‘ଖେଲୋ ଇଣ୍ଡିଆ କ୍ରୀଡ଼ା’ରେ ଓଡ଼ିଶା ଶ୍ରେଷ୍ଠ ୫ ଭିତରକୁ ଆସିବା ଆମ ଲକ୍ଷ୍ୟ: କ୍ରୀଡ଼ା କମିସନର 

ସ୍ୱସ୍ତି ସିଂ ଓ ପିଟର ତିର୍କୀ ପାଇଲେ ଓସଜା ପୁରସ୍କାର

କଟକ: ଓଡ଼ିଶାରେ କ୍ରୀଡ଼ାର ସର୍ବବିଧ ଉନ୍ନତି ସହ ଖେଳ ଓ ଖେଳାଳିଙ୍କ ବିକାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ କାର୍ଯ୍ୟକାରୀ ହେଉଛି। ଅଲିମ୍ପିକ କ୍ରୀଡ଼ା ୨୦୩୬ ମସିହାରେ ଭାରତରେ ଅନୁଷ୍ଠିତ ହୋଇପାରେ। ଦେଶରେ ଅଲିମ୍ପିକ ହେଉଥିଲା ବେଳେ ସେଥିରେ ବ୍ୟକ୍ତିଗତ ମେଡାଲ ଜିତିବାର ଗୌରବ ଯେପରି ଓଡ଼ିଆ ଖେଳାଳି ହାସଲ କରନ୍ତି ସେ ଇଚ୍ଛା ମୁଖ୍ୟମନ୍ତ୍ରୀଙ୍କ ରହିଛି। ସେହି ଲକ୍ଷ୍ୟ ସାଧନ ନିମିତ୍ତ କାର୍ଯ୍ୟ କରାଯାଉଛି। ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସଜା)ର ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର କମିସନର ତଥା ଶାସନ ସଚିବ ଆର ଭିନିଲ କି୍ରଷ୍ଣା ମଙ୍ଗଳବାର ଏହା କହିଛନ୍ତି।

କମିସନର ଆଶାବ୍ୟକ୍ତ କରିଥିଲେ ଯେ ବ୍ୟକ୍ତିଗତ ସ୍ତରରେ ଓଡ଼ିଶାର ଖେଳାଳି ଅଲିମ୍ପିକରେ ମେଡାଲ ଜିତିବାର ସୁଯୋଗ ପ୍ରଥମେ ଭାରଉତ୍ତୋଳନରେ ଆସିପାରେ। ରାଜ୍ୟର ଗୌରବମୟ ୱେଟଲିଫ୍ଟିଂ ପରମ୍ପରାକୁ ଦେଖି ୫୦ଟି ସ୍ଥାନରେ ଉଚ୍ଚ ପ୍ରଦର୍ଶନ ସେଣ୍ଟର ଏବଂ ରାଜ୍ୟସାରା ୧୦୦ଟି ଭାରଉତ୍ତୋଳନ ପ୍ଳାଟଫର୍ମ ସ୍ଥାପନ କରାଯାଉଛି। ଦେଶରେ କ୍ରୀଡ଼ାର ଶ୍ରେଷ୍ଠ ଭିତ୍ତିଭୂମିର ବିକାଶ ଓଡ଼ିଶାରେ ହେଉଛି। ତା’ସହ କ୍ରୀଡ଼ା ପ୍ରତି ପ୍ରବଳ ଆଗ୍ରହ ସୃଷ୍ଟି ସକାଶେ ବଡ଼ବଡ଼  ଅନ୍ତର୍ଜାତୀୟସ୍ତରୀୟ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଜାତୀୟ ପ୍ରତିଯୋଗିତାକୁ ଅନ୍ତର୍ଜାତୀୟମାନରେ ଏବଂ ରାଜ୍ୟ ପ୍ରତିଯୋଗିତାକୁ ଜାତୀୟମାନରେ ଆମେ ଆୟୋଜନ କରୁଛୁ। ଏହା ଦ୍ୱାରା ଆମ ଖେଳାଳିମାନଙ୍କ ବିକାଶ ସମ୍ଭବ ହେବ। ଖେଲୋ ଇଣ୍ଡିଆ କ୍ରୀଡ଼ାରେ ଓଡ଼ିଶା ଏବେ ୯ମ ସ୍ଥାନକୁ ଆସିଗଲାଣି। ଆମ ଲକ୍ଷ୍ୟ ଶ୍ରେଷ୍ଠ ୫ ଭିତରକୁ ଆସିବା।

