ପର୍ଥ : ମାର୍ନସ ଲବୁସାନ୍ (୨୦୪) ଏବଂ ଷ୍ଟିଭ୍ ସ୍ମିଥ୍ (୨୦୦*)ଙ୍କ ଦମ୍ଦାର ଦ୍ବିଶତକ ବଳରେ ୫୯୮/୪ରେ ପ୍ରଥମ ପାଳିକୁ ଘୋଷଣା କରିଦେଇଥିବା ଅଷ୍ଟ୍ରେଲିଆ ଏଠାରେ ଚାଲିଥିବା ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ବିଜୟ ସମ୍ଭାବନା ସୃଷ୍ଟି କରିଛି। ଦ୍ବିତୀୟ ଦିବସ ଶେଷ ସୁଦ୍ଧା କୌଣସି ୱିକେଟ୍ ନହରାଇ ୭୪ ରନ୍ କରିଥିବା ଭ୍ରମଣକାରୀ ଦଳ ଶୁକ୍ରବାର ତୃତୀୟ ଦିବସରେ ମିଚେଲ ଷ୍ଟାର୍କ ଓ ପ୍ୟାଟ୍ କମିନ୍ସଙ୍କ ବୋଲିଂରେ ଘାଇଲା ହୋଇଥିଲା। ଫଳରେ ଦଳ ୨୮୩ ରନ୍ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ଷ୍ଟାର୍କ (୩/୫୧) ଓ କମିନ୍ସ (୩/୩୪) ୬ ୱିକେଟ୍ ବାଣ୍ଟି ନେଇଥିଲା ବେଳେ ନାଥୟ ଲାୟନ (୨/୬୧), ଜୋସ୍ ହାଜେଲଉଡ୍ (୧/୫୩) ଓ କାମେରନ ଗ୍ରିନ୍ (୧/୩୫) ଅବଶିଷ୍ଟ ୪ ୱିକେଟ୍ ଦଖଲ କରିଥିଲେ। ୱେଷ୍ଟ୍ଇଣ୍ଡିଜ୍ ପକ୍ଷରୁ ଦୁଇ ଓପ୍ନର ଅଧିନାୟକ କ୍ରେଗ୍ ବ୍ରାଥ୍ୱେଟ୍ (୬୪) ଓ ଟାଗେନାରାୟଣ ଚନ୍ଦରପଲ୍ (୫୧) ଅର୍ଦ୍ଧଶତକ ହାସଲ କରିଥିଲା ବେଳେ ଜର୍ମିନ୍ ବ୍ଲାକ୍ଉଡ୍ (୩୬), ସାମରା ବ୍ରୁକ୍ସ (୩୩), ଜାସନ ହୋଲ୍ଡର (୨୭), ଏନ୍କ୍ରୁମା ବୋନର (୧୬ ରିଟାୟାର୍ଡ ହର୍ଟ) ଏବଂ ରସ୍ତନ ଚେଜ୍ (୧୩) ଦୁଇ ଅଙ୍କ ଛୁଇଁଥିଲେ।
ଟାଗେନାରାୟଣ ମଧ୍ୟ ବାପା ଶିବନାରାୟଣଙ୍କ ଭଳି ପଦାର୍ପଣରେ ଅର୍ଦ୍ଧଶତକ ଜମାଇବାର ସଫଳତା ପାଇଥିଲେ। ୧୯୯୪ରେ ଶିବନାରାୟଣ ଇଂଲଣ୍ଡ ବିପକ୍ଷ ପଦାର୍ପଣ ଟେଷ୍ଟ୍ରେ ଅର୍ଦ୍ଧଶତକ ହାସଲ କରିଥିଲା ବେଳେ ଏବେ ୨୬ ବର୍ଷ ବୟସ୍କ ଟାଗେନାରାୟଣ ଅଷ୍ଟ୍ରେଲିଆ ବିପକ୍ଷରେ ପଦାର୍ପଣ କରି ସମାନ ସଫଳତା ହାତେଇଛନ୍ତି। ତେବେ ବୋଲରଙ୍କ ବଳରେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୩୧୫ ରନ୍ର ଅଗ୍ରଣୀ ହାସଲ କରିଥିଲା। ମ୍ୟାଚ୍ ଆହୁରି ୨ ଦିନ ବାକି ଥିବାରୁ ୱେଷ୍ଟ୍ଇଣ୍ଡିଜ୍କୁ ଫଲୋଅନ୍ ଖେଳିବାକୁ ନଡାକି ଘରୋଇ ଦଳ ଦ୍ବିତୀୟ ପାଳି ଖେଳିଥିଲା। ଶୁକ୍ରବାର ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ କେବଳ ଉସ୍ମାନ ଖୱାଜା (୬)ଙ୍କ ୱିକେଟ୍ ହରାଇ ଅଷ୍ଟ୍ରେଲିଆ ୨୯ ରନ୍ କରିଛି। ଡେଭିଡ୍ ୱର୍ଣ୍ଣର ୧୭* ଓ ମାର୍ନସ ଲବୁସାନ୍ ୩* ରନ୍ରେ ଅପରାଜିତ ରହିଛନ୍ତି। ଏଥି ସହିତ ହାତରେ ଦ୍ବିତୀୟ ପାଳିର ୯ ୱିକେଟ୍ ବାକି ଥାଇ ମୋଟ ଉପରେ ୩୪୪ ରନରେ ଆଗୁଆ ରହିଛି ଘରୋଇ ଦଳ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/per.jpg)