ପ୍ରତି ଦଳ ପାଇଁ ୧୫ ଖେଳାଳି ଓ ୮ ଅଧିକାରୀଙ୍କୁ ଅନୁମତି

ଦୁବାଇ: ଅକ୍ଟୋବରରେ ୟୁଏଇ ଓ ଓମାନରେ ହେବାକୁ ଥିବା ଟି-୨୦ ବିଶ୍ବକପ୍‌ ଲାଗି ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) କଟକଣା ଜାରି କରିଛି। ଭ‌ାଗନେବାକୁ ଥବା ଦେଶଗୁଡ଼ିକ ନିଜ ନିଜ ଦଳରେ ୧୫ ଖେଳାଳି ଓ ୮ ଅଧିକାରୀଙ୍କ ସହ ମୋଟ ୨୩ ଜଣଙ୍କୁ ନେଇପାରିବେ। ଏଥିଲାଗି ସେପ୍ଟେମ୍ବର ୧୦ ତାରିଖ ମଧ୍ୟରେ ଖେଳାଳି ଓ ଅଧିକାରୀ (ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫ୍‌)ଙ୍କ ତାଲିକା ପଠାଇବାକୁ ଶୁକ୍ରବାର ଆଇସିସି କହିଥିବା ନେଇ ପାକିସ୍ତାନ କ୍ରିକେଟ୍‌ ବୋର୍ଡର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ‘‘କୋଭିଡ ଏବଂ ସୁରକ୍ଷିତ ଜୈବ ବଳୟ ଲାଗି ଆଇସିସି ଅତିରିକ୍ତ ଖେଳାଳିଙ୍କୁ ନେବା ଲାଗି ବିକଳ୍ପ ରଖିଛି। ହେଲେ ଏହି ଅତିରିକ୍ତ ଖେଳାଳିଙ୍କ ପାଇଁ ସଂପୃକ୍ତ ବୋର୍ଡ ସବୁ ଖର୍ଚ୍ଚ ବହନ କରିବ। ଆଇସିସି କେବଳ ପ୍ରତି ଦଳରେ ୧୫ ଖେଳାଳି ଓ ୮ ଅଧିକାରୀଙ୍କ ଖର୍ଚ୍ଚ ବହନ କରିବ’’ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି। ୨୦୧୬ରୁ ଆରମ୍ଭ ହୋଇଥିବା ଟି-୨୦ ବିଶ୍ବକପ୍‌ର ଆଗାମୀ ସଂସ୍କରଣ ଚଳିତ ବର୍ଷ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ୟୁଏଇର ଦୁବାଇ, ଆବୁଧାବି ଓ ସାର୍‌ଜା ସହ ଓମାନ୍‌ରେ ଖେଳାଯିବ।

ସେହିପରି ବାଂଲାଦେଶ, ଶ୍ରୀଲଙ୍କା, ଆୟର୍ଲାଣ୍ଡ୍‌ ସମେତ ୮ ରାଷ୍ଟ୍ରକୁ ନେଇ ଯୋଗ୍ୟତାପର୍ଯ୍ୟାୟ ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ଓମାନରେ ଓ ୟୁଏଇର ଗୋଟିଏ ଭେନ୍ୟୁରେ ଆୟୋଜିତ ହେବ। ଏଥିରୁ ୪ ଦଳ ହିଁ ସୁପର-୧୨ ପର୍ଯ୍ୟାୟକୁ ଯୋଗ୍ୟତା ହାସଲ କରିବେ। ସୁପର-୧୨ ପର୍ଯ୍ୟାୟ ସେପ୍ଟେମ୍ବର ୨୪ରୁ ଆରମ୍ଭ ହେବ।

ଅଷ୍ଟ୍ରେଲିଆର ନେତୃତ୍ବ ନେବେ ଫିଞ୍ଚ୍‌
ମେଲ୍‌ବର୍ଣ୍ଣ: ଅଷ୍ଟ୍ରେଲିଆର ସଟ୍‌ ଫର୍ମାଟ୍‌ ଅଧିନାୟକ ଆରୋନ ଫିଞ୍ଚ୍‌ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟି-୨୦ ବିଶ୍ବକପ୍‌ରେ ଦଳର ନେତୃତ୍ବ ନେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ ଶୁକ୍ରବାର ପ୍ରକାଶ କରିଛି। ଗତ ମାସ ୱେଷ୍ଟଇଣ୍ଡିଜ୍‌ ଗସ୍ତ ବେଳେ ସେଣ୍ଟ ଲୁସିଆରେ ୩୪ ବର୍ଷୀୟ ଏହି ଓପ୍‌ନର୍‌ ଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହା ପରେ ସେ ସ୍ବଦେଶ ଫେରିଆସିଥିଲେ। ଗୁରୁବାର ମେଲ୍‌ବର୍ଣ୍ଣରେ ତାଙ୍କ ଅସ୍ତ୍ରୋପଚାର ଶେଷ ହୋଇଛି। ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ୮ରୁ ୧୦ ସପ୍ତାହ ଲାଗିବାର ସମ୍ଭାବନା ଅଛି। ଫଳରେ ଫିଞ୍ଚ୍‌ ବିଶ୍ବକପ୍‌ ଆରମ୍ଭରୁ ଖେଳିବା ଲାଗି ପ୍ରସ୍ତୁତ ହୋଇଯାଇଥିବେ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ କହିଛି। ଟି-୨୦ ବିଶ୍ବକପ୍‌ର ସପ୍ତମ ସଂସ୍କରଣ ଭାରତରେ ହେବାର ଥିଲା। ହେଲେ ସାଂପ୍ରତିକ ମହାମାରୀ କରୋନାକୁ ନଜରରେ ରଖି ଏହାକୁ ବିସିସିଆଇ ଅକ୍ଟୋବର ୧୭ରୁ ୟୁଏଇ ଓ ଓମାନ୍‌ରେ କରିବାକୁ ସ୍ଥିର କରିଛି।

ସମ୍ବନ୍ଧିତ ଖବର