ତୃଣମୂଳସ୍ତରରେ ହକିର ବିକାଶ ସକାଶେ ଆମର ପ୍ରୟାସ ଜାରି ରହିଛି। ଅନେକ ଗ୍ରାମାଞ୍ଚଳ ହକି ସେଣ୍ଟର ସାଙ୍ଗକୁ କଳିଙ୍ଗ ଷ୍ଟାଡିୟମକୁ କ୍ରୀଡ଼ା ଭିତ୍ତିଭୂମିର ପ୍ରମୁଖ କେନ୍ଦ୍ରରେ ପରିଣତ କରାଯାଉଛି। ଜିମ୍ନାଷ୍ଟିକ, ଟେନିସ, ବ୍ୟାଡମିଣ୍ଟନ ଏବଂ ଜଳକ୍ରୀଡ଼ା ସକାଶେ ଅନ୍ତର୍ଜାତୀୟମାନର ଭିତ୍ତିଭୂମି କଳିଙ୍ଗରେ ଲୋକାର୍ପିତ ହେବାକୁ ପ୍ରସ୍ତୁତ ହୋଇଯାଇଛି। ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମ ଭଳି ଗିନିଜ ରେକର୍ଡ ହାସଲ କରିଥିବା କ୍ରୀଡ଼ା କେନ୍ଦ୍ରରେ ଆମେ ଖେଳାଳିମାନଙ୍କ ସହ ଦର୍ଶକମାନଙ୍କୁ ମଧ୍ୟ ଶ୍ରେଷ୍ଠ ସୁବିଧା ଓ ଆନନ୍ଦ ମନାଇବାର ସୁଯୋଗ ପ୍ରଦାନ କରିଛୁ । କ୍ରୀଡ଼ା ବିଭାଗର କମିସନର ଭିନିଲ କି୍ରଷ୍ଣା କ୍ରୀଡ଼ାର ବିକାଶରେ ଖେଳ ସାମ୍ବାଦିକମାନଙ୍କ ଭୂମିକା ବିଶେଷ ଥିବା କହିଥିଲେ। ଖେଳ ଜୀବନ ଏକ ରିକ୍ସଭରା ଜୀବନ। ତେଣୁ ପିତା-ମାତା ଖେଳାଳିଟିଏ କରିବାକୁ ପିଲାମାନଙ୍କୁ ଚାହୁଁନାହାଁନ୍ତି । ଯଦି ଆପଣମାନେ ଯୁବ ବୟସର ଖେଳାଳିମାନଙ୍କ ସଫଳତା ବିଷୟ ମିଡିଆରେ ବତାଇବେ ତା’ହେଲେ ପିତା-ମାତାଙ୍କ ମନୋଭାବରେ ଖେଳ ପ୍ରତି ସକରାତ୍ମକ ଭାବ ପ୍ରକାଶ ପାଇବ। ଏହି ପ୍ରସଙ୍ଗରେ ସେ ଯୁବା ଆଥଲେଟ ବାପି ହାସଦାଁଙ୍କ ବର୍ତ୍ତମାନର ସଫଳତା କଥା କହିଥିଲେ। ଓସ୍‌ଜାର ସମସ୍ତ ଭବିଷ୍ୟତ କାର୍ଯ୍ୟଧାରାରେ ରାଜ୍ୟ କ୍ରୀଡ଼ା ବିଭାଗ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେବା ସହ ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘର ଆଉ ଥରେ ଅଧିବେଶନ ଓଡ଼ିଶାରେ କରିବାକୁ ସେ ଓସଜାକୁ ପ୍ରସ୍ତାବ ଦେଇ ସହଯୋଗ ସମ୍ପୂର୍ଣ୍ଣ କରାଯିବ ବୋଲି କରତାଳି ମଧ୍ୟରେ କହିଥିଲେ।

ବାରବାଟୀ ଷ୍ଟାଡିୟମ ପରିସରରେ ଥିବା ଓସିଏର ସମ୍ମିଳନୀ କକ୍ଷରେ ଓସଜାର କାର୍ଯ୍ୟକାରୀ ସଭାପତି କେ ରବିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ହକି ଲିଜେଣ୍ଡ ପିଟର ତିର୍କୀଙ୍କୁ ଜୀବନବ୍ୟାପୀ ସେବା ସକାଶେ ଏବଂ ଯୁବା ସାଇକ୍ଳିଷ୍ଟ ସ୍ୱସ୍ତି ସିଂଙ୍କୁ ୨୦୨୨ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ ପୁରସ୍କାର ଓସଜା ପକ୍ଷରୁ ପ୍ରଦାନ କରାଯାଇଥିଲା। ଉଭୟଙ୍କୁ ପୁଷ୍ପଗୁଚ୍ଛ, ପ୍ରଶସ୍ତିପତ୍ର, ଟ୍ରଫି ଏବଂ ୨୫ହଜାର ଟଙ୍କାର ପୁରସ୍କାର ରାଶି ଦେଇ ଅତିଥିମାନେ ସମ୍ମାନିତ କରିଥିଲେ। ନିଜ ଖେଳ ଜୀବନର ସ୍ମୃତିଚାରଣ କରିବା ସହ ପିଟର ତିର୍କୀ ତାଙ୍କୁ ଏଭଳି ସମ୍ମାନ କ୍ରୀଡ଼ା ସାମ୍ବାଦିକମାନେ ଦେଇଥିବାରୁ ସେ ବଡ଼ ଖୁସି ବୋଲି କହିଥିଲେ।

ସେହିପରି ସ୍ୱସ୍ତୀ ସିଂ ତାଙ୍କ କ୍ୟାରିୟରରେ କିପରି ଏକ ଛୋଟିଆ ମିଡିଆ ରିପୋର୍ଟ ଖେଳାଳି କରିବାକୁ ମାହୋଲ ବନାଇଥିଲା ତାହା ବତାଇବା ସହ ଓଡ଼ିଶା ପାଇଁ ଅଲିମ୍ପିକ ମେଡାଲ ଜିତିବାକୁ ସେ ଟାର୍ଗେଟ କରିଛନ୍ତି ବୋଲି କହିଥିଲେ ସଭାରେ । ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଫୁଟବଲ ଲିଜେଣ୍ଡ ବିଜୟ ଦାସ ୬୦ ଓ ୭୦ଦଶକରେ ତାଙ୍କ ଚମକପୂର୍ଣ୍ଣ ଖେଳ ଜୀବନ କଥା ବତାଇ ସେତେବେଳେ ଏତେ ସବୁ ପୁରସ୍କାର ବ୍ୟବସ୍ଥା ନଥିବା କଥା କହିଥିଲେ। ବିଶିଷ୍ଟ ପେସ ବୋଲର ବସନ୍ତ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ପ୍ରତ୍ୟେକ ଖେଳାଳିର ଜୀବନରେ କ୍ରୀଡ଼ା ସାମ୍ବାଦିକମାନଙ୍କର ରହିଛି ବଡ଼ ଯୋଗଦାନ । ସମ୍ବିତ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓସଜା ସମ୍ପାଦକ ଦେବୀ ପ୍ରସନ୍ନ ମହାନ୍ତି ଓ ଯୁଗ୍ମ ସମ୍ପାଦକ ସୁରେଶ ସ୍ୱାଇଁ ସଂଘର କାର୍ଯ୍ୟାବଳୀ ବାବଦରେ ସୂଚନା ଦେଇଥିଲା ବେଳେ ଦିପ୍ତୀ ରଞ୍ଜନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

ଓସଜାର ସଦସ୍ୟମାନଙ୍କ ମଧ୍ୟରୁ ସନାତନ ପାଣି, ଦେବୀପ୍ରସନ୍ନ ପାଣିଗ୍ରାହୀ, ହିଂମାଶୁ ପତି ମିଶ୍ର, ରଜନୀକାନ୍ତ ଶତୁ୍ରସଲ୍ୟ, ଦେବାଶିଷ ସୁନ୍ଦରାୟ, ସମୀକ୍ଷା ପଟ୍ଟନାୟକ, ସୂର୍ଯ୍ୟ ରଥ, କୁମାର ବିମଲ, ଶକ୍ତି ପ୍ରକାଶ ନନ୍ଦ, ରଶ୍ମୀପ୍ରଭା ରଥ, ସର୍ବେଶ୍ୱର ମହାନ୍ତି, ବେଣୁଧର ଦାସ, ତନ୍ମୟ ଦାସ, ମହେନ୍ଦ୍ର ସାହୁ, ସରୋଜ ବାରିକ, ମନୋରଞ୍ଜନ ଦାସ, ବିଜୟ କୁମାର ରଣା, ସୌଭାଗ୍ୟ ରଥ, ସୁଜିତ ଦାସ, ଚିରଞ୍ଜିବୀ ପତି, ସନ୍ତୋଷ ମହାନ୍ତି, ମନମୋହନ ସ୍ୱାଇଁ, ଅନିରୁଦ୍ଧ ମିଶ୍ର, ଚକ୍ରଧର ମାଝି, କୁମର ଶ୍ରୀ, ସୁକେଶ ବେହେରା, ପ୍ରଫୁଲ୍ଲ କିଶୋର ସାହୁ ଏବଂ ଅଜୟ ଦାସ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର