ସାଓ ପାଓଲୋ, ୨୭/୪: ବ୍ରାଜିଲ୍ର ଏକ ଅଭିଧାନରେ ମହାନ ଫୁଟ୍ବଲର୍ ‘ପେଲେ’ଙ୍କ ନାମକୁ ଯୋଡ଼ାଯାଇଛି। ‘ପେଲେ’ ଶବ୍ଦକୁ ଏକ ବିଶେଷଣ ଭାବେ ବ୍ୟବହାର କରାଯାଇଥିଲା ବେଳେ ଏହାର ଅର୍ଥ ‘ଅସାଧାରଣ, ଅତୁଳନୀୟ ଓ ସ୍ବତନ୍ତ୍ର’ ବୋଲି ଦର୍ଶାଯାଇଛି। ବୁଧବାର ପର୍ତ୍ତୁଗୀଜ ଭାଷାରେ ପ୍ରକାଶିତ ହେଉଥିବା ମିଚେଲିସ୍ ଅଭିଧାନ ପକ୍ଷରୁ ଏସଂକ୍ରାନ୍ତରେ ଘୋଷଣା କରାଯାଇଛି। ପୂର୍ବରୁ ବିଶ୍ବ ଫୁଟ୍ବଲ୍ରେ ପେଲେଙ୍କ ଅବଦାନ ପାଇଁ ତାଙ୍କୁ ସ୍ବତନ୍ତ୍ର ସ୍ଥାନ ଦେବାକୁ ସ୍ବେଚ୍ଛାସେବୀ ସଂସ୍ଥା ସ୍ପେର୍ଟଭି, ପେଲେ ଫାଉଣ୍ଡେସନ୍, ସାଣ୍ଟୋସ୍ ଏଫ୍ସି ସହ ଆଉ କିଛି ସଂସ୍ଥା ଦସ୍ତଖତ ସଂଗ୍ରହ ଅଭିଯାନ ଚଳାଇଥିଲେ। କୌଣସି ଅଭିଧାନରେ ପେଲେଙ୍କୁ ସାମିଲ କରାଯିବାକୁ ଚର୍ଚ୍ଚା ହେଉଥିଲା ବେଳେ ଏଥିପାଇଁ ଲକ୍ଷେ ୨୫ ହଜାର ଦସ୍ତଖତ ସଂଗୃହୀତ ହୋଇଥିଲା। ଏହି ଅଭିଯାନରେ ମିଚେଲିସ୍ ମଧ୍ୟ ଭାଗ ନେଇଥିଲା। ଶେଷରେ ଏହାର ଅଭିଧାନ ପୃଷ୍ଠାରେ ପେଲେଙ୍କ ନାମକୁ ସ୍ଥାନ ଦିଆଯାଇଛି।
ଅଭିଧାନର ଆରମ୍ଭରେ ଉଲ୍ଲେଖ ଅଛି ଯେ, ‘‘ଜଣେ ଅସାଧାରଣ, କିମ୍ବା ଯିଏ ନିଜ ଦକ୍ଷତା, ମୂଲ୍ୟବୋଧ ତଥା ଶ୍ରେଷ୍ଠତା ଯୋଗୁଁ ପରିଚିତ ଏବଂ ତାଙ୍କୁ କାହା ସହ ତୁଳନା କରିହେବନାହିଁ, ସେ ହେଉଛନ୍ତି ପେଲେ; ଡାକନାମ ଏଡସନ୍ ଆରାଣ୍ଡେସ୍ ଡୁ ନାସିମେଣ୍ଟୋ (୧୯୪୦-୨୦୨୨), ଯାହାଙ୍କୁ ସର୍ବକାଳୀନ ଶ୍ରେଷ୍ଠ କ୍ରୀଡ଼ାବିତ୍ ଭାବେ ପରିଗଣିତ କରାଯାଏ; ଆସାଧାରଣ, ଅତୁଳନୀୟ, ଅଦ୍ବିତୀୟ। ଉଦାହରଣସ୍ବରୂପ: ସେ ହେଉଛନ୍ତି ବାସ୍କେଟବଲ୍ର ପେଲେ, ସେ ହେଉଛନ୍ତି ଟେନିସ୍ର ପେଲେ, ସେ ବ୍ରାଜିଲ୍ ଥିଏଟର୍ର ପେଲେ, ସେ ଭେଷଜରେ ପେଲେ ହୋଇଛନ୍ତି।’’ ମିଚେଲିସ୍ ପକ୍ଷରୁ ପେଲେ ଶବ୍ଦକୁ ଏହାର ଡିଜିଟାଲ୍ ସଂସ୍କରଣରେ ମଧ୍ୟ ସ୍ଥାନ ଦେଇଛି। ବ୍ରାଜିଲ୍କୁ ତିନିଥର ବିଶ୍ବ ବିଜେତା କରାଇଥିବା ପେଲେ ଗତ ଡିସେମ୍ବରରେ କର୍କଟ ରୋଗରେ ପୀଡ଼ିତ ହୋଇ ୮୨ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।