୧୧୦ ମିଟର ହର୍ଡଲ୍‌ସ ସ୍ବର୍ଣ୍ଣ ଜିତିଲେ ପର୍ଚମେଣ୍ଟ୍‌

ଟୋକିଓ: ଜାମାଇକା ଧାବକ ହାଁସ୍‌ଲେ ପର୍ଚମେଣ୍ଟ୍‌ ଅଲିମ୍ପିକ୍‌ ପୁରୁଷ ୧୧୦ ମିଟର ହର୍ଡଲ୍‌ସ ସ୍ବର୍ଣ୍ଣ ପଦକ ଜିତି ନେଇଛନ୍ତି। ଗୁରୁବାର ଅଲିମ୍ପିକ୍‌ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଫାଇନାଲ୍‌ରେ ପର୍ଚମେଣ୍ଟ୍‌ ଚଳିତ ଅଲିମ୍ପିକ୍ସ ଆଥ୍‌ଲେଟିକ୍‌ ପ୍ରତିଯୋଗିତାର ଅନ୍ୟତମ ବୃହତ୍‌ ବିପର୍ଯ୍ୟୟ ଘଟାଇଥିଲେ। ଗତବର୍ଷ ସାରା ଆହତ ଯୋଗୁଁ ୧୧୦ ମିଟର ହର୍ଡଲ୍‌ସ ରେସ୍‌ରେ ଦୌଡ଼ିନଥିବା ପର୍ଚମେଣ୍ଟ ଟୋକିଓରେ ବିଶ୍ବ ବିଜେତା ଆମେରିକାର ଗ୍ରାଣ୍ଡ୍‌ ହୋଲେୱେଙ୍କୁ ପରାସ୍ତ କରି ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ପଦକ କରାୟତ୍ତ କରିନେଇଥିଲେ।

ସୂଚନାଯୋଗ୍ୟ, ହୋଲୋୱେ ଗତବର୍ଷ ଅଗଷ୍ଟ ପରଠୁ ଗୋଟିଏ ହେଲେ ହର୍ଡଲ୍‌ସ ରେସ୍‌ ହାରିନଥି‌ଲେ। ଚଳିତ ବର୍ଷ ସେ ମଧ୍ୟ ୬୦ ମିଟର ହର୍ଡଲ୍‌ସରେ ବିଶ୍ବ ଇନ୍‌ଡୋର କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲା ବେଳେ ୟୁଏସ୍‌ ଅଲିମ୍ପିକ୍‌ ଟ୍ରାଏଲ୍‌ସ୍‌ରେ ଗୋଟିଏ ସେକେଣ୍ଡର ଏକ ଶତାଂଶ ସମୟ ପାଇଁ ୧୧୦ ମିଟର ହର୍ଡଲ୍‌ସ କୀର୍ତ୍ତିମାନରୁ ବଞ୍ଚିତ ରହିଥିଲେ। ଫଳରେ ସେ ଟୋକିଓରେ ସ୍ବର୍ଣ୍ଣ ଜିତିବାର ଦୃଢ଼ ଦାବିଦାର ରହିଥିଲେ। ହେଲେ ପର୍ଚମେଣ୍ଟ୍‌ ତାଙ୍କର ଆଶା ମଉଳାଇ ଦେବା ସହିତ ଋତୁର ‌ଶ୍ରେଷ୍ଠ ଟାଇମିଂ ୧୩.୦୪ ସହ ସ୍ବର୍ଣ୍ଣ ଜିତିନେଇଥିଲା ବେଳେ ଏହାକୁ ଲଣ୍ଡନ ଅଲିମ୍ପିକ୍ସ କାଂସ୍ୟ ପଦକ ସହ ଯୋଡ଼ିଥିଲେ। ହୋଲେୱେ (୧୩.୦୯) ରୌପ୍ୟ ଏବଂ ଜାମାଇକାର ରୋନାଲ୍‌ଡୋ ଲେଭି (୧୩.୧୦) କାଂସ୍ୟ ପଦକ ହାସଲ କରିଥିଲେ। ପର୍ଚମେଣ୍ଟ୍‌ ଚଳିତ ଋତୁରେ ଜୁନ୍‌ରେ ପ୍ରଥମ ଥର ଦୌଡ଼ିଥିଲେ ଏବଂ ୧୩.୪୯ ଟାଇମିଂ ପାଇଥିଲେ। ହେଲେ ପୁଣି ଆହତ ହୋଇଥିଲେ। କିନ୍ତୁ ଟୋକିଓ ସଫଳତା ତାଙ୍କୁ ଆହତ ସମସ୍ୟାକୁ ଭୁଲିଯିବାରେ ସହାୟକ ହୋଇଛି। ଟୋକିଓରେ ସ୍ବର୍ଣ୍ଣରୁ ବଞ୍ଚିତ ରହିଥିଲେ ମଧ୍ୟ ଅଲିମ୍ପିକ୍‌ ୧୧୦ ମିଟର ହର୍ଡଲ୍‌ସରେ ଆମେରିକାର ଆଧିପତ୍ୟ ଜାରି ରହିଛି। ଯାହାର ଫଳସ୍ବରୂପ ଅଲିମ୍ପିକ୍‌ସରେ ଟୋକିଓ ଆସିବା ପୂର୍ବରୁ ମୋଟ ୨୮ ସ୍ବର୍ଣ୍ଣ ପଦକ ମଧ୍ୟରୁ ଆମେରିକା ୧୯ ହାସଲ କରିସାରିଥିଲା।

ସମ୍ବନ୍ଧିତ ଖବର