‘ପର୍ଥ ଷ୍ଟାଡିୟମ୍‌’ ପିଚ୍‌କୁ ଆଇସିସି ଦେଲା ସବୁଠାରୁ କମ୍‌ ନମ୍ବର

ମେଲବର୍ଣ୍ଣ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମ୍ୟାଚ ରେଫରି ରଂଜନ ମଦୁଗଲେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚଳିତ ଶୃଙ୍ଖଳାର ୨ୟ ଟେଷ୍ଟ କ୍ରିକେଟ ମ୍ୟାଚର ଆୟୋଜନ ସ୍ଥଳ ପର୍ଥ ଷ୍ଟାଡିୟମ୍‌ର ପିଚକୁ ‘ହାରାହାରି’ ରେଟିଂଙ୍ଗ୍‌ ଦେଇଛନ୍ତି। ଏହି ପଡ଼ିଆରେ ଅଷ୍ଟ୍ରେଲିଆ ଟିମ୍‌ ଭାରତକୁ ୧୪୬ ରନ୍‌ରେ ପରାସ୍ତ କରି ଶୃଙ୍ଖଳାକୁ ୧-୧ କରିଛି। କ୍ରିକେଟ ଅଷ୍ଟ୍ରେଲିଆର ୱେବ୍‌ସାଇଟ୍‌ରେ ପ୍ରକାଶିତ ଖବର ଅନୁସାରେ, ମ୍ୟାଚ ରେଫରି ରଂଜନ ମଦୁଗଲେ ପର୍ଥର ନୂଆ ଷ୍ଟାଡିୟମ୍‌ର ପିଚ୍‌କୁ ହାରାହାରି ରେଟିଂ ଦେଇଛନ୍ତି, ଯାହାକି ଟେଷ୍ଟ ପଡ଼ିଆ ପାଇଁ ସବୁଠାରୁ କମ୍‌ ପଏଣ୍ଟ। ଅର୍ଥାତ୍‌ ସବୁଠାରୁ କମ୍‌ ପଏଣ୍ଟ ଲାଭ କରି ଟେଷ୍ଟ ମ୍ୟାଚ୍‌ ପାଇଁ ପର୍ଥ ଷ୍ଟାଡିୟମ୍‌ ଉତୀର୍ଣ୍ଣ ହୋଇଛି।

ରିପୋର୍ଟରେ ଦ୍ରୁତତା ଯୋଗୁଁ ବୋଧହୁଏ ପର୍ଥ ପାଇଁ ଏଭଳି ରେଟିଂଙ୍ଗ୍‌ ନିଷ୍ପତ୍ତି ନିଆଯାଇଥିବା କଥା କୁହାଯାଇଛି। କାରଣ ପର୍ଥ ଟେଷ୍ଟରେ ୨ ଜଣ ବ୍ୟାଟସ୍‌ମ୍ୟାନ ଆହତର ସମ୍ମୁଖୀନ ହୋଇଛନ୍ତି। ଆଇସିସି କହିଛି, ଚଳିତ ବର୍ଷ ପଡ଼ିଆ ଏବଂ ପିଚ୍‌ର ଗୁଣବତ୍ତାରେ ସଂଶୋଧନ ଆଣିବା ପାଇଁ ଭଲ, ହାରାହାରି, ହାରାହାରି ଠାରୁ କମ୍‌ ଏବଂ ବହୁତ ଖରାପ ରେଟିଂଙ୍ଗ୍‌ ଦେବା ପ୍ରକ୍ରିୟା ଆରମ୍ଭ କରିଥିଲା। ୱେବ୍‌ସାଇଟ୍‌ରେ ଦାବି କରାଯାଇଛି ଯେ, ପ୍ରଥମ ଟେଷ୍ଟର ଆୟୋଜନ କରିଥିବା ଆଡିଲେଡ୍‌ ଓଭାଲ ପିଚ୍‌କୁ ‘ବହୁତ ଭଲ’ ରେଟିଂ ମିଳିଛି।

ସମ୍ବନ୍ଧିତ ଖବର