କୋଲକାତା: ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଦିବା-ରାତ୍ର ଟେଷ୍ଟ୍‌ର ଚତୁର୍ଥ ଓ ପଞ୍ଚମ ଦିନର ଟିକେଟ୍ ମୂଲ୍ୟ ପ୍ରଶଂସକଙ୍କୁ ଫେରାଇବା ବେଙ୍ଗଲ କ୍ରିକେଟ୍‌ ସଂଘ(ସିଏବି)। ଏହି ପ୍ରକ୍ରିୟା ଆରମ୍ଭ କରାଯାଇ ସାରିଥିବା ସୋମବାର ଘୋଷଣା କରିଛି ସଂଘ। ଏହି ମାଇଲଖୁଣ୍ଟ ମ୍ୟାଚ୍ ଲାଗି ସିଏବି ସମସ୍ତ ପାଞ୍ଚ ଦିନର ଟିକେଟ ବିକ୍ରି କରିଥିଲା। ହେଲେ ମ୍ୟାଚ୍ ମ୍ୟାଚ୍ ତିନିଦିନରେ ଶେଷ ହୋଇଥିଲା। ଫଳରେ ବଳକା ଦୁଇ ଦିନ ପାଇଁ ଟିକେଟ କିଣିଥିବା କ୍ରିକେଟ୍ ପ୍ରେମୀଙ୍କ ଟିକେଟ ଅର୍ଥ (ଉଭୟ ଅନଲାଇନ୍ ଓ ଅଫଲାଇନ୍ ଟିକେଟ୍) ଫେରାଇବାକୁ ନିଷ୍ପତ୍ତି ନେଇଛି ସଂଘ। ଏହି ମ୍ୟାଚ୍‌ରେ ଭାରତ ପାଳି ଓ ୪୬ ରନରେ ବାଂଲାଦେଶକୁ ପରାସ୍ତ କରିଥିଲା। ଟେଷ୍ଟ୍ ମ୍ୟାଚ୍‌ର ପ୍ରଚଳିତ ନିୟମ ଅନୁଯାୟୀ ଯଦି ‌କୌଣସି ମ୍ୟାଚ୍‌ରେ ଗୋଟିଏ ଗୋଟିଏ ବଲ୍‌ ବି ପଡ଼େ, ତାହାଲେ ଟଙ୍କା ଫେରସ୍ତ କରାଯିବାର ବ୍ୟବସ୍ଥା ନାହିଁ। କିନ୍ତୁ ଅଧିକ ଲୋକଙ୍କ ଉପସ୍ଥିତିକୁ ଦୃଷ୍ଟିରେ ରଖି ଏହି ମ୍ୟାଚ୍‌ରେ ସିଜିନ ଟିକେଟ ବଦଳରେ ଦିନିକିଆ ଟିକେଟ୍ ବ୍ୟବସ୍ଥା କରାଯାଇଥିଲା। ଯେହେତୁ ଶେଷ ଦୁଇଦିନ କୌଣସି ଖେଳ ହୋଇନାହିଁ ତେଣୁ ଚତୁର୍ଥ ଓ ପଞ୍ଚମ ଦିନ ପାଇଁ ହୋଇଥିବା ଟିକେଟର ଟଙ୍କା ଫେରସ୍ତ କରିବା ଆମର ନୈତିକ ଦାୟିତ୍ବ। ଯାହାପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ତେବେ ପ୍ରଥମ ତିନିଦିନରେ ଷ୍ଟାଡିୟମରେ ବଡ଼ ଉପସ୍ଥାନ ପାଇଁ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛି ସିଏବି।

Advertisment

କୋହଲିଙ୍କ ଗାଙ୍ଗୁଲି ପ୍ରଶଂସା ନେଇ ଗାଭାସ୍କରଙ୍କ ଅଭିମାନ, ‘ତୁମେ ଜନ୍ମ ହେବା ପୂର୍ବରୁ ବି ଭାରତ ଜିତୁଥିଲା’
ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଏକ ବୟାନ ପୂର୍ବତନ ଅଧିନାୟକ ସୁନିଲ୍ ଗାଭାସ୍କରଙ୍କୁ ହଜମ ହୋଇନାହିଁ। ବାଂଲାଦେଶ ବିପକ୍ଷରେ ଶୃଙ୍ଖଳା ବିଜୟ ପରେ ବିରାଟ କୋହଲି କହିଥିଲେ, ୨୦୦୦ ପରେ ଭାରତୀୟ ଦଳ ଜିତିବା ଆରମ୍ଭ କରିଛି। କୋହଲିଙ୍କ ଏହି ବୟାନରେ ଚିଡ଼ିଯାଇଛନ୍ତି ଗାଭାସ୍କର। ସେ କହିଛନ୍ତି, ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ବହୁତ ବଡ଼ ବିଜୟ ହାସଲ କରିଛି। କିନ୍ତୁ ଗୋଟିଏ ଜିନିଷକୁ ନେଇ ମୋର ଆପତ୍ତି ଅଛି। ବିରାଟ କୋହଲି କହିଲେ ୨୦୦୦ ପରେ ଗାଙ୍ଗୁଲିଙ୍କ ନେତୃତ୍ବରେ ଭାରତୀୟ ଦଳ ଜିତିବା ଆରମ୍ଭ କରିଥିଲା। ମୁଁ ଜାଣେ ଗାଙ୍ଗୁଲି ବର୍ତ୍ତମାନର ବିସିସିଆଇ ସଭାପତି ଏବଂ ତାଙ୍କ ବିଷୟରେ ଭଲ କଥା କହିବାକୁ କୋହଲି ଚାହିଁଛନ୍ତି। କିନ୍ତୁ ଭାରତ ୧୯୭୦-୮୦ରେ ମଧ୍ୟ ଜିତୁଥିଲା ଏବଂ ସେ ସମୟରେ କୋହଲି ଜନ୍ମ ମଧ୍ୟ ହୋଇନଥିଲେ। ଅଧିକାଂଶ ଲୋକ ଭାବନ୍ତି ୨୦୦୦ ପରେ ଭାରତୀୟ ଦଳ ବିଜୟ ଦିଗରେ ଆଗକୁ ବଢ଼ିଥିଲା। କିନ୍ତୁ ୧୯୭୦-୮୦ ଦଶକରେ ଦଳ ବିଦେଶରେ ମ୍ୟାଚ୍ ଜିତିଥିଲା। ଭାରତୀୟ ଦଳ ୧୯୮୬ରେ ମଧ୍ୟ ବିଦେଶରେ ବିଜୟ ହାସଲ କରିଛି। ଏହା ବ୍ୟତୀତ ଅନେକ ମ୍ୟାଚ୍ ମଧ୍ୟ ଡ୍ର’ରେ ଶେଷ ହୋଇଥିଲା ବୋଲି ଗାଭାସ୍କର କହିଛନ୍ତି।