ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ଅଲିମ୍ପିକ୍ କୋଟା ଲକ୍ଷ୍ୟ, ବିଶ୍ବ ପ୍ରତିଯୋଗିତା ପାଇଁ ଦୂତିଙ୍କ ରାତି ଅଭ୍ୟାସ

ଭୁବନେଶ୍ବର,: ଆସନ୍ତା ୨୭ ତାରିଖରୁ ଦୋହାରେ ଆରମ୍ଭ ହେଉଥିବା ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ଲାଗି ଦେଶର ଦ୍ରୁତତମ ଧାବିକା ଦୂତି ଚାନ୍ଦ ନିଜକୁ ପ୍ରସ୍ତୁତ କରୁଛନ୍ତି। ମଙ୍ଗଳବାର ଦୂତି ଭୁବନେଶ୍ବରରୁ ହାଇଦ୍ରାବାଦ ବାଟ ହୋଇ ଦୋହା ଅଭିମୁ‌ଖେ ବାହାରିଯିବେ। ୨୦୧୭ ମସିହାର ଲଣ୍ଡନ୍ ବିଶ୍ବ ପ୍ରତିଯୋଗିତାର ନିରାଶାଜନକ ପ୍ରଦର୍ଶନକୁ ପଛରେ ପକାଇ ଦୂତି ଏଥର ନିଜ ପ୍ରିୟ ୧୦୦ ମିଟର୍ ଦୌଡ଼ର ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଦୋହା ସମୟ ଦୃଷ୍ଟିରୁ ମୁଁ ଏଠାରେ ରାତିରେ ଅଭ୍ୟାସ କରି ଯାଉଛି। ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ହାସଲ କରିବା ସହିତ ଫାଇନାଲ୍‌ରେ ପହଞ୍ଚିବା ଲକ୍ଷ୍ୟ ରଖିଛି ବୋଲି ଦୂତି କହିଛନ୍ତି।

ଗତ ଥର ମୁଁ ଲଣ୍ଡନ୍‌ରେ ୧୨.୦୭ ସେକେଣ୍ଡ୍ ସମୟ ନେଇ ସେମିଫାଇନାଲ୍ ପହଞ୍ଚି ପାରିନଥିଲି। ଦୋହା ବିଶ୍ବ ପ୍ରତିଯୋଗିତା ୧୦୦ ମିଟର୍ ମହିଳା ଦୌଡ଼ ଯୋଗ୍ୟତା ସମୟ ୧୧.୨୪ ସେକେଣ୍ଡ୍‌କୁ ଦୂତି ହାସଲ କରିନଥିଲେ ପୂର୍ବ ପ୍ରଦର୍ଶନ ଆଧାରରେ ଆମନ୍ତ୍ରିତ ହୋଇଛନ୍ତି। ଗତ ଏପ୍ରିଲ୍ ମାସରେ ଦୂତି‌ ଦୋହାରେ ଅନୁଷ୍ଠିତ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ୧୧.୨୬ ସେକେଣ୍ଡ୍ ସମୟ ନେଇ ଜାତୀୟ କୀର୍ତ୍ତିମାନ କରିଥିଲେ। ‌ଦୋହା ଖେଳସୂଚୀକୁ ନଜରରେ ରଖି ମୁଁ ରାତି ୭ରୁ ୮ ପର୍ଯ୍ୟନ୍ତ ପ୍ରତ୍ୟେହ ଅଭ୍ୟାସ କରିଛି। ପ୍ରସ୍ତୁତି ଭଲ ଥିବାରୁ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିବି ବୋଲି ୨୩ ବର୍ଷୀୟା ଦୂତି ପ୍ରକାଶ କରିଛନ୍ତି। ଜୁଲାଇ ମାସରେ ଇଟାଲିର ନାପୋଲିରେ ଅନୁଷ୍ଠିତ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ପ୍ରଥମ ଭାରତୀୟ ଭାବେ ସ୍ବର୍ଣ୍ଣ ପଦକ ଜିତିଥିଲେ।

