ନୂଆଦିଲ୍ଲୀ: ଆଇପିଏଲ୍ ପୂର୍ବରୁ ନୂଆ ବିଶ୍ବ ଚେସ୍ ବିଜେତା ଡି ଗୁକେଶଙ୍କୁ ଐତିହାସିକ ଏମ୍ଏ ଚିଦାମ୍ବରମ ଷ୍ଟାଡିୟମ୍ଠାରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଏହି ୧୮ ବର୍ଷୀୟ ଚେସ୍ ତାରକା ସିଏସ୍କେ ଖେଳାଳିଙ୍କୁ ଭେଟିଥିଲେ। ସେ ମଧ୍ୟ ଭେଟେରାନ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କ ସହ କିଛି ସ୍ବତନ୍ତ୍ର ମୁହୂର୍ତ୍ତ ବାଣ୍ଟିଥିଲେ। ଏହି ଦୁଇ ତାରକା ଚେସ୍ ମଧ୍ୟ ଖେଳିଥିଲେ। ଗୁକେଶ ଗତବର୍ଷ ଚୀନ୍ର ଡିଙ୍ଗ୍ ଲିରେନ୍ଙ୍କୁ ହରାଇ ସର୍ବକନିଷ୍ଠ ଖେଳାଳି ଭାବେ ବିଶ୍ବ ବିଜେତା ହୋଇଥିଲେ। କେବଳ ସେ ଗ୍ୟାରି କାସ୍ପାରୋଭଙ୍କ ରେକର୍ଡ ଭାଙ୍ଗି ନଥିଲେ। ସେ ବିଶ୍ବନାଥନ ଆନନ୍ଦଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ବିଶ୍ବ ବିଜେତା ହେବାର ଗୌରବ ଅର୍ଜନ କରିଥିଲେ।
ଅଶ୍ବିନଙ୍କ ନାଁରେ ଚେନ୍ନାଇ ରାସ୍ତା
ଚେନ୍ନାଇ: ଭାରତର ସ୍ପିନ୍ କିଂବଦନ୍ତି ରବିଚନ୍ଦ୍ରନ ଅଶ୍ବିନଙ୍କୁ ଗ୍ରେଟର ଚେନ୍ନାଇ କର୍ପୋରେସନ (ଜିସିସି) ପକ୍ଷରୁ ସମ୍ମାନିତ କରାଯାଇଛି। ସେ ରହୁଥିବା ୱେସ୍ ମାମ୍ବାଲାମସ୍ଥିତ ରାମକୃଷ୍ଣପୁରମ୍ର ପ୍ରଥମ ଗଳିର ନାମକୁ ତାଙ୍କ ନାଁରେ କରିବାକୁ ଜିସିସି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଛି। କାରମ ବଲ୍ ଇଭେଣ୍ଟ୍ ଓ ମାର୍କେଟିଂ ପ୍ରାଇଭେଟ୍ ଲିମିଟେଡ୍ର ଅନୁରୋଧ ପରେ ଏହି ଗଳିର ନାଁ ଅଶ୍ବିନଙ୍କ ନାଁରେ କରିବାକୁ ନିଷ୍ପତ୍ତି ହୋଇଥିଲା। କମ୍ପାନିର ସିଇଓ ଏସ୍ କାର୍ତ୍ତିକ କହିଛନ୍ତି ଯେ ଭାରତୀୟ ଦଳ ପ୍ରତି ଅଶ୍ବିନଙ୍କ ଅବଦାନ ପାଇଁ ଏଭଳି ଚିନ୍ତା କରିଛୁ। ସେ ଭାରତ ଓ ତାମିଲାନଡ଼ୁ ପାଇଁ ଅନେକ ମ୍ୟାଚ୍ ଖେଳି ସଫଳତା ହାସଲ କରିଛନ୍ତି। ସେ ମଧ୍ୟ ବିଶ୍ବର ଜଣେ ଶ୍ରେଷ୍ଠ ଅଲ୍ରାଉଣ୍ଡର ଭାବେ ପରିଚିତ’’। ରାସ୍ତାର ନାଁ ବଦଳାଇବା ପାଇଁ ସରକାର ପାଖରେ ଜିସିସି ଆବେଦନ କରିଥିଲା। ଏହାକୁ ସ୍ବୀକୃତି ମିଳିଯାଇଛି। ଗତ ବର୍ଷ ଡିସେମ୍ବର ୧୮ରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇଥିବା ଅଶ୍ବିନ ଶନିବାରଠୁ ଆରମ୍ଭ ହେଉଥିବା ଆଇପିଏଲ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ନିଜର ଜଲୱା ଦେଖାଇବେ। ଅନିଲ କୁମ୍ବଲେ (୬୧୯)ଙ୍କ ପରେ ଅଶ୍ବିନ (୧୦୬ ଟେଷ୍ଟ୍ରୁ ୫୩୭ ୱିକେଟ୍) ଦ୍ବିତୀୟ ସର୍ବାଧିକ ଟେଷ୍ଟ୍ ୱିକେଟ୍ ହାସଲକାରୀ ଅଛନ୍ତି। ୩୮ ବର୍ଷୀୟ ଅଶ୍ବିନ ୧୧୬ ଦିନିକିଆରେ ୧୫୬ ଏବଂ ୬୫ ଟ୍ବେଣ୍ଟି-୨୦ରେ ୭୨ ୱିକେଟ୍ ଦଖଲ କରିଛନ୍ତି।