ପେସ୍-ରିଆ ଆଇନ ଯୁଦ୍ଧରେ ନୂଆ ମୋଡ଼

ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ଜଗତର କିମ୍ବଦନ୍ତୀ ପୁରୁଷ ଲିଆଣ୍ଡର ପେସ୍ ଏବଂ ତାଙ୍କ ପୂର୍ବତନ ପ୍ରେମିକା ରିଆ ପିଲାଇଙ୍କ ମଧ୍ୟରେ ଚାଲିଥିବା ଭରଣ ପୋଷଣ ମାମଲା ନୂଆ ମୋଡ଼ ‌‌ନେଇଛି। ଏହି ମାମଲାର ଫଇସଲା ଏକବର୍ଷ ମଧ୍ୟରେ କରିବାକୁ ଉଚ୍ଚତମ ନ୍ୟାୟାଳୟ ସୋମବାର ଫ୍ୟାମିଲି କୋର୍ଟକୁ ନିର୍ଦେଶ ଦେଇଛି। ମାମଲାର ଶୁଣାଣି ଶେଷ କରିବା ଲାଗି ଅଧିକ ସମୟ ଦେବାକୁ ଫ୍ୟାମିଲି କୋର୍ଟର ବିଚାରପତି ଉଚ୍ଚତମ ନ୍ୟାୟାଳୟଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ। ମାନ୍ୟବର ବିଚାରପତି ୟୁ ୟୁ ଲଲିତ ଏବଂ ଭିନିତ ସରଣଙ୍କୁ ନେଇ ଗଠିତ ଖଣ୍ଡପୀଠ ପତ୍ରକୁ ତର୍ଜମା କରି ଫ୍ୟାମିଲିକୋର୍ଟକୁ ଏକ ବର୍ଷ ସମୟ ଦେଇଛନ୍ତି। ଏହା ପୂର୍ବରୁ ମଧ୍ୟ ଉଚ୍ଚତମ ନ୍ୟାୟାଳୟ ୩ ମାସର ସମୟ ଦେଇ ସାରିଛନ୍ତି। ପେସ୍ ଏବଂ ରିଆ ବିବାହ କରି ନଥିଲେ ମଧ୍ୟ ଉଭୟ ଏକ କନ୍ୟା ସନ୍ତାନର ପିତା-ମାତା। ୨୦୧୪ରେ ପେସଙ୍କ ବିରୋଧରେ ରିଆ ଘରୋଇ ହିଂସା ମାମଲା ଦାୟର କରିବା ସହ ଝିଅ ଓ ତାଙ୍କ ପାଇଁ ଭରଣ ପୋଷଣ ଦାବି କରିଥିଲେ। ରିଆ ପୂର୍ବରୁ ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତଙ୍କୁ ବିବାହ କରିଥିଲେ। ସଞ୍ଜୟଙ୍କଠାରୁ ଛାଡ଼ପତ୍ର ନେବା ପରେ ପେସଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା।

ସମ୍ବନ୍ଧିତ ଖବର