ଫିଲିପ୍ସଙ୍କ ଦ୍ରୁତତମ ଟି-୨୦ କୀର୍ତ୍ତି, ୱେଷ୍ଟ୍‌ଇଣ୍ଡିଜ୍‌କୁ ଶୃଙ୍ଖଳା ପରାଜୟ ଦେଲା ନ୍ୟୁଜିଲାଣ୍ଡ୍‌

ମୁନ୍‌ରୋଙ୍କ କୀର୍ତ୍ତିମାନ ଭାଙ୍ଗିଲେ ଫିଲିପ୍ସ

ମାଉଣ୍ଟ ମଙ୍ଗନୁଇ: ଗ୍ଲେନ୍‌ ଫିଲିପ୍ସଙ୍କ ଦ୍ରୁତତମ ଟି-୨୦ ଶତକ ସାଙ୍ଗକୁ ଡେଭନ୍‌ କନ୍‌ୱେଙ୍କ ଅପରାଜିତ ଅର୍ଧଶତକ ପରେ ବୋଲରମାନଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ନ୍ୟୁଜିଲାଣ୍ଡ୍‌ ରବିବାର ଦ୍ବିତୀୟ ଟି-୨୦ ମ୍ୟାଚ୍‌କୁ ୭୨ ରନ୍‌ରେ ଜିତିନେଇଛି। ଏଥି ସହିତ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୨-୦ର ଅଗ୍ରଣୀ ସହ ଶେଷ ମ୍ୟାଚ୍‌ ପୂର୍ବରୁ ହାତେଇ ନେଇଛି। ୪୬ ବଲ୍‌ରେ ଶତକ ଏବଂ ୫୧ ବଲ୍‌ରେ ୧୦୮ ରନ୍‌ କରିଥିବା ଫିଲିପ୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଟସ୍‌ ଜିତି ୱେଷ୍ଟଇଣ୍ଡିଜ୍‌ ପ୍ରଥମେ ବ୍ୟାଟିଂ ପାଇଁ ନ୍ୟୁଜିଲାଣ୍ଡ୍‌କୁ ଆମନ୍ତ୍ରଣ କରିଥିଲା। ଏହାର ଭରପୁର ଫାଇଦା ଉଠାଇ ଘରୋଇ ଦଳ ୨୩୮/୩ କରିନେଇଥିଲା। ମାର୍ଟିନ୍‌ ଗପ୍ଟିଲ (୩୪) ଓ ଟିମ୍‌ ସେଫର୍ଟ (୧୮) ଦଳୀୟ ସ୍କୋର୍‌ ୫୩ ବେଳକୁ ପାଭିଲିୟନ୍‌ ଫେରିଯାଇଥିଲା ବେଳେ ଓ ଫିଲିପ୍ସ (୧୦୮ ରନ୍‌, ୮ ଛକା, ୧୦ ଚୌକା) ଓ କନ୍‌ୱେ (୬୫*) ତୃତୀୟ ୱିକେଟ୍‌ରେ ୧୮୪ ରନ୍ ଯୋଡ଼ି ସ୍ଥିତି ମଜବୁତ୍‌ କରିଥିଲେ। ଶେଷ ଓଭରର ପଞ୍ଚମ ବଲ୍‌ରେ ଫିଲିପ୍ସ ଆଉଟ୍‌ ହେଲା ବେଳକୁ ସ୍କୋର୍‌ ୨୩୭ରେ ପହଞ୍ଚି ଯାଇଥିଲା। ଓସାନେ ଥୋମାସ୍‌, ଫାବିଏନ୍‌ ଆଲେନ୍‌ ଓ କିରଣ ପୋଲାର୍ଡ ଗୋଟିଏ ଲେଖାଏଁ ୱିକେଟ୍‌ ପାଇଥିଲେ। ଜବାବରେ କେଲି ଜାମିସନ୍‌ (୪-୦-୧୫-୨) ଏବଂ ମିଚେଲ ସାଣ୍ଟ୍‌ନର୍‌ (୩-୦-୪୧-୨) ଦୁଇଟି ଲେଖାଏଁ ସାଙ୍ଗକୁ ଟିମ୍‌ ସାଉଦି, ‌ଲୋକି ଫର୍ଗୁସନ୍‌, ଈଶ୍‌ ସୋଢ଼ି ଓ ଜେମ୍‌ସ ନୀସାମଙ୍କ ଗୋଟିଏ ଲେଖାଏଁ ୱିକେଟ୍‌ ଦଖଲ ଯୋଗୁଁ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‌ ପାଳି ୧୬୬/୯ରେ ସୀମିତ ରହିଯାଇଥିଲା। ଆନ୍ଦ୍ରେ ପ୍ଲେଚର (୨୦), ସିମ୍ରନ୍‌ ହେଟ୍‌ମେୟର (୨୫), କେଲି ମେୟର୍ସ (୨୦), ଅଧିନାୟକ ପୋଲାର୍ଡ (୨୮), ଆଲେନ୍‌ (୧୫) ଓ କିମୋ ପଲ୍‌ (୨୬*) ଦୁଇ ଅଙ୍କ ଛୁଇଁଥିଲେ ମଧ୍ୟ ଦଳ ବିଜୟଠୁ ବହୁ ଦୂରରେ ରହିଯାଇଥିଲା।

