ପର୍ଥ ଟେଷ୍ଟ: ୱେଷ୍ଟଇଣ୍ଡିଜ୍‌କୁ ହରାଇଲା ଅଷ୍ଟ୍ରେଲିଆ, ଲାୟନ୍‌ଙ୍କୁ ୬ ୱିକେଟ୍‌

ପର୍ଥ: ଏଠାରେ ଶେଷ ହୋଇଥିବା ପ୍ରଥମ ଟେଷ୍ଟରେ ନାଥନ ଲାୟନଙ୍କ ୫ ୱିକେଟ୍‌ ସଫଳତା (୬/୧୨୮) ଯୋଗୁଁ ଅଷ୍ଟ୍ରେଲିଆ ୧୬୪ ରନ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିଛି। ଫଳରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଘରୋଇ ଦଳ ୧-୦ରେ ଆଗୁଆ ରହିଛି। ୪୯୮ ରନ୍‌କୁ ପିଛା କରିଥିବା ୱେଷ୍ଟଇଣ୍ଡିଜ୍‌ ଶେଷ ଦିନରେ ୩୩୩ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। ଉଭୟ ଦଳ ମଧ୍ୟରେ ଶୃଙ୍ଖଳାର ଶେଷ ମ୍ୟାଚ୍‌ ଗୁରୁବାର ଆଡିଲେଡ୍‌ରେ ଖେଳାଯିବ। ଚତୁର୍ଥ ଦିନର ଅସମାପ୍ତ ସ୍କୋର ୧୯୨/୩ ରୁ ୱେଷ୍ଟଇଣ୍ଡିଜ୍ ଖେଳିବା ଆରମ୍ଭ କରିଥିଲା। ଶତକ ଅର୍ଜନ କରିଥିବା କ୍ରେଗ୍‌ ବ୍ରାଥ୍‌ୱେଟ୍‌ ଶେଷ ଦିନରେ ଆଉ ୯ ରନ୍‌ ଯୋଗ କରି ଆଉଟ୍‌ ହୋଇଥିଲେ। ତଳ ଭାଗରେ ବ୍ୟାଟିଂ ଆସିଥିବା ରଷ୍ଟନ୍‌ ଚେଜ୍‌ ଓ ଅଲ୍‌ଜାରି ‌ଯୋସେଫ ଅଷ୍ଟମ ୱିକେଟ୍‌ରେ ୮୨ ରନ୍‌ର ଭାଗୀଦାରି କରିଥିଲେ।

ଯୋସେଫ (୪୩)ଙ୍କୁ ଟ୍ରାଭିସ୍‌ ହେଡ୍‌ ଆଉଟ୍‌ କରି ଯୋଡ଼ି ଭାଙ୍ଗିଥିଲା ବେଳେ ଅର୍ଧଶତକ ଅର୍ଜନ କରିବା ପରେ ରଷ୍ଟନ୍‌ (୫୫) ଲାୟନ୍‌ଙ୍କ ପଞ୍ଚମ ଶିକାର ହୋଇଥିଲେ। ଚତୁର୍ଥ ଦିନରେ ଦ୍ବିତୀୟ ପାଳିରେ ‌ଟାଗେନାରାୟଣ ଚନ୍ଦରପଲ୍‌ଙ୍କ ୪୫ ରନ୍‌କୁ ଛାଡ଼ିଦେଲେ ଆଉ‌ କେହି ବଡ଼ ଯୋଗଦାନ ନଦେବାରୁ ଭ୍ରମଣକାରୀ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଏହି ପାଳିରେ ନାଥନ ଲାୟନ୍‌ ୨୧ତମ ୫ ୱିକେଟ୍‌ ସଫଳତା ପାଇଥିଲେ। ଦ୍ବିତୀୟ ପାଳିରେ ବ୍ରାଥ୍‌ୱେଟ୍‌, ଶାମର ବ୍ରୁକ୍ସ (୧୧), ଜର୍ମେନ ବ୍ଲାକଉଡ୍‌ (୨୪), କେଲ୍‌ ମାୟର୍ସ (୧୦), ରଷ୍ଟନ୍‌ ଚେଜ୍‌ ଓ କେମାର ରୋଚ୍‌ (୦)ଙ୍କୁ ସେ ଶିକାର କରିଥିଲେ। ତାଙ୍କ ବ୍ୟତୀତ ଟ୍ରାଭିସ୍‌ ହେଡ୍‌ ୨, ମିଚେଲ୍‌ ଷ୍ଟାର୍କ, ଜୋସ୍‌ ହେଜଲେଉଡ୍‌ ୧ ୱିକେଟ୍‌ ଲେଖାଏଁ ଅକ୍ତିଆର କରିଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଅଷ୍ଟ୍ରେଲିଆ‌ ପ୍ରଥମ ପାଳି ୫୯୮/୪ ଘୋଷିତ। ୱେଷ୍ଟ୍‌ଇଣ୍ଡିଜ୍‌ ପ୍ରଥମ ପାଳି-୨୮୩। ଅଷ୍ଟ୍ରେଲିଆ‌ ଦ୍ବିତୀୟ ପାଳି ୧୮୨/୨ ଘୋଷିତ (ମାର୍ନସ ଲବୁସାନ-୧୦୪*)। ୱେଷ୍ଟ୍‌ଇଣ୍ଡିଜ୍‌ ଦ୍ବିତୀୟ ପାଳି-୩୩୩/୧୦ (କ୍ରେଗ୍‌ ବ୍ରାଥ୍‌ୱେଟ୍‌-୧୧୦, ରଷ୍ଟନ୍‌ ଚେଜ୍‌ ୫୫, ଟାଗେନାରାୟଣ ଚନ୍ଦରପଲ୍‌-୪୫, ନାଥନ ଲାୟନ-୬/୧୨୮, ଟ୍ରାଭିସ୍‌ ହେଡ୍‌-୨/୨୫)।

ସମ୍ବନ୍ଧିତ ଖବର