ପର୍ଥ ଟେଷ୍ଟ୍‍: ଇଂଲଣ୍ଡ ସୁଯୋଗ ଛାଡ଼ିଦେଲା

ପର୍ଥ: ମାତ୍ର ୩୫ ରନ୍‌ ଭିତରେ ଶେଷ ୬ ଓ୍ଵିକେଟ୍‌ ହରାଇ ଦେଇ ଇଂଲଣ୍ଡ ପର୍ଥ ଟେଷ୍ଟ୍‍ରେ ବଡ଼ ସ୍କୋର୍‌ ସୁଯୋଗକୁ ହାତଛଡ଼ା କରି ଦେଇଛି। ଡେଭିଡ୍‌ ମଲନ୍‌ (୧୪୦, ୨୨୭, ୧୯ ଚୌକା, ୧ ଛକା) ଏବଂ ଓ୍ଵିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ଜନି ବେୟାରଷ୍ଟୋ (୧୧୯, ୨୧୫ ବଲ୍‌, ୧୮ ଚୌକା) ପଞ୍ଚମ ଓ୍ଵିକେଟ୍‌ ଭାଗୀଦାରି ପାଇଁ ସଂଗ୍ରହ କରିଥିବା ୨୩୭ ରନ୍‌ ସତ୍ତ୍ୱେ ଭ୍ରମଣକାରୀ ଇଂଲିସ୍‌ ଦଳ ୪୦୩ ରନ୍‌ରେ ପ୍ରଥମ ପାଳିକୁ ସୀମିତ ରଖିଛି। ଶୁକ୍ରବାର ସକାଳେ ଦଳ ୩୦୫/୪ରୁ ଖେଳିଥିଲା। ୩୬୮ ରନ୍‌ ପର୍ଯ୍ୟନ୍ତ ଦଳ ଆଉ କୌଣସି ଓ୍ଵିକେଟ୍‌ ହରାଇନଥିଲା। ମଲନ୍‌ଙ୍କୁ ସ୍ପିନର୍‌ ନାଥନ୍‌ ଲିଅନ୍‌ ଆଉଟ୍‌ କରିଦେବା ପରେ ହାଜେଲ୍‌ଉଡ୍‌, ଷ୍ଟାର୍କ ୨-୨ ଓ୍ଵିକେଟ୍‌ ନେଇ ଇଂଲଣ୍ଡକୁ ଭାରି ପଡ଼ିଥିଲେ। ଏପରିକି ଶେଷ ୪ ଓ୍ଵିକେଟ୍‌ ମାତ୍ର ୧୪ ରନ୍‌ରେ ପଡ଼ିଯାଇଥିଲା। ଘରୋଇ ଦଳର ୩ ଦ୍ରୁତ ବୋଲର ଷ୍ଟାର୍କ (୪), ହାଜେଲ୍‌ଉଡ୍‌ (୩), କମିନ୍‌ସ (୨) ମିଳିତ ଭାବେ ୯ ଓ୍ଵିକେଟ୍‌ ନେଇଥିଲେ।

ଜବାବରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୩ ଓ୍ଵିକେଟ୍‌ରେ ୨୦୩ ରନ୍‌ ସଂଗ୍ରହ କରି ତଥାପି ୨୦୦ ରନ୍‌ ପଛରେ ରହିଛି। ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ (୯୨*, ୧୨୨ ବଲ୍‌, ୧୪ ଚୌକା, ୧ ଛକା) ଆଉ ଏକ ଶତକ ଦ୍ୱାରଦେଶରେ ରହିଛନ୍ତି। ୪ ବର୍ଷ ତଳେ ସମାନ ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ଓ୍ଵାକାରେ ଦ୍ୱିତୀୟ ଶତକ ଅର୍ଜନ କରିଥିବା ସ୍ମିଥ୍‌ ଏବେ ୨୧ତମ ଦ୍ୱାରଦେଶରେ ରହିଛନ୍ତି।
ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୪୦୩ (ଡିଜେ ମଲନ-୧୪୦, ଜନି ବେୟାରଷ୍ଟୋ-୧୧୯, ମାର୍କ ଷ୍ଟୋନମ୍ୟାନ୍‌-୫୬, ମିଚେଲ ଷ୍ଟାର୍କ-୪/୯୧, ଜୋସ୍‌ ହାଜେଲଉଡ୍‌-୩/୯୨, ପ୍ୟାଟ୍‌ କମିନ୍ସ-୨/୮୪, ନାଥନ୍‌ ଲିଅନ-୧/୭୩)। ଅଷ୍ଟ୍ରେଲିଆ ପ୍ରଥମ ପାଳି: ୬୨ ଓଭରରେ ୨୦୩/୩ (ବନ୍‌କ୍ରଫ୍ଟ-୨୫, ଓ୍ଵାର୍ନର-୨୫, ଉସମାନ ଖଓ୍ଵାଜା-୫୦, ଷ୍ଟିଭେନ୍‌ ସ୍ମିଥ୍‌-୯୨*, ସନ୍‌ ମାର୍ସ-୭*, ଓଭର୍ଟନ୍‌-୨/୪୬, ଓ୍ଵକ୍‌ସ-୧/୪୨)।

ସମ୍ବନ୍ଧିତ ଖବର