କ୍ରୀଡ଼ାପ୍ରେମୀଙ୍କୁ ଆକର୍ଷିତ କରୁଛି ଫଟୋ ପ୍ରଦର୍ଶନୀ ‘ସାବାସ୍‌ ଦିଲୀପ’

ହକି ଲିଜେଣ୍ଡଙ୍କ କ୍ରୀଡ଼ା ଯାତ୍ରା ବତାଉଛି ‘ସାବାସ୍‌ ଦିଲୀପ’

ଭୁବନେଶ୍ୱର: ଏହା ମୋର ପ୍ରଥମ ଆନ୍ତର୍ଜାତିକ ମ୍ୟାଚର ଫଟୋ । ଏହାର କପି ମୋ ପାଖରେ ବି ନାହିଁ । ଏତେବର୍ଷ ପରେ ଆଉ ଥରେ ଏହାକୁ ଦେଖି ମୁଁ ରୋମାଞ୍ଚିତ ହେଉଛି । ୧୯୯୫ ମସିହା ଇନ୍ଦିରାଗାନ୍ଧୀ ଗୋଲ୍ଡକପ୍‌ ପ୍ରତିଯୋଗିତାରେ ଭାରତୀୟ ସିନିୟର ଦଳରୁ ପ୍ରଥମ କରି ଖେଳୁଥିବା ମ୍ୟାଚର ଫଟୋ ପ୍ରଦର୍ଶନୀରେ ଦେଖି ଗୁରୁବାର ଭାବବିହ୍ୱଳ ହୋଇଥିଲେ ପଦ୍ମଶ୍ରୀ ଦିଲୀପ ତିର୍କୀ । ବିଶ୍ୱ ହକିର ଏହି ଲିଜେଣ୍ଡ ନିକଟରେ ପ୍ରଥମ ଅଲିମ୍ପିକ୍‌ ଅଧିନାୟକ ଆକାରରେ ଜାତୀୟ ହକି ଫେଡେରେସନର ମୁଖ୍ୟ ବନିଛନ୍ତି । ତାହା ସହ ଶୁକ୍ରବାର ହେଉଛି ତାଙ୍କ ଜନ୍ମଦିନ। ତେଣୁ ଏହି ଅବସରରେ କ୍ରୀଡ଼ା ସାମ୍ବାଦିକ ସଂବିତ ମହାପାତ୍ରଙ୍କ ପ୍ରୟାସରେ ଆୟୋଜିତ ବିଶେଷ ପ୍ରଦର୍ଶନୀ ସାବାସ୍‌ ଦିଲୀପ ଗୁରୁବାର ଉଦଘାଟିତ ହୋଇଛି। ଏହି ପ୍ରଦର୍ଶନୀ କ୍ରୀଡ଼ାପ୍ରେମୀଙ୍କୁ ଆକର୍ଷିତ କରୁଛି। ପ୍ରଦର୍ଶନୀକୁ ଆସୁଥିବା ଦର୍ଶକମାନେ ଦିଲୀପ ତିର୍କୀଙ୍କ ଉପରେ ଅନେକ ଅଜଣା କଥା ଜାଣିବାକୁ ପାଉଛନ୍ତି।

ଜୟଦେବ ଭବନ ପ୍ରଦର୍ଶନୀ ହଲରେ ଆୟୋଜିତ ହୋଇଥିବା ଏହି ବିଶେଷ ପ୍ରଦର୍ଶନୀକୁ ପଦ୍ମଶ୍ରୀ ତିର୍କୀଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ ରାଜ୍ୟ କୃଷି ଓ କୃଷି ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ । ଏହି ପ୍ରଦର୍ଶନୀରେ ଦିଲୀପଙ୍କ ଖେଳ ଜୀବନ ବାବଦରେ ଅନେକ ଫଟୋ, ପେଣ୍ଟିଂ, କାର୍ଟୁନ ଆଦି ସହ ଦିଲୀପଙ୍କ ଖେଳ ଉପକରଣ ତଥା ସେ ଜିତିଥିବା ବିଶେଷ ପୁରସ୍କାର ଗୁଡିକ ପ୍ରଦର୍ଶିତ ହୋଇଛି । ତାଙ୍କ ପୁରା କ୍ୟାରିୟରର ମ୍ୟାଚ୍‌ ଓ ଗୋଲ ବିବରଣୀ ମଧ୍ୟ ରଖାଯାଇଛି ଦର୍ଶକଙ୍କ ଲାଗି । ଦିଲୀପଙ୍କ ବାବଦରେ ଅନେକ କବିତା ମଧ୍ୟ ଏହି ପ୍ରଦର୍ଶନୀରେ ସାମିଲ ହୋଇଛି ।

ମୁଖ୍ୟ ଅତିଥି ଡ. ପାଢୀ ତାଙ୍କ ପାଇଁ ଏହି ଉଦଘାଟନୀ ଦିବସ ଏକ ସ୍ମରଣୀୟ ଘଟଣା ହୋଇ ରହିବ ବୋଲି କହିଥିଲେ । ରେଳବାଇର ବରିଷ୍ଠ ଅଧିକାରୀ ଦିଲୀପ କୁମାର ସାମନ୍ତରାୟ, ବିଶିଷ୍ଟ କୋଚ୍‌ ଅରୁଣ କୁମାର ଦାସ, ପୂର୍ବତନ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତି, ଭାରତୀୟ ଚେସ୍‌ ସଂଘର ଯୁଗ୍ମ ସମ୍ପାଦକ ରଞ୍ଜନ କୁମାର ମହାନ୍ତି, ଏଭରେଷ୍ଟ ବିଜେତା ଗଣେଶ ଜେନା, ବିଶିଷ୍ଟ କୋଚ୍‌ ହରିପ୍ରସାଦ ପଟ୍ଟନାୟକ, ବିଶିଷ୍ଟ ଖେଳାଳି ରଶ୍ମି ରଞ୍ଜନ ପରିଡା ଓ ଏସ୍‌. ସତ୍ୟପ୍ରଜ୍ଞାଙ୍କ ସହ ବହୁ ଖେଳାଳି ପ୍ରଶିକ୍ଷକ ମିଡିଆ କର୍ମୀ ଏବଂ କିସ୍‌ର ୧୦ଜଣ ଯୁବା ହକି ତାରକା ଉଦଘାଟନୀ ଉତ୍ସବରେ ସାମିଲ ହୋଇଥିଲେ । ଏହି ପ୍ରଦର୍ଶନୀ ଶୁକ୍ରବାର ସନ୍ଧ୍ୟାରେ ଶେଷ ହେବ ।

ସମ୍ବନ୍ଧିତ ଖବର