ମୁନ୍‌ରୋଙ୍କ କୀର୍ତ୍ତିମାନ ଭାଙ୍ଗିଲେ ଫିଲିପ୍ସ
୪୬ ବଲ୍‌ରେ ଶତକ ଜମାଇଥିବା ଫିଲିପ୍ସ ଟି-୨୦ରେ ନ୍ୟୁଜିଲାଣ୍ଡ୍‌ ପକ୍ଷରୁ ଦ୍ରୁତତମ ସାବ୍ୟସ୍ତ ହୋଇଥିଲେ। ତାଙ୍କ ଶତକୀୟ ପାଳି ଅବସରରେ ସେ କଲିନ୍‌ ମୁନ୍‌ରୋ (୪୭ ବଲ୍‌ ଶତକ)ଙ୍କ କୀର୍ତ୍ତିମାନକୁ ଭାଙ୍ଗି ଦେଇଥିଲେ। ମୁନ୍‌ରୋ ୨୦୧୮ରେ ସମାନ ପ୍ରତିଦ୍ବନ୍ଦ୍ବୀ ୱେଷ୍ଟଇଣ୍ଡିଜ୍‌ ଏବଂ ସମାନ ପଡ଼ିଆ ମାଉଣ୍ଟ ମଙ୍ଗନୁଇରେ ଏହି କୀର୍ତ୍ତିମାନ ରଚିଥିଲେ।
୧୮୪: ରବିବାର ମ୍ୟାଚ୍‌ରେ କନ୍‌ୱେ ଓ ଫିଲିପ୍ସଙ୍କ ମଧ୍ୟରେ ତୃତୀୟ ୱିକେଟ୍‌ରେ ୧୮୪ ରନ୍‌ର ଭାଗୀଦାରି ହୋଇଥିଲା। ଯାହାକି ନ୍ୟୁଜିଲାଣ୍ଡ୍‌ ପାଇଁ ସର୍ବାଧିକ। ଏହା ପୂର୍ବରୁ ମାର୍ଟିନ୍‌ ଗପ୍ଟିଲ-କେନ୍‌ ୱିଲିୟମ୍‌ସନ୍‌ ପ୍ରଥମ ୱିକେଟ୍‌ରେ (୨୦୧୬, ପାକିସ୍ତାନ ବିପକ୍ଷ) ୧୭୧* ରନ୍‌ ଯୋଡ଼ିଥିଲେ। ଏବେ ଯେକୌଣସି ୱିକେଟ୍‌ ପାଇଁ କନ୍‌ୱେ-ଫିଲିପ୍ସଙ୍କ ୧୮୪ ସର୍ବାଧିକ ଭାଗୀଦାରି ରହିଲା। ତେବେ ପ୍ରଥମ ୱିକେଟ୍‌ ବ୍ୟତୀତ ଏକ ଯୋଡ଼ି ଟି-୨୦ ଆନ୍ତର୍ଜାତିକରେ ସର୍ବାଧିକ ଭାଗୀଦାରି (୧୮୨ ରନ୍‌, ୨୦୧୯ରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷ) ଗଢ଼ିବାର କୀର୍ତ୍ତିମାନ ଇଂଲଣ୍ଡର ଡେଭିଡ୍‌ ମଲାନ୍‌ ଓ ଇଅନ୍‌ ମୋର୍ଗାନ୍‌ଙ୍କ ନାମରେ ରହିଥିଲା। ଯାହାକୁ ମଧ୍ୟ କନ୍‌ୱ-ଫିଲିପ୍ସ ପଛରେ ପକାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର