ଡେରାଡୁନ୍: ଡେରାଡୁନ୍ର ମ୍ୟାକ୍ସ ହସ୍ପିଟାଲ୍ରେ ଭାରତୀୟ କ୍ରିକେଟର ଋଷଭ ପନ୍ତ୍ଙ୍କ ପ୍ଲାଷ୍ଟିକ୍ ସର୍ଜରୀ କରାଯାଇଛି। ଶୁକ୍ରବାର ଦୁର୍ଘଟଣାରେ ପିଠି, ଗୋଡ୍ ବ୍ୟତୀତ ତାଙ୍କ ମୁଣ୍ଡ ଓ ମୁହଁରେ ଆଘାତ ଲାଗିଥିଲା। ତେଣୁ ସେସବୁ ଆହତ ସ୍ଥାନକୁ ପୂରଣ କରିବା ପାଇଁ ପ୍ଲାଷ୍ଟିକ୍ ସର୍ଜରୀର ଆବଶ୍ୟକତା ହେଉଥିଲା ବେଳେ ମ୍ୟାକ୍ସ ହସ୍ପିଟାଲ୍ରେ ଏକ ଛୋଟ ଧରଣର ସର୍ଜରୀ କରାଯାଇଥିବା ଡିଡିସିଏ (ଦିଲ୍ଲୀ ଓ ଡିଷ୍ଟ୍ରିକ୍ଟ କ୍ରିକେଟ୍ ସଂଘ) ନିର୍ଦ୍ଦେଶକ ଶ୍ୟାମ ଶର୍ମା ସୂଚନା ଦେଇଛନ୍ତି। ଶନିବାର ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ଡାକ୍ତରମାନେ ତାଙ୍କର ଆବଶ୍ୟକ ଯତ୍ନ ନେଉଛନ୍ତି। ବିସିସିଆଇ ମଧ୍ୟ ଡାକ୍ତରୀ ଦଳ ସହିତ ସଂପର୍କରେ ରହିଛି। ବର୍ତ୍ତମାନ ପାଇଁ ଡେରାଡୁନ୍ରେ ପନ୍ତ୍ଙ୍କ ଚିକିତ୍ସା ଚାଲିବ। ତେବେ ତାଙ୍କୁ ଦିଲ୍ଲୀ ଏୟାରଲିଫ୍ଟ କରାଯିବ କି ନାହିଁ ତାହା ନିଷ୍ପତ୍ତି ନିଆଯାଇନଥିବା ଡିଡିସିଏ ପକ୍ଷରୁ କୁହାଯାଇଛି। ପନ୍ତ୍ଙ୍କ ଲିଗାମେଣ୍ଟର ମଧ୍ୟ ଚିକିତ୍ସା କରାଯିବାର ଆବଶ୍ୟକତା ରହିଛି। କିନ୍ତୁ ଏକ୍ଷେତ୍ରରେ ତରବର ନହେବାକୁ ଡାକ୍ତରୀ ଦଳ ପରାମର୍ଶ ଦେଇଛନ୍ତି। ଶନିବାର ତାଙ୍କ ଗୋଇଠି ଓ ଆଣ୍ଠୁର ଏମ୍ଆର୍ଆଇ ସ୍କାନ କରାଯାଇଛି। ମସ୍ତିସ୍କ ଓ ମେରୁଦଣ୍ଡର ସିଟି ସ୍କାନ୍ ସ୍ବାଭାବିକ୍ ରହିଛି। ପନ୍ତ୍ଙ୍କ ଜରୁରୀକାଳୀନ ଚିକିତ୍ସା କରିଥିବା ଡାକ୍ତର ସୁଶୀଲ ନାଗରଙ୍କ ଅନୁଯାୟୀ ତାଙ୍କର କୌଣସି ହାଡ଼ ଭାଙ୍ଗିନାହିଁ କି ଫାଟିନାହିଁ। କିନ୍ତୁ ଆଣ୍ଠୁ ଓ ଗୋଇଠିର ଲିଗାମେଣ୍ଟରେ ସମସ୍ୟା ଥିବା ଅନୁମାନ କରାଯାଇଛି। ଏହା କେତେ ଗୁରୁତର ତାହାକୁ ଜାଣିବା ପାଇଁ ସ୍କାନିଂ କରାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି।
ପନ୍ତ୍ଙ୍କୁ ଭେଟିଲେ ବଲିଉଡ୍ ଅଭିନେତା ଅନିଲ କାପୁର ଓ ଅନୁପମ ଖେର
କାର୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଡେରାଡୁନ୍ସ୍ଥିତ ମାକ୍ସ ହସ୍ପିଟାଲରେ ଚିକତ୍ସିତ ହେଉଥିବା ପନ୍ତ୍ଙ୍କୁ ଶନିବାର ବଲିଉଡ୍ ଅଭିନେତା ଅନିଲ କାପୁର ଏବଂ ଅନୁପମ ଖେର ଭେଟିଛନ୍ତି। ତାଙ୍କର ପ୍ରଶଂସକ ଭାବେ ଆମେ ପନ୍ତ୍ଙ୍କୁ ଭେଟିଥିଲୁ। ସେ ବେଶ୍ ସୁସ୍ଥ ଅଛନ୍ତି। ଆମେ ତାଙ୍କର ଦ୍ରୁତ ଆରୋଗ୍ୟ କାମନା ଏବଂ ସେ କିପରି ପୁଣିଥରେ କ୍ରିକେଟ୍ ଖେଳିବେ ସେଥିପାଇଁ ପ୍ରାର୍ଥନା କରିବା ବୋଲି ହସ୍ପିଟାଲରୁ ବାହାରିବା ପରେ ଅନିଲ କାପୁର ଗଣମାଧ୍ୟମକୁ କହିଥିଲେ। କାପୁରଙ୍କ ସାଙ୍ଗରେ ଯାଇଥିବା ଅନୁପମ ଖେର କହିଥିଲେ, ଆମେ ସମସ୍ତେ ପନ୍ତ୍ଙ୍କ ମୁହଁରେ ସବୁବେଳେ ହସ ଦେଖିବାକୁ ଚାହୁଁ। ସବୁକିଛି ଚିକିତ୍ସା ଠିକ୍ଠାକ୍ ଚାଲିଛି। ସେ ମଧ୍ୟ ଭଲ ଅଛନ୍ତି। ଆମେ ହସ୍ପିଟାଲରେ ପନ୍ତ୍, ତାଙ୍କ ମା’ ସରୋଜ ପନ୍ତ୍, ଲଣ୍ଡନରୁ ଆସି ପହଞ୍ଚିଥିବା ତାଙ୍କ ଭଉଣୀ ସାକ୍ଷୀ ଏବଂ ସଂପର୍କୀୟଙ୍କୁ ଭେଟିଲୁ। ସମସ୍ତେ ମାନସିକ ଭାବେ ଦୃଢ଼ ଅଛନ୍ତି। ଆମେ ପନ୍ତ୍ଙ୍କୁ ହସହସ ମୁହଁରେ ଘରକୁ ଫେରିବା ଏବଂ ପୁନର୍ବାର ଭାରତ ପାଇଁ ଖେଳିବାକୁ ଚାହୁଁ ବୋଲି କହିଥିଲେ ଅନୁପମ ଖେର। ପନ୍ତ୍ଙ୍କ ସ୍ବାସ୍ଥ୍ୟବସ୍ଥା ମଧ୍ୟ ସ୍ଥିର ରହିଥିବା ହସ୍ପିଟାଲ ଅଧିକାରୀ କହିଛନ୍ତି।
ଆଶୁ ଆରୋଗ୍ୟ କାମନା କଲେ ପାକିସ୍ତାନୀ କ୍ରିକେଟର୍
କାର୍ ଦୁର୍ଘଟଣାର ଶିକାର ହୋଇଥିବା ଋଷଭ ପନ୍ତ୍ଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପାକିସ୍ତାନୀ କ୍ରିକେଟର୍। ମହାନ ଦ୍ରୁତ ବୋଲର ୱାସିମ ଆକ୍ରମ ପନ୍ତ୍ଙ୍କ ବିଷୟରେ ଜାଣିବା ପରେ ଏହି ଯୁବ ଖେଳାଳି ଶୀଘ୍ର ସୁସ୍ଥ ହୋଇ ପୁଣି ଥରେ କ୍ରିକେଟ୍କୁ ଫେରନ୍ତୁ ବୋଲି ଟ୍ବିଟରରେ ପୋଷ୍ଟ କରିଛନ୍ତି। ସେହିପରି ୱିକେଟ ରକ୍ଷକ ମହମ୍ମଦ ରିଜୱାନ, ଅଲ୍ରାଉଣ୍ଡର ସୋଏବ ମଲ୍ଲିକ, ସାହିନ୍ ସାହ ଆପ୍ରିଦି, ହାସନ ଅଲ୍ଲୀଙ୍କ ଭଳି ଏକାଧିକ ପାକିସ୍ତାନୀ ଖେଳାଳି ପନ୍ତ୍ଙ୍କ ପାଇଁ ପ୍ରାର୍ଥନା କରିଛନ୍ତି। କେବଳ ପାକିସ୍ତାନୀ ନୁହଁନ୍ତି, ବିଶ୍ବର ପ୍ରତି କୋଣରୁ କ୍ରିକେଟର୍ମାନେ ପନ୍ତ୍ଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଚିନ୍ତା ପ୍ରକଟ କରିଛନ୍ତି।