ସିଡନି: ଗ୍ଲେନ୍ ଫିଲିପ୍ସଙ୍କ ଦାୟିତ୍ବପୂର୍ଣ୍ଣ ଶତକ ଏବଂ ଟ୍ରେଣ୍ଟ୍ ବୋଲ୍ଟଙ୍କ ଘାତକ ବୋଲିଂ ବଳରେ ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ନ୍ୟୁଜିଲାଣ୍ଡ୍ ଶୋଚନୀୟ ଭାବେ ଶ୍ରୀଲଙ୍କାକୁ ୬୫ ରନ୍ରେ ହରାଇଛି। ଏଥି ସହିତ କେନ୍ ୱିଲିୟମ୍ସଙ୍କ ବ୍ଲାକ୍ କ୍ୟାପ୍ ଦଳ ୩ ମ୍ୟାଚ୍ରୁ ୨ ବିଜୟ ସହ ୫ ପଏଣ୍ଟ ପାଇ ଶୀର୍ଷରେ ରହିଛି। ଅନ୍ୟପକ୍ଷରେ ସମାନ ୩ ମ୍ୟାଚ୍ରୁ ଦ୍ବିତୀୟ ପରାଜୟ ବରଣ କରି ଶ୍ରୀଲଙ୍କା ୨ ପଏଣ୍ଟ ସହ ସଂଘର୍ଷ କରୁଛି।
ଶନିବାର ନ୍ୟୁଜିଲାଣ୍ଡ୍ ସିଡନି କ୍ରିକେଟ୍ ଗ୍ରାଉଣ୍ଡ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। କିନ୍ତୁ ଏହା ବୁମେରାଂ ପରିସ୍ଥିତି ଭଳି ହୋଇଥିଲା। ପ୍ରଥମ ୪ ଓଭର ଭିତରେ ୧୫/୩ରେ ସଂଘର୍ଷ କରିଥିଲା। ଏହି ସମୟରେ ମଝି ପଡ଼ିଆରେ ଏକାଠି ହୋଇଥିବା ଗ୍ଲେନ୍ ଫିଲିପ୍ସ ଏବଂ ଡାରିଲ୍ ମିଚେଲ୍ ୧୦.୩ ଓଭରରେ ୮୪ ରନ୍ର ଭାଗୀଦାରି କରି ବିପର୍ଯ୍ୟୟ ମୁହାଁ ପାଳିକୁ ସଜାଡ଼ିଥିଲେ। ନିଜ ଭୁଲ ପାଇଁ କିନ୍ତୁ ଶ୍ରୀଲଙ୍କାକୁ ଏଥି ପାଇଁ ମୂଲ୍ୟ ଦେବାକୁ ପଡ଼ିଥିଲା। ୨୫ ବର୍ଷୀୟ ଗ୍ଲେନ୍ ଫିଲିପ୍ସ ଦୁଇ ଥର କ୍ୟାଚ୍ ଡ୍ରପ୍ କାରଣରୁ ଜୀବନଦାନ ପାଇବା ପରେ ଏହାର ସମ୍ପୂର୍ଣ୍ଣ ଫାଇଦା ଉଠାଇଥିଲେ। ୪ ଛକା ଓ ୧୦ ଚୌକା ସହାୟତାରେ ନିଜ ଦ୍ବିତୀୟ ଟ୍ବେଣ୍ଟି-୨୦ ଶତକ ହାସଲ ପୂର୍ଣ୍ଣ କରିଥିଲେ। ୬୪ ବଲ୍ରୁ ୧୦୪ ରନ୍ ସଂଗ୍ରହ କରି ଶେଷ ଓଭରରେ ଆଉଟ୍ ହୋଇଥିଲେ। ମିଚେଲ୍ ୨୪ ବଲରୁ ବିନା ବାଉଣ୍ଡରିରେ ୨୨ ରନ୍ କରିଥିଲେ। ତେବେ ଦଳୀୟ ସ୍କୋର୍ ୧୬୭ର୍ରେ ପହଞ୍ଚିବାରେ ଫିଲିପ୍ସ ଥିଲେ ମୁଖ୍ୟ।
ଜବାବରେ ଶ୍ରୀଲଙ୍କା ମଧ୍ୟ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ ଏଥିରୁ ବାହାରି ନପାରି ୧୯.୨ ଓଭରରେ ୧୦୨ ରନ୍ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ୬.୧ ଓଭର ବେଳକୁ ଏହି ୨୦୧୪ ମସିହା ବିଶ୍ବ ବିଜେତା ଦଳ ୨୪/୫ରେ ସଂଘର୍ଷ କରିଥିଲା। ଅଧିନାୟକ ଦାସୁନ୍ ସଣକା (୩୨ ବଲ୍ରୁ ୬୫ ରନ୍) ଏବଂ ଭାନୁକା ରାଜପକ୍ଷ (୨୨ ବଲ୍ରୁ ୩୪ ରନ୍)ଙ୍କ ଛଡ଼ା ଅନ୍ୟୁ କେହି ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଏସୀୟ ବିଜେତା ଶ୍ରୀଲଙ୍କାର ସର୍ବାଧିକ କ୍ଷତି ଘଟାଇଥିଲେ ଟ୍ରେଣ୍ଟ ବୋଲ୍ଟ (୪-୦-୧୩-୪)। ସ୍ପିନ ଯୋଡ଼ି ମିଚେଲ୍ ସାଣ୍ଟନର୍ (୨/୨୧) ଏବଂ ଈଶ ସୋଢ଼ୀ (୨/୨୧) ସମାନ ବୋଲିଂ ଚିତ୍ର ପାଇବା ସହ ଦଳକୁ ସହଜ ବିଜୟ ଦେବାରେ ଅନ୍ୟତମ ପ୍ରମୁଖ ଥିଲେ। ଫିଲିପ୍ସ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହି ପରାଜୟ ସହ ଶ୍ରୀଲଙ୍କାର ସେମିଫାଇନାଲ୍ ଉନ୍ନୀତ ସମ୍ଭାବନାକୁ ଶକ୍ତ ଝଟକା ଲାଗିଛି।
ସଂକ୍ଷିପ୍ତ ସ୍କୋର: ନ୍ୟୁଜିଲାଣ୍ଡ୍ ୨୦ ଓଭରରେ ୧୬୭/୭ (ଗ୍ଲେନ୍ ଫିଲିପ୍ସ-୧୦୪, ଡାରିଲ୍ ମିଚେଲ୍-୨୨, ମିଚେଲ୍ ସାଣ୍ଟନର୍-୧୧*, କସୁନ ରଜିଥା-୨/୨୩)। ଶ୍ରୀଲଙ୍କା ୧୯.୨ ଓଭରରେ ୧୦୨/୧୦ (ଦାସୁନ ସଣକା-୬୫, ଭାନୁକା ରାଜପକ୍ଷ-୩୪, ଟ୍ରେଣ୍ଟ୍ ବୋଲ୍ଟ-୪/୧୩, ମିଚେଲ୍ ସାଣ୍ଟନର୍-୨/୨୧, ଈଶ ସୋଢ଼ୀ-୨/୨୧)।