ଅତୀତକୁ ଅନୁଶୀଳନ କରି ଭବିଷ୍ୟତ ଯୋଜନା କରୁଛି -ପୃଥ୍ବୀ ସ’

ମୁମ୍ବାଇ: ମୁମ୍ବାଇର ଅନ୍ୟତମ ଲିଟଲ୍‌ ମାଷ୍ଟର୍‌ ପୃଥ୍ବୀ ସ’ଙ୍କୁ ଏକଦା ଭାରତୀୟ କ୍ରିକେଟ୍‌ର ଭବିଷ୍ୟତ ଭାବେ ବିବେଚନା କରାଯାଉଥିଲା। କେହି କେହି ତାଙ୍କୁ ଭାରତୀୟ କ୍ରିକେଟ୍‌ର କିଂବଦନ୍ତି ପୁରୁଷ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରୁଥିଲେ। ଭାରତୀୟ ୧୯ ବର୍ଷରୁ କମ୍ ଦଳକୁ ବିଶ୍ବକପ୍ ବିଜୟୀ (ଅଧିନାୟକ ଭାବେ) କରାଇବା ସହ ପଦାର୍ପଣ ଟେଷ୍ଟ୍‌ରେ ଶତକ ମାରିବାର ଅନନ୍ୟ ସଫଳତା ଲାଭ କରିଥିଲେ ସେ। ହେଲେ ଅନ୍ତର୍ଜାତୀୟ କ୍ରିକେଟ୍‌ର ସେହି ଧମାକାଦାର ଶୁଭାରମ୍ଭ ପରେ ତାଙ୍କ ଚମକ ଯେମିତି ହଠାତ୍ ଫିକା ପଡ଼ି ଯାଇଥିଲା। ଅନେକ ପ୍ରତିଶ୍ରୁତି ନେଇ ଆସିଥିବା ସ’ ଅଚାନକ ବିବାଦୀୟ ହୋଇ ପଡ଼ିଥିଲେ। ଡୋପ୍ ପରୀକ୍ଷଣରେ ବିଫଳ ହୋଇ ବାସନ୍ଦ ହେବାର ଶକ୍ତ ଝଟ୍‌କା ସହିବାକୁ ବାଧ୍ୟ ହୋଇଥିଲେ। ଏହାର ଠିକ୍ ପରେ ପରେ ଆଘାତପ୍ରାପ୍ତ ହୋଇ ଦେଢ଼ ବର୍ଷ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଦୂରେଇ ରହିଥିଲେ। ଚଳିତ ବର୍ଷ ନ୍ୟୁଜିଲାଣ୍ଡ ଗସ୍ତରେ ଅବଶ୍ୟ ଭାରତୀୟ ଦଳକୁ ଫେରିଥିଲେ ଏହି ପ୍ରତିଭାବାନ କ୍ରିକେଟ୍ ତାରକା। ହେଲେ ଆଶାଜନକ ପ୍ରଦର୍ଶନ ଦେଇପାରିନଥିଲେ। କରୋନା ଆତଙ୍କ ପାଇଁ ଗୃହାବଦ୍ଧରେ ଥିଲା ବେଳେ ବର୍ଷୀୟ ସ’ ଏକ ସାକ୍ଷାତକାରରେ ନିଜ ଭବିଷ୍ୟତ ଯୋଜନା, ଲକ୍ଷ୍ୟ ଓ ଭାରତୀୟ କ୍ରିକେଟ୍‌କୁ ନେଇ ମନର କଥା ଖୋଲି କହିଥିଲେ। ପୁଣି ଥରେ ସେହି ଚମକ ଦେଖାଇବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

‘‘ମୁଁ ସମସ୍ତଙ୍କୁ ସବୁବେଳେ ଖୁସି ରଖି ପାରିବି ନାହିଁ। ମୁଁ ଏକଥା ବି ଜାଣିଛି ଯେ ସମାଲୋଚନା ଜୀବନର ଅବିଚ୍ଛିନ୍ନ ଅଙ୍ଗ। ଏଥିରୁ କେହି ବର୍ତ୍ତିପାରିବେ ନାହିଁ। ଯେତେବେଳେ ବି ମୁଁ ମୋ ବ୍ୟାଟିଂକୁ ନେଇ ଅସହଜ ଅନୁଭବ କରେ କିମ୍ବା କିଛି ପରାମର୍ଶ ଚାହେଁ, ସଚିନ ସାର୍ ସବୁବେଳେ ଏଥିପାଇଁ ପ୍ରସ୍ତୁତ ଥାଆନ୍ତି। ସେ ଏମିତି ଜଣେ ବ୍ୟକ୍ତି, ଯାହା ପାଖକୁ ମୁଁ ଯେ କୌଣସି ସମୟରେ ଯାଇ ପାରିବି। ନ୍ୟୁଜିଲାଣ୍ଡରେ ମୁଁ ଦ୍ବନ୍ଦ୍ବରେ ରହୁଥିଲି। ବଲ୍‌କୁ ଖେଳିବି କି ଛାଡ଼ିବି, ଜାଣି ପାରୁ ନଥିଲି। ଆସନ୍ତା ଥର ମୁଁ ସୁବ୍ୟବସ୍ଥିତ ଯୋଜନା ଓ ସ୍ପଷ୍ଟ ନୀତି ନେଇ ପଡ଼ିଆକୁ ଓହ୍ଲାଇବି’’

ପ୍ରଶ୍ନ: କରୋନା ଭୟ ଭିତରେ ଆପଣ ନିଜକୁ କେମିତି ଫିଟ୍ ରଖୁଛନ୍ତି? କ୍ରିକେଟ୍ ସହ କିଭଳି ସଂପର୍କ ରଖିଛନ୍ତି?
