ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌: ମଧ୍ୟପ୍ରଦେଶ ସହ ପଏଣ୍ଟ ବାଣ୍ଟିଲା ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ

ଜାତୀୟ ଏକାଡେମି ବାଳକ ହକି: ଓଡ଼ିଶା ନାଭାଲ ଟାଟା ବିଜୟୀ

ଭୁବନେଶ୍ବର: ବୁଧବାରଠାରୁ ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଚାଲିଥିବା ଖେଲୋ ଇଣ୍ଡିଆ ମହିଳା (୨୧ ବର୍ଷରୁ କମ୍‌) ହକି ଲିଗ୍‌ ଚୂଡାନ୍ତ ପର୍ଯ୍ୟାୟରେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ ଦଳ ଗୁରୁବାର ଦ୍ବିତୀୟ ମ୍ୟାଚ୍‌କୁ ଅମୀମାଂସିତ ରଖି ପଏଣ୍ଟ ବାଣ୍ଟିଛି। ପୁଲ୍‌-ଏ’ରେ ସ୍ଥାନ ପାଇଥିବା କ୍ରୀଡ଼ା ଛାତ୍ରାବାସ ଦଳ ପ୍ରଥମ ମ୍ୟାଚ୍‌ରେ ଅମୃତସରର ଖାଲ୍‌ସା ହକି ଏକାଡେମିକୁ ୪-୦ରେ ପରାସ୍ତ କରିଥିଲା ବେଳେ ଗୁରୁବାର ମଧ୍ୟପ୍ରଦେଶ ହକି ଏକାଡେମି ବିପକ୍ଷ ମୁକାବିଲାକୁ ୩-୩ ଗୋଲ୍‌ରେ ଅମୀମାଂସିତ ରଖିଛି। ଏହି ମ୍ୟାଚ୍‌ର ୮ ମିନିଟ୍‌ରେ ଭୂମିକ୍ଷା ସାହୁ ପ୍ରଥମ ଗୋଲ୍‌ କରି ମଧ୍ୟପ୍ରଦେଶକୁ ଅଗ୍ରଣୀ ଦେଇଥିଲେ। ହେଲେ ଏହାପରେ ଭୁବନେଶ୍ବର କ୍ରୀଡ଼ା ଛାତ୍ରବାସ ଦଳ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଲାଗ ଲାଗ ୩ ଗୋଲ୍‌ ଲଦିଦେଇ ୩-୧ରେ ଆଗୁଆ ହୋଇଯାଇଥିଲା। ୩୧ ମିନିଟ୍‌ରେ ଅତେନ ଟପ୍ପୋ, ୩୪ ମିନିଟ୍‌ରେ ଜାହ୍ନବୀ ପ୍ରଧାନ ଏବଂ ୪୨ ମିନିଟ୍‌ରେ ନେହା ଲାକ୍ରା ଗୋଟିଏ ଲେଖାଏଁ ପେନାଲ୍‌ଟି କର୍ଣ୍ଣର ଗୋଲ୍‌ କରିଥିଲେ। କିନ୍ତୁ ଚତୁର୍ଥ ତଥା ଶେଷ କ୍ବାର୍ଟରର ଅନ୍ତିମ ୩ ମିନିଟ୍‌ ମଧ୍ୟରେ ମଧ୍ୟପ୍ରଦେଶ ଦଳ ୨ଟି ଗୋଲ୍‌ କରି ଭୁବେନଶ୍ବର ଦଳକୁ ବିଜୟରୁ ବଞ୍ଚିତ ରଖିଥିଲା। ୫୮ ମିନିଟ୍‌ରେ ସ୍ବାତୀ ଏବଂ ୫୯ ମିନିଟ୍‌ରେ ପୁଣି ଭୂମିକା ଗୋଲ୍‌ କରିବାରୁ ମ୍ୟାଚ୍‌ ୩-୩ରେ ଶେଷ ହୋଇଥିଲା। ଏଥି ସହିତ ଉଭୟ ମଧ୍ୟପ୍ରଦେଶ ଓ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ ୨ ଲେଖାଏଁ ମ୍ୟାଚ୍‌ରୁ ୧ ବିଜୟ ଓ ୧ ଅମୀମାଂସିତ ବଳରେ ସମାନ ୪ ପଏଣ୍ଟ୍‌ ଲେଖାଏଁ ପାଇଥିଲା ବେଳେ ଗୋଲ୍‌ ବ୍ୟବଧାନରେ ମଧ୍ୟ ସମାନ ସ୍ଥିତିରେ ରହି ଯୁଗ୍ମ ଭାବେ ତାଲିକାର ଶୀର୍ଷରେ ରହିଛନ୍ତି।

ଜାତୀୟ ଏକାଡେମି ବାଳକ ହକି: ଓଡ଼ିଶା ନାଭାଲ ଟାଟା ବିଜୟୀ
ଭୁବନେଶ୍ବର: ଓଡ଼ିଶା ନାଭାଲ ଟାଟା ହକି ଉଚ୍ଚଗୁଣବତ୍ତା କେନ୍ଦ୍ର ନୂଆଦିଲ୍ଲୀର ଘୁମାନହେରାରେ ଚାଲିଥିବା ଦ୍ବିତୀୟ ଜାତୀୟ ଏକାଡେମି ବାଳକ ହକିରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଗୁରୁବାର ପୁଲ୍‌-ବି’ର ଏକ ମ୍ୟାଚ୍‌ରେ ଏହି ଦଳ ୮-୦ ଗୋଲ୍‌ରେ ଭାଇ ବେହ‌ଲୋ ହକି ଏକାଡେମି ଭାଗ୍‌ତାକୁ ମାତ୍‌ ଦେଇଥିଲା। ନବମ ମିନିଟ୍‌ରେ ଅଜିତ ମହାନ୍ତ ଗୋଲ୍‌ ଅଭିଯାନ ଆରମ୍ଭ କରିଥିଲେ। ଏହାପରେ ସୁରେଶ ଶର୍ମା ଅଧିକାରିମାୟୁମ (୨୨ ମିନିଟ୍‌), ଖାଙ୍ଗେମବାମ ସୋମିକାନ୍ତ ସିଂହ (୨୩ ମିନିଟ୍‌), ପ୍ରଦୀପ ମଣ୍ଡଳ (୩୦ ମିନିଟ୍‌), ଅଶୁ ମୌର୍ଯ୍ୟ (୩୩ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲା ବେଳେ ସ୍ବାଧୀନ ଲଗୁନ (୪୯, ୫୦, ୫୮ ମିନିଟ୍‌) ହ୍ୟାଟ୍ରିକ ଅର୍ଜନ କରିଥିଲେ।

ସମ୍ବନ୍ଧିତ ଖବର