ଇନ୍ଦୋର: ପ୍ରଥମ ଟେଷ୍ଟ୍ ମାତ୍ର ତିନି ଦିନ ଭିତରେ ଶେଷ ହେବା ପରେ ଉଭୟ ଭାରତ ଏବଂ ବାଂଲାଦେଶ ଖେଳାଳିମାନେ ଇନ୍ଦୋରରେ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି। କୋଲ୍କାତାର ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଆସନ୍ତା ୨୨ ତାରିଖରୁ ଖେଳାଯିବାକୁ ଥିବା ପ୍ରଥମ ଦିବା-ରାତ୍ର ଟେଷ୍ଟ୍ ଲାଗି ଏଠାରେ ଉଭୟ ଦଳ ଗୋଲାପି ବଲ୍ରେ ପ୍ରସ୍ତୁତି କରୁଛନ୍ତି। ଏହି ପ୍ରତୀକ୍ଷିତ ଟେଷ୍ଟ୍ ମ୍ୟାଚ୍ ଲାଗି ଆଉ ୪ ଦିନରୁ ଅଧିକ ସମୟ ଥିବାରୁ ଉଭୟ ଦଳ ଗୋଲପି ବଲ୍ର ସ୍ବଭାବ ବୁଝିବାରେ ହିଁ ଅଧିକ ସମୟ କଟାଉଛନ୍ତି। ଗୋଲାପି ବଲ୍ରେ ଆଗରୁ କେବେ ବି ଖେଳି ନାହାନ୍ତି ବୋଲି ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରଥମ ଟେଷ୍ଟ୍ ଆରମ୍ଭ ହେବା ପୂର୍ବରୁ କହିଥିଲେ। ସେଥିପାଇଁ ସେ ଅନ୍ୟ ଖେଳାଳିଙ୍କ ଅପେକ୍ଷା ଅଧିକ ସମୟ ଅଭ୍ୟାସ କରିଛନ୍ତି। ସେମିତି ବି ଇନ୍ଦୋରରେ କୋହଲି ଖାତା ଖୋଲି ପାରିନଥିଲେ। ଏହାର ଭରଣା ସେ କୋଲ୍କାତାରେ କରିବାକୁ ଚାହୁଁଛନ୍ତି। ଇନ୍ଦୋରରେ ଭାରତ ଅନ୍ୟୁନ ପାଞ୍ଚଟି କ୍ୟାଚ୍ ହାତଛଡ଼ା କରିଥିବାରୁ କୋଲକାତାରେ ଏହି ଦୁର୍ବଳତାକୁ ଦୂର କରିବା ଲକ୍ଷ୍ୟରେ ରହିଛି। ଭାରତର ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି। ଗୋଲାପି ବଲ୍ରେ ଭାରତୀୟ ସ୍ପିନରଙ୍କ ସହ ଦ୍ରୁତ ବୋଲର ମଧ୍ୟ ଭଲ ପ୍ରଦର୍ଶନ କରିବେ ବୋଲି ସେ ଦୃଢ଼ ଆଶା ପୋଷଣ କରିଛନ୍ତି। ସୌରଭ ଗାଙ୍ଗୁଲିଙ୍କ ତତ୍ତ୍ବାବଧାନରେ ଆୟୋଜିତ ହେବାକୁ ଯାଉଥିବା ଭାରତର ପ୍ରଥମ ଦିବା ରାତ୍ର ଟେଷ୍ଟ୍ ଦୀର୍ଘ ଦିନ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍ପ୍ରେମୀ ମନରେ ସ୍ମରଣୀୟ ହୋଇ ରହିବ ବୋଲି ଆଶା କରାଯାଉଛି।
ଆକାଶ ଛତାରେ ଆସିବ ବଲ୍
ଇଡେନ୍ ଗାର୍ଡେନ୍ସରେ ଖେଳାଯିବାକୁ ଥିବା ଭାରତର ପ୍ରଥମ ଦିବା ରାତ୍ର ଟେଷ୍ଟ୍ ଲାଗି ‘ବଲ୍’ ଆକାଶ ଛତାରେ ଆସିବ। ଭାରତୀୟ ସେନାର ଦୁଇ ଜଣ ବିଶେଷଜ୍ଞ ପାରାଟ୍ରୁପର ଦୁଇଟି ଗୋଲାପି ବଲ୍ ଧରି ଆକାଶମାର୍ଗରୁ ପିଚ୍ ଉପରେ ଓହ୍ଲାଇବେ। ବେଙ୍ଗଲ କ୍ରିକେଟ୍ ସଂଘର ସଂପାଦକ ଅଭିଷେକ ଡାଲମିଆ ଏହି ସୂଚନା ଦେଇଛନ୍ତି। ଏଥିଲାଗି ଭାରତୀୟ ସେନା ସହ ଆଲୋଚନା ସରିଛି। ସେନା ମଧ୍ୟ ମ୍ୟାଚ୍ ପୂର୍ବରୁ ଉଭୟ ଦଳର ଜାତୀୟ ସଂଗୀତ ବଜାଇବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପାରମ୍ପରିକ ଘଣ୍ଟି ବଜାଇ ମ୍ୟାଚ୍ର ଶୁଭାରମ୍ଭ ସଙ୍କେତ ଦେବେ। ୨୦୦୧ ମସିହାରେ ଭାରତକୁ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ଟେଷ୍ଟ୍ ବିଜୟ ଉପହାର ଦେଇଥିବା ପାଞ୍ଚ ଜଣ କିମ୍ବଦନ୍ତୀ ଖେଳାଳି ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ।
ଇଡେନ୍ ପିଚ୍ ପ୍ରସ୍ତୁତ
ବହୁ ପ୍ରତୀକ୍ଷିତ ଦିବା ରାତ୍ର ଟେଷ୍ଟ୍ ଲାଗି ଇଡେନ୍ ଗାର୍ଡେନ୍ସ ପିଚ୍ ମଧ୍ୟ ପୂରା ପ୍ରସ୍ତୁତ ରହିଛି। କ୍ୟୁରେଟର ସୁଜାନ ମୁଖାର୍ଜୀ ଏହି ସୂଚନା ଦେଇଛନ୍ତି। ବୁଲ୍ବୁଲ୍ ଘୂର୍ଣ୍ଣିଝଡ଼ କୋଲକାତା ସହରରେ ବ୍ୟାପକ କ୍ଷୟ କ୍ଷତି କରିଥିଲେ ମଧ୍ୟ ଇଡେନ୍ ପିଚ୍ ଏହା ଦ୍ବାରା ବିଶେଷ ପ୍ରଭାବିତ ହୋଇନାହିଁ ବୋଲି ସେ କହିଛନ୍ତି। ପିଚ୍ ବହୁତ ଭଲ ସ୍ଥିତିରେ ଅଛି। ଏହା ଉଭୟ ବ୍ୟାଟିଂ ଏବଂ ବୋଲିଂ ପାଇଁ ଉପଯୋଗୀ ହେବ। ଗୋଲାପି ବଲ୍ରେ ପିଚ୍ କିଭଳି ଭାବେ ବ୍ୟବହାର କରିବ, ତାହା ଜାଣିବା ଲାଗି ମୁଖାର୍ଜୀ ଏଥିରେ ଏକ ଅଭ୍ୟାସ ମ୍ୟାଚ୍ କରିବାକୁ ଲକ୍ଷ୍ୟ ରଖିଥିଲେ। ତେବେ ଖରାପ ପାଗ ପାଇଁ ଏହା ସମ୍ଭବ ହେଲା ନାହିଁ ବୋଲି ସେ କହିଛନ୍ତି। ଇଡେନରେ ଗୋଲାପି ବଲ୍ ମାତ୍ର ୨ ଦିନ ତଳେ ପହଞ୍ଚିଛି। ଆସନ୍ତା ଦିନେ ଦୁଇ ଦିନ ଧରି ଆମେ ପିଚ୍ରେ ଏହାର ପରୀକ୍ଷାନିରୀକ୍ଷା କରିବୁ। ତେବେ ବଲ୍ର ରଙ୍ଗ ଯାହା ହେଉ ନା କାହିଁକି ଦର୍ଶକ ଏକ ଭଲ ମ୍ୟାଚ୍ ଦେଖିବାକୁ ପାଇବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।