ସାଓ ପାଉଲୋ: କର୍କଟ ରୋଗରେ ପୀଡ଼ିତ ପ୍ରଖ୍ୟାତ ବ୍ରାଜିଲୀୟ ଫୁଟ୍‌ବଲ୍‌ ଖେଳାଳି ପେଲେଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଜଟିଳ ହୋଇପଡ଼ିଥିବା କଥା ବୁଧବାର ଦିନ ଡାକ୍ତରମାନେ କହିଛନ୍ତି।

Advertisment

ବୁଧବାର ଦିନ ସାଓ ପାଉଲୋସ୍ଥିତ ‘ଦି ଆଲବର୍ଟ ଆଇନ୍‌ଷ୍ଟାଇନ୍‌ ହସ୍ପିଟାଲ୍‌’ ଜାରି କରିଥିବା ବିବୃତିରେ କହିଛି ଯେ, ୮୨ ବର୍ଷିୟ ବ୍ରାଜିଲୀୟ ଫୁଟ୍‌ବଲ ଖେଳାଳି ପେଲେଙ୍କ କର୍କଟ‌ ରୋଗ ସଂକ୍ରମଣ ଅଧିକ ଜଟିଳ ହୋଇ ଯାଇଛି। ତାଙ୍କର ବୃକ୍କ ଓ ହୃତ୍‌ପିଣ୍ଡକୁ ରୋଗ ସଂକ୍ରମିତ ହୋଇଥିବାରୁ ତାଙ୍କୁ ‘ଇଲେଭେଟେଡ୍‌ କେୟାର୍‌’ରେ ରଖାଯାଇଛି।

କିନ୍ତୁ, କୋଭିଡ୍‌-୧୯ ଯୋଗୁଁ ମାରାତ୍ମକ ହୋଇଥିବା ତାଙ୍କର ଶ୍ବାସନଳୀ ସଂକ୍ରମଣ ବିଷୟରେ ଡାକ୍ତରଖାନା କୌଣସି କଥା ଉଲ୍ଲେଖ କରିନାହିଁ।

publive-image Image Courtesy of The Indian Express

ଉଲ୍ଲେଖଯୋଗ୍ୟ, ବିଶ୍ବବ୍ୟାପୀ ‘ପେଲେ’ ନାଁରେ ସୁପରିଚିତ ୩ଥ ‘ବିଶ୍ବକପ୍‌’ ଜିଣିଥିବା ଏହି ଖେଳାଳିଙ୍କ ପ୍ରକୃତ ନାଁ ହେଉଛି ଏଡ୍‌ସନ୍‌ ଆରାଣ୍ଟେସ୍‌ ଡୋ ନେସିମେଣ୍ଟୋ। ୨୦୨୧ ସେପ୍ଟେମ୍ବରରେ ତାଙ୍କ ‘କଲୋନ୍‌’ରୁ (ଅନ୍ତଃନଳୀର ଶେଷ ପ୍ରାନ୍ତ) ‘ଟ୍ୟୁମର୍‌’ ବାହାର କରାଯିବା ପରଠାରୁ ସେ କର୍କଟ ରୋଗର ଚିକିତ୍ସା ନିମନ୍ତେ ‌‘କେମୋଥେରାପି’ ନେଉଛନ୍ତି। କର୍କଟରୋଗ ତାଙ୍କ ଶରୀରର ଅନ୍ୟ ଭାଗକୁ ବ୍ୟାପିଛି କି, ନାହିଁ, ଡାକ୍ତରଖାନା କି, ପରିବାରସୂତ୍ରରୁ କୌଣସି ସୂଚନା ମିଳିନାହିଁ।

ଶନିବାର ଦିନ ‘ଫୋହ୍ଲା ଡି ଏସ୍. ପାଉଲୋ’ ସମ୍ବାଦପତ୍ର ରିପୋର୍ଟ କରିଥିଲା ଯେ, ‘କେମୋଥେରାପି’ କାର୍ଯ୍ୟ କରୁ ନ ଥିବାରୁ ପେଲେଙ୍କୁ ‘ପାଲିଆଟିଭ୍‌’ କେୟାର୍‌ରେ ରଖିବା ଲାଗି ଡାକ୍ତରମାନେ ନିଷ୍ପତ୍ତି ନେଇଛନ୍ତି।

କିନ୍ତୁ, ପେଲେଙ୍କ ପରିବାର ଏ କଥାକୁ ଅସ୍ବୀକାର କରିଛନ୍ତି। ପେଲେଙ୍କର ଅନ୍ୟତମା କନ୍ୟା କେଲି ନେସିମେଣ୍ଟୋ କହିଛନ୍ତି, ବଡ଼ଦିନ ସମୟରେ ପେଲେ ଡାକ୍ତରଖାନାରେ ରହିବେ। ଅନେକ କାରଣରୁ ଡାକ୍ତରମାନଙ୍କ ସହିତ ପରାମର୍ଶ କରି ଆମେ ଏହି ନିଷ୍ପତ୍ତି ଗ୍ରହଣ କରିଛୁ।