ସ’: ଘରେ ରହି ମୁଁ ନିର୍ଦିଷ୍ଟ ବ୍ୟାୟାମ ସାରଣୀ ଅନୁସରଣ କରୁଛି। ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଉଛି। ଏହା ଦ୍ବାରା କ୍ରିକେଟ୍ ଯେମିତି ପ୍ରଭାବିତ ନହୁଏ, ତା’ ଉପରେ ନଜର ରଖିଛି। ସେହିଭଳି ପୁରୁଣା ଖେଳର ଭିଡିଓ ଦେଖି ନିଜ ଦୋଷ ଦୁର୍ବଳତା ବାଛିବା ସହ ସେଗୁଡ଼ିକୁ ଦୂର କରିବାର ଯୋଜନା ପ୍ରସ୍ତୁତ କରୁଛି। ମୋ ଖେଳରେ ଉନ୍ନତି ଆଣିବାକୁ ଶିକ୍ଷା ନେଉଛି। ମୁଁ ମଧ୍ୟ କିଂବଦନ୍ତି କ୍ରୀଡ଼ା ତାରକାଙ୍କ ଆତ୍ମଜୀବନୀ ପଢ଼ୁଛି। ସେଥିରୁ ପ୍ରେରଣା ନେବାକୁ ‌ଚେଷ୍ଟା କରୁଛି।
ପ୍ରଶ୍ନ: ଏକାନ୍ତବାସ କେତେ କଷ୍ଟକର? ଆପଣ ଏବେ କ’ଣ କରୁଛନ୍ତି?
ସ’: ଫିଟ୍ ରହିବା ସହ ମୁଁ ଏବେ ରୋଷେଇ କରିବା ଶିଖୁଛି। କ୍ୟାରମ୍‌ ମଧ୍ୟ ଖେଳୁଛି। ନିଜର କିଛି ପୁରୁଣା ଭିଡିଓ ଦେଖି, ତାର ତର୍ଜମା କରୁଛି। ସମୟ ବିତାଇବା ଲାଗି ମୋ ପ୍ଲେଷ୍ଟେସନକୁ ଉପଯୋଗ କରୁଛି। ଅତୀତକୁ ଅନୁସଳନ କରି ଭବିଷ୍ୟତ ପାଇଁ ଯୋଜନା କରିବା ଲାଗି ଏକାନ୍ତବାସ ଏକ ଭଲ ସୁଯୋଗ। ଏହା ଆତ୍ମସମୀକ୍ଷାର ବେଳେ। ଆମେ କଣ କରିଛେ, କଣ ନକରିଛେ, ତାକୁ ମନେ ପକାଇ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଦେବାର ସମୟ।
ପ୍ରଶ୍ନ: ଆପଣ କହୁଛନ୍ତି ଏବେ ପଛକୁ ଦେଖିବାର ବେଳ। ଆପଣଙ୍କ କ୍ଷେତ୍ରରେ କ’ଣ ଅସୁବିଧା ହେଲା ବୋଲି ଭାବୁଛନ୍ତି। ଅଭିଯୋଗ ହୁଏ ଯେ ପ୍ରାରମ୍ଭିକ ସଫଳତାକୁ ପରିଚାଳନା କରିବାରେ ଆପଣ ବିଫଳ ହେଲେ। ସଫଳତା ଆପଣଙ୍କ ମୁଣ୍ଡ ଉପରକୁ ଚଢ଼ି ଯାଇଥିଲା। ଏକଥା କ’ଣ ସତ?
ସ’: ହିଁ, ୧୯ ବର୍ଷରୁ କମ୍ ବିଶ୍ବକପ୍ ଜିତିବା ଏବଂ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପଦାର୍ପଣ ଟେଷ୍ଟ୍‌ରେ ଶତକ ହାସଲ କରିବା ମୋ ଜୀବନର ସୁଖଦ ମୁହୂର୍ତ୍ତ ଥିଲା। ଏହା ମୋ ପାଇଁ ବହୁତ ବଡ଼ କଥା ଥିଲା। ହେଲେ ମୁଁ ଭାବୁନି ଯେ ସଫଳତା ମୋତେ ପଥ ଭ୍ରଷ୍ଟ କରିଥିଲା। ଡୋପିଂ ବିଫଳତା ଭଳି ଘଟଣା ଅବଶ୍ୟ ମୋ ନିୟନ୍ତ୍ରଣରେ ଥିଲା। ହେଲେ ୨୦୧୮ରେ ଅଷ୍ଟ୍ରେଲିଆରେ ଘଟିଥିବା କହୁଣୀ ଆଘାତ ଭଳି ଘଟଣା ଆଦୌ ମୋ ନିୟନ୍ତ୍ରଣରେ ନଥିଲା। ମୁଁ ଏବେ ହୃଦୟଙ୍ଗମ କରୁଛି ଯେ ମୁଁ ସମସ୍ତଙ୍କୁ ସବୁବେଳେ ଖୁସି କରି ପାରିବି ନାହିଁ। ଅବଶ୍ୟ ମୁଁ ଏକଥା ଭଲ ଭାବରେ ଜାଣିଛି ଯେ ସମାଲୋଚନା ଜୀବନର ଅବିଚ୍ଛିନ୍ନ ଅଙ୍ଗ। ଗଠନମୂଳକ ଓ ସକାରାତ୍ମକ ସମାଲୋଚନାକୁ ଗ୍ରହଣ କରି ଆଗକୁ ବଢ଼ିବାକୁ ହେବ। ୨୦୧୯ ମୋ ପାଇଁ ଭଲ ନଥିଲା। ହେଲେ ସବୁ କଥାର କିଛି ନା କିଛି ଭଲ ଦିଗ ରହିଥାଏ। ମୁଁ ସବୁ କଥାର ଉତ୍ତର ମୋ ବ୍ୟାଟ୍‌ରେ ଦେବାକୁ ଚାହୁଁଛି। କଠିନ ସମୟରେ ଆପଣଙ୍କର ଅସଲ ପରୀକ୍ଷା ହୋଇଥାଏ। ମୁଁ ଭଗବାନଙ୍କ ନିକଟରେ କୃତଜ୍ଞ ଯେ ମୋତେ ଏମିତି ଜଣେ ପିତା ଦେଇଛନ୍ତି, ଯିଏ ସବୁ କ୍ଷେତ୍ରରେ ମୋତେ ସମର୍ଥନ ଦେଇ ଅସୁଛନ୍ତି। ମୋ ପରିଚାଳନା ଏଜେନ୍ସି ‘ବେସ୍‌ଲାଇନ୍ ଭେଞ୍ଚର୍ସ’କୁ ମଧ୍ୟ ମୋ ପାଖରେ ସବୁବେଳେ ଠିଆ ହୋଇଥିବାରୁ ଧନ୍ୟବାଦ ଦେବି।
ପ୍ରଶ୍ନ: ଡୋପିଂ ବାସନ୍ଦ ଭଳି ଘଟଣାରୁ ଆପଣ କି ଶିକ୍ଷା ଲାଭ କରିଛନ୍ତି?
ସ’: ଆପଣ କ’ଣ ଖାଉଛନ୍ତି ତା ଉପରେ ତୀକ୍ଷ୍ଣ ନଜର ରଖିବା ଉଚିତ। କାରଣ ପାରାସିଟାମଲ୍ ଭଳି ସାଧାରଣ ଔଷଧ ପାଇଁ ମଧ୍ୟ ଆପଣ ବାସନ୍ଦ ହୋଇପାରନ୍ତି। ଯୁବ ଖେଳାଳିମାନେ ଏହା ଧ୍ୟାନରେ ରଖିବା ଦରକାର। ଯେ କୌଣସି ଔଷଧ ସେବନ କରିବା ପୂର୍ବରୁ ଏହା ବିଶେଷଜ୍ଞ ଡାକ୍ତର କିମ୍ବା ବିସିସିଆଇ ଡାକ୍ତରଙ୍କଠାରୁ ମଞ୍ଜୁରି ଲାଭ କରିଥିବା ଦରକାର। ଡାକ୍ତରଙ୍କଠାରୁ ପରାମର୍ଶ ନେଇ ତଦନୁଯାୟୀ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ମୁଁ ସମସ୍ତଙ୍କୁ ପରାମର୍ଶ ଦେବି। ମୁଁ କାଶ ସିରପ୍ ନେଇଥିଲି, ହେଲେ ଏହା ବାସନ୍ଦାଦେଶ ତାଲିକାରେ ଅଛି ବୋଲି ଜାଣି ନଥିଲି। ମୁଁ ଏହି ଘଟଣାରୁ ଉଚିତ ଶିକ୍ଷା ଲାଭ କଲି। ଏବେ ଯେ କୌଣସି ଔଷଧ ‌ସେବନ କରିବା ପୂର୍ବରୁ ମୁଁ ବିସିସିଆଇ ଡାକ୍ତରଙ୍କ ପରାମର୍ଶ ନେଉଛି। ସେହି ସମୟ ମୋ ପାଇଁ ବହୁତ କଠୋର ଥିଲା। କୌଣସି ଖେଳାଳି ଏଭଳି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତୁ।
ପ୍ରଶ୍ନ: ଆପଣ ସଚିନ ତେନ୍ଦୁଲକରଙ୍କଠାରୁ ନିୟମିତ ପରାମର୍ଶ ଲୋଡ଼ନ୍ତି। ଏହା କେତେଦୂର ଉପଯୋଗୀ ହୋଇଛି?
ସ’: ସଚିନ ସାର୍ ଯେତେବେଳେ ବି ମୁମ୍ବାଇରେ ଥାଆନ୍ତି, ମୁଁ ତାଙ୍କୁ ଭେଟିବାକୁ ଚେଷ୍ଟା କରେ। ମୁଁ ଅଭ୍ୟାସ କରୁଥିଲା ବେଳେ ସଚିନ ସାର୍‌ଙ୍କ ପାଖରେ ସମୟ ଥିଲେ ସେ ନେଟ୍ସକୁ ଆସନ୍ତି ଓ ‌ ମୋତେ ବିଭିନ୍ନ ପରାମର୍ଶ ଦିଅନ୍ତି। ଯେତେବେଳେ ବି ମୁଁ କୌଣସି ଅସୁବିଧାର ସମ୍ମୁଖୀନ ହୁଏ, ତାଙ୍କୁ ଫୋନ୍ କରିବାକୁ ଭୁଲେ ନାହିଁ। ଫୋନ୍ ଓ ମେସେଜ୍ କରିବାକୁ ପଛଘୁଞ୍ଚା ନଦେବାକୁ ସେ ମୋତେ କହିଛନ୍ତି। ମୋ କ୍ରିକେଟ୍‌ ଯାତ୍ରାରେ ସଚିନ ସାର୍‌ ମୋତେ ବହୁତ ସାହାଯ୍ୟ କରିଛନ୍ତି।
ପ୍ରଶ୍ନ: ଆପଣ ରାହୁଲ ଦ୍ରାବିଡ଼ଙ୍କ ମାର୍ଗଦର୍ଶନରେ ଅନେକ କ୍ରିକେଟ୍ ଖେଳିଛନ୍ତି। ତାଙ୍କଠାରୁ ପାଇଥିବା ଏମିତି ଗୋଟିଏ ପରାମର୍ଶ, ଯାହାକୁ ଆପଣ ସାରା ଜୀବନ ଅନୁସରଣ କରିବାକୁ ଚାହିଁବେ?
