ପିଟରହାନ୍‌ସେଲ ଚତୁର୍ଦଶ ଥର ଜିତିଲେ ଡାକାର ରାଲି

ଦୁର୍ଘଟଣାରେ ଚର୍ପିନଙ୍କ ‌ମୃତ୍ୟୁ

ଜିଦା (ସାଉଦି ଆରବ) : ଫ୍ରାନ୍ସର ଷ୍ଟିଫାନ୍‌ ପିଟରହାନ୍‌ସେଲ ଶୁକ୍ରବାର ଚତୁର୍ଦଶ ଥର ଲାଗି ମୋଟରସ୍ପୋର୍ଟସ୍‌ର ସବୁଠୁ କଷ୍ଟସାଧ୍ୟ ପ୍ରତିଯୋଗିତା ଡାକାର ରାଲି ଜିତିଛନ୍ତି। ‘ମିଷ୍ଟର ଡାକାର’ ନାମରେ ପରିଚିତ ପିଟରହାନ୍‌ସେଲ କାର୍‌ ବର୍ଗରେ ୮ ଥର ଏବଂ ମୋଟରବାଇକ୍‌ ବର୍ଗରେ ୬ ଥର ବିଜେତା ହେବାର ଗୌରବ ପାଇଛନ୍ତି। ସହଚାଳକ ଏଡୁୱାର୍ଡ ବୋଲାଙ୍ଗରଙ୍କ ସହ ୫୫ ବର୍ଷ ବୟସ୍କ ପିଟରହାନ୍‌ସେଲ୍‌ ପ୍ରତିଦ୍ବନ୍ଦ୍ବୀ କାତାରି ନାସେର ଅଲ୍‌ ଆତିୟା ଓ ସ୍ପେନ୍‌ର କାର୍ଲୋସ୍‌ ସେଞ୍ଜ୍‌ଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅକ୍ତିଆର କରିଥିଲେ।

ତେବେ ଏହି ଖୁସି ‌ଖବର ବେଳେ ଆଉ ଏକ ଦୁଃଖଦ ଖବର ଫ୍ରାନ୍ସକୁ ମିଳିଛି। ବିଶ୍ବର ସବୁଠୁ କଷ୍ଟକର ରାଲି ଭାବେ ପରିଚିତ ଏହି ପ୍ରତିଯୋଗିତା ବେଳେ ଏକ ଅଘଟଣ ଘଟିଛି। ରେସ୍‌ ବେଳେ ଫ୍ରାନ୍ସର ମୋଟରସାଇକିଲିଷ୍ଟ ପିଏରେ ଚେର୍ପିନଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କ ଗାଡ଼ି ଘଣ୍ଟା ପ୍ରତି ୧୭୮ କିଲୋମିଟର ବେଗରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଗମ୍ଭୀର ଆଘାତ ପାଇଥିବା ଚେର୍ପିନଙ୍କୁ ସାଉଦି ଆରବର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଛି ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର