କୋଲକାତା: ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ପ୍ରଥମ ଦିବା ରାତ୍ର ଟେଷ୍ଟ୍‌ରେ ଅନେକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି ଭାରତୀୟ କ୍ରିକେଟ୍ ଦଳ। ବାଂଲାଦେଶକୁ ଗୋଟିଏ ପାଳି ଏବଂ ୪୬ ରନ୍‌ରେ ଧ୍ବସ୍ତ ବିଧ୍ବସ୍ତ କରି ଗୋଲାପି ବଲ୍‌ରେ ଗୌରବମୟ ଅଭିଯାନ ଆରମ୍ଭ କରିଛି କୋହଲି ବାହିନୀ। ତା’ ସହ ଦୁଇ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୨-୦ରେ ପୋଛି ନେଇଛି। ଭାରତର ପ୍ରଥମ ପାଳି ସ୍କୋର ୩୪୭/୯ (ଘୋଷିତ) ଜବାବରେ ପ୍ରତିପକ୍ଷ ବାଂଲାଦେଶ ଦୁଇଟି ଯାକ ପାଳି ମିଶାଇ ମାତ୍ର ୩୦୧ ରନ୍ (୧୦୬ ଓ ୧୯୫) କରି ପାରିଛି। ଫଳରେ ଭାରତ ଲଗାତାର ସପ୍ତମ ଟେଷ୍ଟ ମ୍ୟାଚ୍ ଜିତିଛି। ସେହିଭଳି ଇଡେନ୍ ବିଜୟ ପରେ ଘରୋଇ ପରିବେଶରେ ଲଗାତାର ଦ୍ବାଦଶ ଶୃଙ୍ଖଳା ବିଜୟ ସହ କ୍ରମାଗତ ଚାରିଟି ଟେଷ୍ଟ୍‌ରେ ପାଳି ବିଜୟ କରିବାର ବିଶ୍ବ କୀର୍ତ୍ତିମାନ ମଧ୍ୟ କରିଛି ଭାରତ। ଗୋଲାପି ବଲ୍‌ରେ ପ୍ରଥମ ଥର ପାଇଁ ଖେଳିଥିବା ଭାରତୀୟ ଦ୍ରୁତ ବୋଲର ଅଢ଼େଇ ଦିନରୁ କମ୍ ସମୟ ମଧ୍ୟରେ ଲଢ଼େଇ ଶେଷ କରି ଇଡେନ୍ ଟେଷ୍ଟ୍‌ ବିଜୟକୁ ସ୍ମରଣୀୟ କରି ଦେଇଛନ୍ତି। ମାଇଲଖୁଣ୍ଟ ମ୍ୟାଚ୍‌ରେ ଶତକୀୟ ପାଳି ଖେଳିଥିବା ଅଧିନାୟକ ବିରାଟ କୋହଲି ମଧ୍ୟ ଭାରତର ଦିବା ରାତ୍ର ଟେଷ୍ଟ୍‌ ଇତିହାସରେ ନିଜ ନାମକୁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରି ନେଇଛନ୍ତି। ଶୃଙ୍ଖଳା ସାରା ନିଜ ଗତି ଏବଂ ସୁଇଂରେ ବାଂଲା ବ୍ୟାଟ୍ସମ୍ୟାନଙ୍କୁ ଘାଇଲା କରିଥିବା ଦ୍ରୁତ ବୋଲର ଈଶାନ୍ତ ଶର୍ମା ମ୍ୟାଚ୍ ଏବଂ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଭାରତ ପାଇଁ ଏହା ମଧ୍ୟ ସବୁଠୁ ଛୋଟିଆ ଟେଷ୍ଟ୍‌ ଥିଲା। ଇଡେନ୍ ଗାର୍ଡେନ୍ସରେ ଭାରତୀୟ ବୋଲର ମାତ୍ର ୯୬୮ ବଲ୍‌ରେ ବାଂଲାଦେଶକୁ ପରାସ୍ତ କରି ଗତବର୍ଷ ଆଫଗାନିସ୍ତାନକୁ ୧୦୨୮ ବଲ୍‌ରେ ହରାଇବାକୁ ଟପିଥିଲେ।

Advertisment

ଧୋନିଙ୍କୁ ଟପିଲେ କୋହଲି
ଗୋଲାପି ଟେଷ୍ଟ୍‌ ବିଜୟ ସହ ଭାରତୀୟ ଅଧିନାୟକ ବିରାଟ କୋହଲି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଟପିଛନ୍ତି। ଲଗାତାର ସାତଟି ଟେଷ୍ଟ୍‌ ଜିତିବାରେ କୋହଲି ଭାରତର ପ୍ରଥମ ଅଧିନାୟକ ହୋଇଛନ୍ତି। ଏହି କ୍ରମରେ ସେ ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି। ୨୦୧୩ରେ ଧୋନିଙ୍କ ନେତୃତ୍ବରେ ଭାରତ ଲଗାତାର ୬ ଟେଷ୍ଟ ଜିତିଥିଲା। ଭାରତ ମଧ୍ୟ ଲଗାତାର ପଞ୍ଚମ ଟେଷ୍ଟ ଶୃଙ୍ଖଳା ଏବଂ ଘରୋଇ ପରିବେଶରେ ଲଗାତାର ଦ୍ବାଦଶ ଶୃଙ୍ଖଳା ବିଜୟ ହାସଲ କଲା।

୪୭ ମିନିଟ୍‌ରେ ଖେଳ ଖତମ
ବାଂଲାଦେଶର ୧୦୬ ରନ୍ ଜବାବରେ କୋହଲିଙ୍କ କୀର୍ତ୍ତିମାନ ଭରା ଶତକ ପାଇଁ ଭାରତ ୨୪୧ ରନ୍‌ର ଅଗ୍ରଣୀ ଲାଭ କରିଥିଲା। ଦ୍ବିତୀୟ ପାଳିରେ ପୁଣି ଥରେ ବାଂଲାଦେଶ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୫୨ ରନ୍‌ରେ ୬ ୱିକେଟ୍ ହରାଇବା ପରେ ଶନିବାର ଦ୍ବିତୀୟ ଦିନରେ ହିଁ ଭାରତ ବିଜୟ ପକ୍କା ହୋଇ ଯାଇଥିଲା। କେବଳ ଯାହା ବଳକା ୪ ୱିକେଟ୍ ନେବାର ଔପଚାରିକତା ବାକି ରହିଥିଲା। ସେଥିରୁ ତିନିଟିକୁ ରବିବାର ମାତ୍ର ୪୭ ମିନିଟ୍ ଭିତରେ ହାସଲ କରି ନେଇଥିଲେ ଉମେଶ ଯାଦବ। ଅବସର ଆହତ ହୋଇଥିବା ମହମ୍ମଦୁଲ୍ଲା ବ୍ୟାଟିଂ ପାଇଁ ନଆସିବାରୁ ବାଂଲାଦେଶ ପାଳି ଆଉ ମାତ୍ର ୮.୨ ଓଭର ଭିତରେ ଶେଷ ହୋଇ ଯାଇଥିଲା। ଦିନର ଦଶମ ବଲ୍‌ରେ ଇବାଦତ ହୁସନେ (୦)ଙ୍କୁ ଆ‌ଉଟ୍ କରିବା ପରେ ଏକାକି ଲଢ଼ୁଥିବା ମୁସଫିକର ରହିମ (୭୪) ଏବଂ ଅଲ ଅମିନ ହୁସେନ (୨୧)ଙ୍କୁ ଆଉଟ୍ କରି ବାଂଲା ପାଳିରେ ପୂର୍ଣ୍ଣଛେଦ ଟାଣିଥିଲେ। ସେ ମଧ୍ୟ ବ୍ୟକ୍ତିଗତ ଭାବେ ନିଜ ଖେଳ ଜୀବନର ତୃତୀୟ ପାଞ୍ଚ ୱିକେଟ୍ ସଫଳତା ଲାଭ କରିଥିଲେ।

ଦରକାର ପଡ଼ିଲେନି ସ୍ପିନର
ଇଡେନ୍ ଗାର୍ଡେନ୍ସର ଐତିହାସିକ ଗୋଲାପି ବଲ୍ ଟେଷ୍ଟ୍‌ରେ ଭାରତୀୟ ଦ୍ରୁତ ବୋଲର ପ୍ରତିପକ୍ଷ ବାଂଲାଦେଶର ସମସ୍ତ ୱିକେଟ୍ କରାୟତ କରିଥିଲେ। ସ୍ପିନରଙ୍କୁ ୱିକେଟ୍ ନେବାର ଆବଶ୍ୟକତା ପଡ଼ି ନଥିଲା। ଘରୋଇ ପରିବେଶରେ ପ୍ରଥମ ଥର ପାଇଁ ସ୍ପିନରମାନେ ୱିକେଟ୍ ନନେଇ ଭାରତ ବିଜୟୀ ହୋଇଥିଲା। ଏହା ପୂର୍ବରୁ ଗତବର୍ଷ ଜୋହାନେସବର୍ଗରେ ଦକ୍ଷିଣ ଆଫ୍ରିକା‌ ବିପକ୍ଷରେ ଭାରତ ଏଭଳି ବିଜୟ ପାଇଥିଲା। ସେଠାରେ ଭାରତର ୪ ଜଣ ଦ୍ରୁତ ବୋଲର ଦକ୍ଷିଣ ଆଫ୍ରିକାର ୨୦ ୱିକେଟ୍ ଅକ୍ତିଆର କରିବାକୁ ସକ୍ଷମ ‌ହୋଇଥିଲେ। ବାଂଲାଦେଶର ପ୍ରଥମ ପାଳିରେ ଈଶାନ୍ତ ଶର୍ମା ୫, ଉମେଶ ଯାଦବ ୩ ଏବଂ ମହମ୍ମଦ ସାମି ୨ ୱିକେଟ୍ ନେଇଥିଲେ। ସେହିଭଳି ଦ୍ବିତୀୟ ପାଳିରେ ଈଶାନ୍ତ ୪, ଉମେଶ ୫ ୱିକେଟ୍ ହାସଲ କରିଥିଲେ। ବାଂଲା ବ୍ୟାଟ୍ସମ୍ୟାନ୍ ମହମ୍ମଦୁଲ୍ଲା ଦ୍ବିତୀୟ ପାଳିରେ ଆହତ ଅବସର ହୋଇ ଆଉ ବ୍ୟାଟିଂ ପାଇଁ ନଆସିବାରୁ ବାଂଲାଦେଶ ପାଳିର ୧୯ ୱିକେଟ୍‌ରେ ଖେଳ ଶେଷ ହୋଇ ଯାଇଥିଲା।

କ୍ରମାଗତ ପାଳି ବିଜୟରେ ବିଶ୍ବ କୀର୍ତ୍ତିମାନ
ଇଡେନ୍ ଗାର୍ଡେନ୍ସର ଗୋଲାପି ଟେଷ୍ଟ୍‌କୁ ସହଜରେ ଜିତିବା ପରେ ଭାରତୀୟ କ୍ରିକେଟ୍ ଦଳ କ୍ରମାଗତ ପାଳି ବିଜୟରେ ବିଶ୍ବ କୀର୍ତ୍ତିମାନ କରିଛି। ଚାରିଟି ଟେଷ୍ଟ୍‌ରେ ଲଗାତାର ପାଳି ବିଜୟ ହାସଲ କରିବା‌ରେ ଭାରତ ବିଶ୍ବର ପ୍ରଥମ ଦଳ ହୋଇଛି। ଏହି ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ଖେଳିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇଟି ଟେଷ୍ଟ୍‌ରେ ଭାରତୀୟ କ୍ରିକେଟ୍ ଦଳ ପାଳି ବିଜୟ ପାଇଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ଟିକିଆ ଶୃଙ୍ଖଳାର ବିଶାଖାପାଟଣାରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌କୁ ଭାରତ ୨୦୩ ରନ୍‌ରେ ଜିତି ନେଇଥିଲା। ଏହା ପରେ ପୁନେରେ ଖେଳିଥିବା ଦ୍ବିତୀୟ ଟେଷ୍ଟ୍‌ରେ ଗୋଟିଏ ପାଳି ଏବଂ ୧୩୭ ରନ୍ ଏବଂ ରାଞ୍ଚିରେ ଖେଳିଥିବା ତୃତୀୟ ତଥା ଶେଷ ଟେଷ୍ଟ୍‌କୁ ପାଳି ଏବଂ ୨୦୨ ରନ୍‌ରେ ଜିତି ନେଇଥିଲା ଭାରତ। ଏହା ପରେ ଇନ୍ଦୋରରେ ଖେଳିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍‌କୁ ପାଳି ଏବଂ ୧୩୦ ରନ୍‌ରେ ଜିତିଥିଲା କୋହଲି ବାହିନୀ।