ସାଓ ପାଓଲୋ: ଦୁନିଆକୁ ବିଦାୟ ଜଣାଇସାରିଥିବା କିଂବଦନ୍ତି ଫୁଟବଲର୍‌ ପେଲେଙ୍କୁ ବ୍ରାଜିଲ୍‌ ଶେଷ ବିଦାୟ ଜଣାଇଛି। ସୋମବାର ସାଣ୍ଟୋସ୍‌ର ଭିଲା ବେଲମିରୋ ଷ୍ଟାଡିୟମ୍‌ରେ ପେଲେଙ୍କ କଫିନ୍‌କୁ ଅନେକ କ୍ରୀଡ଼ା ପ୍ରଶଂସକ, ଫିଫା ଅଧିକାରୀ ଓ ବ୍ରାଜିଲ୍‌ ଜନସାଧାରଣ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ମଙ୍ଗଳବାର ତାଙ୍କୁ ସମାଧି ଦିଆଯାଇଛି। ୩୨ ମହଲା ବିଶିଷ୍ଟ ଆକାଶଚୁମ୍ବି ଶ୍ମଶାନ ‘ମେମୋରିଆଲ୍‌ ନେକ୍ରୋପୋଲ୍‌ ଇକୁମେନିକା’ରେ ପେଲେଙ୍କୁ କବର ଦିଆଯାଇଥିଲା ବେଳେ କେବଳ ତାଙ୍କ ପରିବାରର କିଛି ସଦସ୍ୟ ସେଠାରେ ଉପସ୍ଥିତ ଥିଲେ। ପେଲେଙ୍କ ଶେଷ ଇଚ୍ଛା ଅନୁଯାୟୀ ଏହି ଶ୍ମଶାନର ନବମ ମହଲାରେ ତାଙ୍କୁ କବର ଦିଆଯାଇଛି। ପେଲେଙ୍କୁ ସାଣ୍ଟୋସ୍‌ ରାସ୍ତାରେ ଏକ ଶୋଭାଯାତ୍ରାରେ ଶ୍ମଶାନକୁ ନିଆଯାଇଥିଲା। ରାସ୍ତାରେ ତାଙ୍କ ମା’ଙ୍କ ଘର ପଡ଼ିଥିଲା। ୧୦୦ ବର୍ଷିୟ ମା’ ଚେତାଶୂନ୍ୟ ଅବସ୍ଥାରେ ପଡ଼ିରହିଥିଲା ବେଳେ ପେଲେଙ୍କ ମୃତ୍ୟୁ ବିଷୟରେ ଜାଣିନାହାନ୍ତି।

Advertisment

୨୦୦୩ରେ ଏକ ସାକ୍ଷତକାର ସମୟରେ ପେଲେ ତାଙ୍କର ଶେଷ ବିଶ୍ରାମସ୍ଥଳ ଭାବେ ମେମୋରିଆଲ୍‌ ନେକ୍ରୋପୋଲ୍‌ ଇକୁମେନିକା ଶ୍ମଶାନକୁ ବାଛିଥିଲେ। ଏହି ଶ୍ମଶାନ ସାଣ୍ଟୋସ୍‌ର ଭିଲା ବେଲମିରୋ ଷ୍ଟାଡିୟମ୍‌ଠୁ ଖୁବ୍‌ ନିକଟରେ ଅବସ୍ଥିତ। ୨୦୨୧ ସେପ୍ଟେମ୍ବର ୧୪ ତାରିଖରେ ପ୍ରକାଶିତ ‘ବିଶ୍ବର ଉଚ୍ଚତମ ଶ୍ମଶାନ’ରେ ମେମୋରିଆଲ୍‌ ନେକ୍ରୋପୋଲ୍‌ ଇକୁମେନିକା ବିଷୟରେ ଉଲ୍ଲେଖ କରାଯାଇଛି। ୧୯୮୩ରେ ନିର୍ମିତ ଏହି ଶ୍ମଶାନରେ ପ୍ରଥମ କବର ୧୯୮୪‌ ଜୁଲାଇ ୨୮ ତାରିଖରେ ଦିଆଯାଇଥିଲା। ସେହିପରି ହିନ୍ଦୁସ୍ଥାନ ଟାଇମ୍ସର ୨୦୧୦ ନଭେମ୍ବର ୧୮ ତାରିଖରେ ପ୍ରକାଶିତ ‘ସ୍ବର୍ଗର ନିକଟତର: ବ୍ରାଜିଲ୍‌ର ଉଚ୍ଚତମ ଶ୍ମଶାନ’ ଶୀର୍ଷକ ସ୍ତମ୍ଭରେ ଏହି ଶ୍ମଶାନରେ ମୋଟ୍‌ ୩୨ଟି ମହଲା ଥିବା ସୂଚନା ଦିଆଯାଇଥିଲା। ମୋଟ୍‌ ୧.୮ ହେକ୍ଟର ଅଞ୍ଚଳରେ ବିସ୍ତାରିତ ଏହି ଶ୍ମଶାନରେ ପାଖାପାଖି ୧୬ହଜାର କବର ରହିଛି। ଏପରିକି ସବୁଠୁ ଉଚ୍ଚତମ ଶ୍ମଶାନ ଭାବେ ‌ଏହା ଗିନିସ୍‌ ବୁକ୍‌ ବିଶ୍ବ ରେକର୍ଡରେ ସ୍ଥାନିତ ହୋଇଛି।