନ୍‌ଫେଡେରେସନ୍‌ର ମୁଖ୍ୟଙ୍କ ସହ ଚଳିତ ସପ୍ତାହରେ ବାର୍ତାଳାପ ବେଳେ ଏଭଳି କହିଥିଲେ ପେଲେ।

ସୂଚନାଯୋଗ୍ୟ, ବିଶ୍ବ ଫୁଟ୍‌ବଲ ଇତିହାସରେ ତିନିଟି ବିଶ୍ବକପ୍‌ ଜିତିବାରେ ଏକମାତ୍ର ଖେଳାଳି ହେଉଛନ୍ତି ପେଲେ। ସେ ୧୯୫୮, ୧୯୬୨ ଓ ୧୯୭୦ ବିଶ୍ବକପ୍‌ ଜିତିଥିଲେ। ପ୍ରତିବର୍ଷ ଭଳି ଏହି ମହାନ୍‌ ତାରକା ଏଥର ମଧ୍ୟ ତାଙ୍କ ଜନ୍ମଦିନକୁ ନିରୋଳାରେ ପାଳନ କରିବାର ଯୋଜନା କରିଥିଲେ। ତେଣୁ ଏଥର କରୋନାକୁ ନେଇ ସେଭଳି କିଛି ବ୍ୟତିକ୍ରମ ଘଟିନି ବୋଲି କହିଛନ୍ତି। ହେଲେ ଜନ୍ମଦିନରେ ତାଙ୍କୁ ସମ୍ମାନ ଜଣାଇବା ପାଇଁ ବ୍ରାଜିଲ୍‌ରେ କେତେକ ଯୋଜନା ଚାଲିଛି। ସାଉ ପାଉଲୋ ଫୁଟ୍‌ବଲ ମ୍ୟୁଜିୟମ୍‌ରେ ମଧ୍ୟ ଏକ ପ୍ରଦର୍ଶନୀ ଜରିଆରେ ତାଙ୍କୁ ଶ୍ରଦ୍ଧା ଜଣାଯାଇଛି। ଜଣାଶୁଣା ଗଳି ଚିତ୍ରଶିଳ୍ପୀ କୋବ୍ରା ଏହାକୁ ରୂପ ଦେଇଛନ୍ତି। ପେଲେ ମଧ୍ୟ ଜର୍ମାନି-ବିଜେତା ମେକ୍ସିକୋ ଯୋଡ଼ି ରୋଦ୍ରିଗୋ ଏବଂ ଗାବ୍ରିଏଲାଙ୍କ ସହ ଏକ ଗୀତ ରେକର୍ଡିଂ କରିଥିଲେ।

ଶୁକ୍ରବାର ‘‘ଜନ୍ମଦିନ ପାଇଁ ବିଶେଷକରି ବ୍ରାଜିଲ ଏବଂ ସମସ୍ତ ବ୍ରାଜିଲବାସୀଙ୍କୁ ଧନ୍ୟବାନ ଜଣାଇଛନ୍ତି। ମୁଁ ୧୦ ନମ୍ବର ଜର୍ସି ପରିଧାନ କରିଥିବାରୁ ସବୁବେଳେ ଖୁବ୍‌ ଖୁସୀ ଥିଲି। ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିବାରୁ ତୁମ ସମସ୍ତଙ୍କୁ ଧନ୍ୟବାଦ’’ ବୋଲି ଲେଖି ପେଲେ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଥିଲେ। ଏପରିକି ସେ ମଧ୍ୟ ନିଜେ ଦେଇଥିବା ୧୨୮୧ ଗୋଲ୍‌ ମଧ୍ୟରୁ ଗୋଟିକରେ ଉତ୍ସବ ମନାଉଥିଲା ବେଳର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର