ବିଦେଶରେ ଆଇପିଏଲ୍‌ ଆୟୋଜନ ଯୋଜନା

ନୂଆଦିଲ୍ଲୀ: ଚଳିତ ବର୍ଷର ଆଇପିଏଲ୍‌-୧୩କୁ‌ କୌଣସି ମତେ କରାଇବା ନେଇ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପ୍ରୟାସ ଜାରି ରଖିଛି। ସମସ୍ତ ବିକଳ୍ପକୁ ଖୋଲା ରଖି ବିଦେଶରେ ମଧ୍ୟ ଏହାକୁ କରାଇବା କଥା ଯୋଜନା ରଖିଛି। ନିଜ ନାମକୁ‌ ଗୋପନ ରଖି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ‘ସମସ୍ତ ବିକଳ୍ପ ବିଷୟରେ ଆଲୋଚନା ଚାଲିଛି, କିନ୍ତୁ ବିଦେଶରେ ଆୟୋଜନ କରିବା ଶେଷ ବିକଳ୍ପ ରହିଛି। ଅତୀତରେ ଆମେ ଏହା କରି ସଫଳ ହୋଇଛୁ। ତଥାପି ଭାରତରେ କରାଇବା ଏବେ ବି ପ୍ରଥମ ଅଗ୍ରାଧିକାର ରହିଛି।

ସୂଚନାଯୋଗ୍ୟ, ଗତ ମାର୍ଚ ୨୯ ତାରିଖରୁ ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣ ଆରମ୍ଭ ହେବାର ଥିଲେ ମଧ୍ୟ କରୋନା ଭୂତାଣ ଜନିତ ଲକ୍‌ଡାଉନ୍ କାରଣରୁ ଏହାକୁ ଅନିର୍ଦ୍ଧିଷ୍ଟ କାଳ ଯାଏ ସ୍ଥଗିତ ରଖାଯାଇଛି। ପୂର୍ବରୁ ଦେଶରେ ସାଧାରଣ ନିର୍ବାଚନ କାରଣରୁ ୨୦୦୯ ଏବଂ ୨୦୧୪ରେ ବିସିସିଆଇ ଆଇପିଏଲ୍‌କୁ ବିଦେଶରେ ଆୟୋଜନ କରିଥିଲା। ୨୦୦୯ରେ ଦକ୍ଷିଣ ଆଫ୍ରିକା ଏବଂ ୨୦୦୧୪ରେ ପ୍ରଥମ ଭାଗ ୟୁଏଇରେ ହେବା ପରେ ଅବଶିଷ୍ଟ ଭାଗ ଭାରତରେ ଖେଳାଯାଇଥିଲା। ଗତ ଗୁରୁବାର ଆଇସିସି ଏହାର ସମସ୍ତ ପ୍ରସ୍ତାବିତ କାର୍ଯ୍ୟକ୍ରମକୁ ଜୁନ୍‌ ୧୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲା। ଫଳରେ ବିସିସିଆଇ ମଧ୍ୟ ଆଇପିଏଲ୍‌ ଆୟୋଜନ ନେଇ ଚୂଡାନ୍ତ ନିଷ୍ପତ୍ତିରେ ପହଞ୍ଚିପାରିନାହିଁ। ଅକ୍ଟୋବର ୧୮ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଆଇସିସି ଟି-୨୦ ବିଶ୍ବକପ୍‌ ଭାଗ୍ୟ ଚୂଡାନ୍ତ ହେବା ପରେ ହିଁ ବିସିସିଆଇ ନିଜ ନିଷ୍ପତ୍ତି ନେବ। ଆଇସିସି ନିଷ୍ପତ୍ତି ଆସିବା ପରେ ହିଁ ଆମେ କୌଣସି ସିଦ୍ଧାନ୍ତରେ ଉପନୀତ ହେବୁ,‌ ସେ ପର୍ଯ୍ୟନ୍ତ କିଛି ଧାର୍ଯ୍ୟ ହୋଇନାହିଁ ବୋଲି ସମ୍ପୃକ୍ତ ଅଧିକାରୀ ଜଣକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର