ପିଙ୍ଗ୍ଚାଙ୍ଗ୍,: କାଠୁଆ ଜାଡ଼ ପାଇଁ ପିଙ୍ଗ୍ଚାଙ୍ଗ୍ ଶୀତକାଳୀନ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଖେଳାଳିମାନେ ବହୁ କଷ୍ଟ ସହୁଛନ୍ତି। ହେଲେ ଦକ୍ଷିଣ କୋରିଆର ଏହି ଛୋଟ ହେଲେ ସୁନ୍ଦର ସହର ଏବେ ପ୍ରେମର ପେଣ୍ଠସ୍ଥଳୀ ପାଲଟିଛି। ଏଠାରେ ରହି ଶୀତକାଳୀନ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ବିଭିନ୍ନ ଦେଶର ଖେଳାଳିମାନେ ଏବେ ପସନ୍ଦର ପୁଅ ଝିଅଙ୍କୁ କେବଳ ଗୋଟିଏ ପ୍ରଶ୍ନ ପଚାରୁଛନ୍ତି ମୋ ଅଲିମ୍ପିକ୍ସ ଭାଲେଣ୍ଟାଇନ୍ ହେବକି? ପିଙ୍ଗଚାଙ୍ଗ୍ କ୍ରୀଡ଼ାଗ୍ରାମରେ ମଧ୍ୟ ଜୋରସୋରରେ ଭାଲେଣ୍ଟାଇନ୍ ଡେ’ ବା ପ୍ରେମ ଦିବସ ପାଳିତ ହୋଇଛି। ଏପରିକି ଅନେକ ଖେଳାଳି, ଅଧିକାରୀ, ସାମ୍ବାଦିକ ଏବଂ ସ୍ୱେଚ୍ଛାସେବୀମାନେ ଡେଟିଂ ସାଇଟ୍ ‘ଟିଣ୍ଡର’ରେ ନିଜ ପ୍ରୋଫାଇଲ୍ ପୋଷ୍ଟ କରି ସାଥୀ ଖୋଜୁଛନ୍ତି। ଅନେକ ସ୍ଥାନରେ ଖେଳାଳିମାନେ ପ୍ରେମଲୀଳାରେ ମାତିଥିବା
ଦେଖିବାକୁ ମିଳୁଛି। ଅଘଟଣକୁ ରୋକିବା ଲାଗି ଖାସ୍ ପ୍ରେମ ଦିବସ ପାଇଁ ଆୟୋଜକମାନେ ପାଖା ପାଖି ୩,୦୦୦ ଖେଳାଳିଙ୍କ ମଧ୍ୟରେ ୧୧୦,୦୦୦ କଣ୍ଡୋମ ବାଣ୍ଟିଛନ୍ତି। ଅର୍ଥାତ୍ ସେମାନେ ଜଣେ ଖେଳାଳିଙ୍କୁ ଅନ୍ୟୁନ ୩୮ କଣ୍ଡୋମ ଦେଇଛନ୍ତି। ଏତେ ସଂଖ୍ୟକ କଣ୍ଡୋମ ପୂର୍ବରୁ କେବେ ବି ଏବଂ କୌଣସି ଶୀତକାଳୀନ ଅଲିମ୍ପିକ୍ସରେ ବଣ୍ଟା ଯାଇ ନଥିଲା। ଏହି କଣ୍ଡୋମଗୁଡ଼ିକୁ କନ୍ଭିନିଏନ୍ସ କୋ ନାମକ ଏକ ରବର ଉତ୍ପାଦକ ଦାନ କରିଛି। ତେବେ ସବୁ କଣ୍ଡୋମ ଉପଯୋଗ ହେବାର ସମ୍ଭାବନା କମ୍ ବୋଲି ଏହି କଂପାନିର ଜଣେ ଅଧିକାରୀ କହିଛନ୍ତି।
ପିଙ୍ଗଚାଙ୍ଗ ଏବଂ ଏହାର ଆଖପାଖ ଅଞ୍ଚଳରେ ଟିଣ୍ଡର ଡେଟିଂ ସାଇଟ ବ୍ୟବହାରକାରୀ ସଂଖ୍ୟ ଅହେତୁକ ଭାବେ ବୃଦ୍ଧି ପାଇଥିବା କଂପାନି ତରଫରୁ ମଧ୍ୟ କୁହା ଯାଇଛି। ସୂଚନାଯୋଗ୍ୟ ଯେ ଟିଣ୍ଡର ଏକ ଡେଟିଂ ବା ସାଥୀ ଖୋଜିବା ସାଇଟ୍ ହୋଇଥିଲା ବେଳେ ୨୦୧୨ରେ ପ୍ରଥମ ଥର ପାଇଁ ଏହାକୁ ଆରମ୍ଭ କରାଯାଇଥିଲା। ସେବେଠାରୁ ଏହା ବେଶ୍ ଲୋକପ୍ରିୟ ହେବାରେ ଲାଗିଛି।