ସ’: ମୋ କ୍ରିକେଟ୍ ଜୀବନ ଏବଂ ସୀମା ରେଖା ପାରର ବ୍ୟକ୍ତିଗତ ଜୀବନରେ ରାହୁଲ ସାର୍ ମହତ୍ବପୂର୍ଣ୍ଣ ଭୁମିକା ତୁଲାଇଛନ୍ତି। ନିଜେ ଜଣେ ଶୃଙ୍ଖଳିତ କ୍ରିକେଟର ହୋଇଥିବାରୁ ରାହୁଲ ସାର୍ ସେସବୁ କଥା ସବୁବେଳେ କୁହନ୍ତି। କ୍ରିକେଟ୍‌ର ମାନସିକ ଦିଗକୁ ନେଇ ମୁଁ ଅନେକ କିଛି ତାଙ୍କଠାରୁ ଶିଖିଛି। ଗତ ତିନି ଚାରି ବର୍ଷ ଭିତରେ, ସେ ୧୯ ବର୍ଷରୁ କମ୍ ବିଶ୍ବକପ୍ ହେଉ କି ଭାରତୀୟ ଏ’ ଦଳରୁ ଖେଳିବା ବେଳେ, ମୁଁ ତାଙ୍କଠାରୁ ଅନେକ କିଛି ଶିଖିଛି।
ପ୍ରଶ୍ନ: ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଗତ ଦୁଇ ଋତୁ ହେବ ଆପଣ ରିକି ପଣ୍ଟିଂଙ୍କ ପ୍ରଶିକ୍ଷଣରେ ଖେଳୁଛନ୍ତି। ତାଙ୍କ ଅଧୀନରେ ଖେଳିବାର ଅଭିଜ୍ଞତା କିପରି? ଆପଣଙ୍କ ସହ ସେ ନିୟମିତ ଯୋଗାଯୋଗ ରଖନ୍ତି କି ନାହିଁ?
ସ’: ଏହି ଅଭିଜ୍ଞତା ବହୁତ ମଜାଦାର। ପଣ୍ଟିଂ ଏମିତି ଜଣେ ଖେଳାଳି, ଯିଏ ୧୫ ବର୍ଷରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିଛନ୍ତି। ସେ ସର୍ବୋଚ୍ଚ ସ୍ତରରେ ଦୀର୍ଘ ସମୟ ଚାପ ପରିଚାଳନା କରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ସେ ବହୁତ ଭଲ କାମ କରୁଛନ୍ତି। ନିୟମିତ ନହେଲେ ବି ମୁଁ ତାଙ୍କ ସହ ଯୋଗାଯୋଗ ରଖିଛି। କେବେ କେବେ ତାଙ୍କ ସହ ଚାଟିଂ କରେ। ସେ କେବେ ବି ନିଜକୁ ପ୍ରଶିକ୍ଷକ ବୋଲି କୁହନ୍ତିନି, ସବୁବେଳେ ନିଜ ବନ୍ଧୁ ଭାବେ ବ୍ୟବହାର କରିବାକୁ ପରାମର୍ଶ ଦିଅନ୍ତି। ଦିଲ୍ଲୀ କ୍ୟାପିଟାଲ୍ସକୁ ସେ ନିଜ ପରିବାର ଭାବେ ଦେଖନ୍ତି। ସୌରଭ ଗାଙ୍ଗୁଲି ସାର୍ ଦିଲ୍ଲୀ କ୍ୟାପିଟାଲ୍ସ ସହ ଥିଲା ବେଳେ ମୁଁ ତାଙ୍କଠାରୁ ମଧ୍ୟ ବହୁତ କିଛି ଶିଖିଛି।
ପ୍ରଶ୍ନ: ନ୍ୟୁଜିଲାଣ୍ଡରେ ଆପଣ ସର୍ଟ ବଲ୍‌କୁ ନେଇ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ?
ସ’: ନ୍ୟୁଜିଲାଣ୍ଡରେ ଆମ ଉପରକୁ ସର୍ଟ ବଲ୍‌ର ବର୍ଷା କରାଯାଇଥିଲା। ମୁଁ ଏଥିଲାଗି ପ୍ରସ୍ତୁତ ଥିଲି। କାରଣ ଆଗରୁ ମଧ୍ୟ ବହୁ ବୋଲର ମୋତେ ସର୍ଟ ପିଚ୍ ବଲ୍ ପକାଇ ଅଡ଼ୁଆରେ ପକାଇବାକୁ ଚେଷ୍ଟା କରି ସାରିଥିଲେ। ଭବିଷ୍ୟତରେ ମଧ୍ୟ ମୋତେ ଏଭଳି ବୋଲିଂ ହେବ ବୋଲି ଜାଣିଛି। ମୋର ଶକ୍ତି କିନ୍ତୁ ବ୍ୟାକ୍ ଫୁଟ୍। ଯାହା ମୋତେ ସର୍ଟ ବଲ୍ ଖେଳିବାକୁ ସାହାଯ୍ୟ କରିଥାଏ। ହେଲେ କେବେ କେବେ ଆପଣଙ୍କ ପସନ୍ଦର ସଟ୍ ଖେଳିଲା ବେଳେ ବି ଆପଣ ଭୁଲ କରିପାରନ୍ତି।
ପ୍ରଶ୍ନ: ଆପଣଙ୍କ ବିରୋଧରେ ଆଉ ଏକ ଅଭିଯୋଗ ‌ହେଲା, ଆପଣ ବହୁତ ଶୀର୍ଘ ବଡ଼ ସଟ୍ ଖେଳିବାକୁ ଚେଷ୍ଟା କରନ୍ତି। ନ୍ୟୁଜିଲାଣ୍ଡରେ ଆପଣଙ୍କ କ୍ଷେତ୍ରରକ୍ଷଣ ମଧ୍ୟ ଚର୍ଚାକୁ ଆସିଥିଲା। ଏମିତି କାହିଁକି?
ସ’: କ୍ଷେତ୍ରରକ୍ଷଣ ଅଙ୍କୁଶ ଥିବାରୁ ମୁଁ ଆରମ୍ଭରୁ ବଡ଼ ସଟ୍ ଖେଳିବାକୁ ଚେଷ୍ଟା କରେ। ଏହା ମୋ ସ୍ବାଭାବିକ ଖେଳ। ମୁଁ ବୋଲରଙ୍କ ଉପରେ ଆଧିପତ୍ୟ ବିସ୍ତାର କରିବାକୁ ଚାହେଁ। ଏହା ଦ୍ବାରା ସ୍କୋର ବୋର୍ଡ ମଧ୍ୟ ଆଗକୁ ବଢ଼ିଥାଏ। ବିଦେଶରେ ଏହାର ଢେର ମହତ୍ବ ଥାଏ। ପାଳିର ପ୍ରଥମ ବଲ୍ ବି ଯଦି ଏକ ଦୁର୍ବଳ ବଲ୍ ଥାଏ, ତେବେ ବି ମୁଁ ଏହାକୁ ସୀମା ରେଖା ବାହାରକୁ ପଠାଇବାକୁ ପସନ୍ଦ କରିବି।
ପ୍ରଶ୍ନ: ଆପଣଙ୍କ ପରବର୍ତ୍ତୀ ଲକ୍ଷ୍ୟ କ’ଣ ରହିବ?
ସ’: ମୁଁ ୧୯ ବର୍ଷରୁ କମ୍ ବିଶ୍ବକପ୍ ଜିତି ସାରିଛି। ଥରେ ମୁଁ ୫୦ ଓଭରିଆ ବିଶ୍ବକପ୍ ଜିତିବାକୁ ଚାହିଁବି। ଏକଦିବସୀୟ ବିଶ୍ବକପ୍ ତୋଳି ଧରିଲେ ନିଜକୁ ଧନ୍ୟ ମନେ କରିବି।
ପ୍ରଶ୍ନ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ଓ ପ୍ରଶିକ୍ଷକ ଆପଣଙ୍କୁ କିଭଳି ସମର୍ଥନ ଦିଅନ୍ତି?
ସ’: ବିରାଟ ଭାଇ ଓ ରବି ସାର୍ ମୋତେ ସବୁବେଳେ ସମର୍ଥନ ଦେଇ ଆସିଛନ୍ତି। ସେମାନେ ଜାଣିଛନ୍ତି ମୋତେ କେତେକ କ୍ଷେତ୍ରରେ ଉନ୍ନତି କରିବାକୁ ହେବ। ଆମ ଭିତରେ ଏଥିନେଇ ଅନେକ ସମୟରେ ବିସ୍ତୃତ ଆଲୋଚନା ବି ହୁଏ। ମୁଁ ବ୍ୟାଟିଂ ଓ କ୍ଷେତ୍ରରକ୍ଷଣରେ ଉନ୍ନତି କରି ପାରିବି ବୋଲି ସେମାନଙ୍କର ବିଶ୍ବାସ ଅଛି। ଏଥିନେଇ ମୁଁ ପରିଶ୍ରମ କରୁଛି। କାରଣ କଠିନ ପରିଶ୍ରମ ଓ ଧୈର୍ଯ୍ୟର କୌଣସି ବିକଳ୍ପ ନାହିଁ।

ସମ୍ବନ୍ଧିତ ଖବର