ପିଟର ଓ ହରି ପ୍ରସାଦଙ୍କୁ କମଲ ଗାଙ୍ଗୁଲି କ୍ରୀଡ଼ା ପୁରସ୍କାର

ଭୁବୁବନେଶ୍ବର: ଓଡ଼ିଶାର ପ୍ରଥମ ଆନ୍ତର୍ଜାତିକ ହକି ଖେଳାଳି ପିଟର ତିର୍କି ଏବଂ ରାଜ୍ୟର ଜଣାଶୁଣା ପ୍ରଶିକ୍ଷକ ହରି ପ୍ରସାଦ ପଟ୍ଟନାୟକଙ୍କୁ ୨୦୨୦-୨୧ କ୍ରୀଡ଼ା ଋତୁ ପାଇଁ କମଲ ଗାଙ୍ଗୁଲି ସ୍ମାରକୀ କ୍ରୀଡ଼ା ପରୁସ୍କାର ପ୍ରଦାନ ଲାଗି ମନୋନୀତ କରାଯାଇଛି। ପରଲୋକଗତ ବିଶିଷ୍ଟ କ୍ରିକେଟ୍‌ ପ୍ରଶିକ୍ଷକ କମଲ ଗାଙ୍ଗୁଲିଙ୍କ ସ୍ମୃତିରେ ରାଜ୍ୟର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ସହିଦ ସ୍ପୋର୍ଟିଂ ପକ୍ଷରୁ ୨୦୧୨ ମସିହାରୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇ ଆସୁଛି। ୨୦୨୦-୨୧ ବର୍ଷ ପାଇଁ ପିଟରଙ୍କୁ ଜୀବନବ୍ୟାପୀ ସେବା ପୁରସ୍କାର ଏବଂ ହରି ପ୍ରସାଦଙ୍କୁ ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ମିଳିବ।

୧୯୮୨ ମସିହାରେ ମାଲେସିଆରେ ଅନୁଷ୍ଠିତ କନିଷ୍ଠ ହକି ବିଶ୍ୱକପ୍‌ରେ ଭାରତୀୟ ଦଳରୁ ଖେଳି ଓଡ଼ିଶାର ପ୍ରଥମ ଆନ୍ତର୍ଜାତିକ ହକି ଖେଳାଳି ହେବାର ଗୌରବ ଲାଭ କରିଥିଲେ ପିଟର। ୧୯୮୪ ଲସ୍‍ ଏଞ୍ଜେଲସ ଅଲିମ୍ପିକ୍‍ ଶିବିରରେ ବି ସେ ସାମିଲ ଥିଲେ। ରାଉରକେଲା ସେଲ୍‌ ଏକାଡେମି ସହ ଏବେ ବି ଜଡ଼ିତ ଥିବା ପିଟର ଖେଳାଳି ଜୀବନ ପରେ ପ୍ରଶିକ୍ଷକ ଭାବରେ ସକ୍ରୀୟ ଅଛନ୍ତି। ସେହିପରି କରାଟେ ସହ ସୁଟିଂ, ଭାରୋତ୍ତୋଳନ ଏବଂ ଶକ୍ତିଉତ୍ତୋଳନ ଭଳି ଏକାଧିକ କ୍ରୀଡ଼ାର ପ୍ରସାରରେ ସମର୍ପିତ ଥିବା କ୍ରୀଡ଼ା ବ୍ୟକ୍ତିତ୍ୱ ଡ. ହରି ପ୍ରସାଦଙ୍କୁ ଏଥରର କମଲ ଗାଙ୍ଗୁଲି ସ୍ମାରକୀ ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ପ୍ରଦାନ କରାଯିବ। ସହିଦ ସ୍ପୋର୍ଟିଂ କ୍ଲବର ସମ୍ପାଦକ ପଙ୍କଜ ପଟ୍ଟନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ଏହି ଦୁଇ ସଫଳ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କୁ ୨୦୨୦-୨୧ କ୍ରୀଡ଼ା ବର୍ଷ ପାଇଁ ମନୋନୀତ କରାଯାଇଥିଲା। ଚୟନ ସମିତିରେ ସମ୍ପାଦକଙ୍କ ସହ ବରିଷ୍ଠ ସାମ୍ବାଦିକ ସୁଶାନ୍ତ ମହାନ୍ତି, ସୁରେଶ ସ୍ୱାଇଁ, ସମୀକ୍ଷା ପଟ୍ଟନାୟକ, ତପନ ସ୍ୱାଇଁ, ସମୀର ରାଉତ, ନିରଞ୍ଜନ ରେଡ୍ଡୀ, ସଞ୍ଜୀବ ବିଶ୍ୱାଳ, ଶକ୍ତି ପ୍ରକାଶ ନନ୍ଦ, ସମ୍ବିତ ମହାପାତ୍ର ଏବଂ ମାରୁତି ଇଷ୍ଟେଟ ପରିଚାଳନା ନିର୍ଦେଶକ ଜିତେନ୍ଦ୍ର ପ୍ରସାଦ ସିଂହ ସାମିଲ ଥିଲେ।

କମଲ ଗାଙ୍ଗୁଲି ସ୍ମାରକୀ ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ୨୦୧୨ରେ ବିଶିଷ୍ଟ କ୍ରିକେଟ୍‌ ପ୍ରଶିକ୍ଷକ କିଶୋର ମାଣିଆ, ୨୦୧୩ରେ ରୋଇଂ ପ୍ରଶିକ୍ଷକ ଜୋସ ଜ୍ୟାକବ, ୨୦୧୪ରେ ଫୁଟ୍‌ବଲ୍‌ ପ୍ରଶିକ୍ଷକ ନନ୍ଦ କିଶୋର ପଟ୍ଟନାୟକ, ୨୦୧୫ରେ ଆଥଲେଟିକ୍ସ ପ୍ରଶିକ୍ଷକ ନୀଳମାଧବ ଦେଓ, ୨୦୧୭ରେ ଜିମ୍ନାଷ୍ଟିକ୍‍ ପ୍ରଶିକ୍ଷକ ଅଶୋକ ମିଶ୍ର, ୨୦୧୮ ପାଇଁ କ୍ରିକେଟ ପ୍ରଶିକ୍ଷକ ରଶ୍ମିତା ମହାନ୍ତି ଏବଂ ୨୦୧୯ ପାଇଁ ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ପାଇଥିଲେ ପାରା ବ୍ୟାଡମିଣ୍ଟନ ପ୍ରଶିକ୍ଷକ ଶିବ ପ୍ରସାଦ ଦାସ। ୨୦୧୪ରୁ ଜୀବନବ୍ୟାପୀ ସେବା ପୁରସ୍କାର ପ୍ରଦାନ କରାଯାଉଥିଲା ବେଳେ ପ୍ରଥମ ବର୍ଷ ମଦନ ମୋହନ ମହାନ୍ତି, ୨୦୧୫ରେ ବିଜୟ ଶତପଥୀ, ୨୦୧୭ରେ ଅରୂପାନନ୍ଦ ରାଉତରାୟ, ୨୦୧୮ରେ ଅଶୋକାନନ୍ଦ ଜେନା ଏବଂ ୨୦୧୯ରେ ଅଶୋକ ମହାନ୍ତି ଏହାକୁ ହାସଲ କରିସାରିଛନ୍ତି। ନିକଟରେ କ୍ଲବ୍‌ ପରିସରରେ ଆୟୋଜିତ ହେବାକୁ ଥିବା ବିଶେଷ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଆୟୋଜକ କ୍ଲବର ସମ୍ପାଦକ ପଙ୍କଜ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର