ଗୋଲାପି ବଲ୍ ବିଳମ୍ବରେ ଘୂରିବ: ରାହାଣେ

ଇନ୍ଦୋର: ଭାରତୀୟ ଟେଷ୍ଟ୍‌ ଦଳର ଉପଅଧିନାୟକ ଆଜିଙ୍କ୍ୟ ରାହାଣେ ପ୍ରଥମ ଥର ଗୋଲାପି ବଲ୍‌ (ବାଂଲାଦେଶ ବିପକ୍ଷ ଦିବା ରାତ୍ର ଟେଷ୍ଟ୍‌)ରେ ଖେଳିବା ନେଇ ବେଶ୍ ଉତ୍ସାହିତ ଅଛନ୍ତି। ଗୋଲାପି ବଲ୍‌ରେ ଅଭ୍ୟାସ କରିବା ପରେ ନିଜ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ ଲାଲ୍ ବଲ୍‌ଠାରୁ ଗୋଲାପି ବଲ୍‌ରେ ଖେଳିବା ସଂପୂର୍ଣ୍ଣ ଭିନ୍ନ ଏବଂ ଅଲଗା କଥା। ଆମେ ଉଭୟ ଦିନ ଏବଂ ରାତିରେ ଗୋଲାପି ବଲ୍‌ ଅଭ୍ୟାସ କରିଛୁ। ଏହାର ଅନୁଭୂତି ବେଶ୍ ରୋମାଞ୍ଚକର। ମୁଁ ପ୍ରଥମ ଥର ପାଇଁ ଗୋଲାପି ବଲ୍‌ରେ ଖେଳିଲି। ବ୍ୟକ୍ତିଗତ ଅଭିଜ୍ଞତାରୁ ମୁଁ କହିପାରିବି ଯେ ଏହି ବଲ୍‌ ବିଳମ୍ବରେ ଘୂରିବା ଆରମ୍ଭ କରିବ। ଲାଲ୍ ବଲ୍ ଠାରୁ ଏହି ବଲ୍‌ରେ ଅଧିକ ଟର୍ନ ମିଳିବ। ସେଥିପାଇଁ ଆମକୁ ଟିକିଏ ବିଳମ୍ବରେ ସଟ୍ ଖେଳିବାକୁ ହେବ। ନିଜ ଖେଳିବା ଶୈଳୀରେ ମଧ୍ୟ କିଛିଟା ପରିବର୍ତନ ଆଣିବାକୁ ହେବ। ଏହି କ୍ଷେତ୍ରରେ ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ ଆମର ମାର୍ଗଦର୍ଶନ କରିଛନ୍ତି। ତେବେ ଆମେ ଏବେ ନାଗପୁର ଟେଷ୍ଟ ଉପରେ ଅଧିକ ଧ୍ୟାନ ଦେଉଛୁ। ‌ସେହିଭଳି ଦିନିକିଆ ପ୍ରତ୍ୟାବର୍ତ୍ତନ ଉପରେ ରାହାଣେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଫେବ୍ରୁଆରି, ୨୦୧୮ ଦକ୍ଷିଣ ଆଫ୍ରିକାରେ ଭାରତ ପାଇଁ ଶେଷ ଦିନିକିଆ ଖେଳିଥିଲେ ରାହାଣେ। ତା’ପରଠାରୁ ଦିନିକିଆ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ହାସଲ କରିପାରିନାହାନ୍ତି। ଟେଷ୍ଟ୍‌ କ୍ରିକେଟ୍‌ରେ ମୋତେ ଭଲ ଖେଳିବାର ଅଛି, ଭଲ ରନ୍ କରିବାର ଅଛି। ଏହାହେଲେ ମୋର ବିଶ୍ବାସ ମୁଁ ନିଶ୍ଚିତ ଦିନିକିଆ ଦଳକୁ ଫେରିବି ବୋଲି ସେ କହିଛନ୍ତି। ୯୦ ଦିନିକିଆ ଖେଳିସାରିଥିବା ୩୧ ବର୍ଷୀୟ ରାହାଣେ ୩୫.୨୬ ହାରରେ ୩ ଶତକ ଓ ୨୪ ଅର୍ଧଶତକ ସହାୟତାରେ ୨୯୬୨ ରନ୍‌ କରିଛନ୍ତି। ଦିନିକିଆରେ ରାହାଣେଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ ହେଉଛି ୧୧୧ ରନ୍। ବାଂଲାଦେଶ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାରେ ନିଜର ସାମର୍ଥ୍ୟ ବୃଦ୍ଧି ଉପରେ ଗୁରୁତ୍ବ ଦେଉଥିବା ରାହାଣେ ପ୍ରକାଶ କରିଛନ୍ତି। ରାହାଣେ ବର୍ତ୍ତମାନ ସୁଦ୍ଧା ୬୧ ଟେଷ୍ଟ୍‌ ଖେଳି ୪୩.୨୧ ହାରରେ ୧୧ ଶତକ ଓ ୨୦ ଅର୍ଧଶତକ ସହାୟତାରେ ୩୯୭୫ ରନ୍‌ କରିଛନ୍ତି। ଟେଷ୍ଟ୍‌ କ୍ରିକେଟ୍‌ରେ ରାହାଣେ ଆଇସିସି ବ୍ୟାଟିଂ ମାନ୍ୟତା ପଞ୍ଚମ ସ୍ଥାନରେ ଅଛନ୍ତି। ନଭେମ୍ବର ୧୪ରୁ ଇନ୍ଦୋରରେ ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ୍‌ ଖେଳାଯିବାକୁ ଥିବା ବେଳେ ଦ୍ବିତୀୟ ଟେଷ୍ଟ୍‌ (ଦିବା-ରାତ୍ର) କୋଲକାତାରେ ନଭେମ୍ବର ୨୨ରୁ ଖେଳାଯିବ।

ସମ୍ବନ୍ଧିତ ଖବର