କଳିଙ୍ଗ ଷ୍ଟାଡିୟମ୍‌ରେ ମୁଁ ପ୍ରଶିକ୍ଷକ ଏନ୍‌ ରମେଶ, ଶିବ ମିଶ୍ର, ଫିଜିଓ ଅଜୟ ମହାନ୍ତି ଏବଂ ଟ୍ରାକ୍ ସହ‌ଯୋଗୀ ପ୍ରଶାନ୍ତ କୁମାର ଦେବତା ପ୍ରମୁଖଙ୍କ ତତ୍ବାବଧାନରେ ନିଜକୁ ପ୍ରସ୍ତୁତ କରିଛି।‌ ଦୋହାରେ ସେପ୍ଟେମ୍ବର ୨୮ ତାରିଖରେ ମୋ ଦୌଡ଼ ସ୍ଥାନୀୟ ସମୟ ୪.୩୦ ମିନିଟ୍‌ ଏବଂ ଭାରତୀୟ ସମୟ ସଂଧ୍ୟା ୭ଟାରେ ରହିଛି। ସେଠାରେ ଭଲ ପ୍ରଦର୍ଶନ କରିବା ସହିତ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା (୧୧.୧୫ ସେକେଣ୍ଡ) ହାସଲ କରିବା ନେଇ ମଧ୍ୟ ମୁଁ ଆଶାବାଦୀ ରହିଛି। ଚଳିତ ବର୍ଷ ମୁଁ ବହୁ ପ୍ରତିଯୋଗିତା ଖେଳି ସାରିଛି, ଚଳିତ ଋତୁର ଏହି ଶେଷ ପ୍ରତିଯୋଗିତାରେ ଯଥା ସମ୍ଭବ ମୁଁ ନିଜ ଶରୀରକୁ ଗତିଶୀଳ କରିବି। ୧୧.୧୫ ସେକେଣ୍ଡ୍ ମାନଦଣ୍ଡକୁ ଛୁଇଁବା ନିଶ୍ଚିତ କଷ୍ଟକର ବ୍ୟାପାର ବୋଲି ଦୂତି ସ୍ବୀକାର କରିଛନ୍ତି। ଅଲିମ୍ପିକ୍ସ କୋଟା ପାଇଁ ଦୂତି ଚଳିତ ଋତୁରେ ମୋଟ ୧୫ଟି ରେସ୍‌ରେ ଭାଗ ନେଇଥିଲେ। ଭାରତୀୟ ଗ୍ରାଁ ପ୍ରି, ଫେଡେରେସନ୍ କପ୍, ଜାତୀୟ ଅନ୍ତରାଜ୍ୟ, ବିଶ୍ବବିଦ୍ୟାଳୟ କ୍ରୀଡ଼ା, ଏସୀୟ ଦୌଡ଼କୁଦରେ ୩ ଲେଖାଏଁ ରେସ୍‌ରେ ଦୌଡ଼ିଥିଲେ। ବିଶ୍ବ ପ୍ରତିଯୋଗିତା ସାଧାରଣତଃ ଜୁଲାଇ ଅଗଷ୍ଟରେ ହେଉଥିଲେ ମଧ୍ୟ ଦୋହାରେ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଏହାକୁ ସେପ୍ଟେମ୍ବର-ଅକ୍ଟୋବରକୁ ଘୁଞ୍ଚାଇଯାଇଥିଲା। ତଥାପି ଏବେ ଦୋହାରେ ଗ୍ରୀଷ୍ମ ପ୍ରବାହ ରହିଛି। ଘୋଷିତ ଭାରତୀୟ ଦଳ ସହ ସାମିଲ ନଥାଇ ଦୂତି ଭାଗ ନେଉଥିବାରୁ ସେ ଏବଂ ପ୍ରଶିକ୍ଷକ ଏନ୍ ରମେଶ ବ୍ୟକ୍ତିଗତ ଖର୍ଚରେ ଭାଗନେବାକୁ ଯିବେ। ଗତ ମାସରେ ମଧ୍ୟ ଭିସା ସମସ୍ୟା କାରଣରୁ ଦୂତି ୟୁରୋପୀୟ ସର୍କିଟର କିଛି ‌ପ୍ରତ‌ିଯୋଗିତାରୁ ବଞ୍ଚିତ ହୋଇଥିଲେ।

ସମ୍ବନ୍ଧିତ ଖବର