ଅଜେୟ ଅଧିନାୟକ ଇମ୍ରାନ୍‌

କ୍ରିକେଟ୍‌ ପଡ଼ିଆରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦିନେ କ୍ରିକେଟ୍‌ ପଡ଼ିଆରେ ରାଜୁତି କରୁଥିବା କିମ୍ବଦନ୍ତୀ ଅଲରାଉଣ୍ଡର ଇମ୍ରାନ୍‌ ଖାନ୍‌ ଏବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିବାକୁ ଯାଉଛନ୍ତି। ପାକିସ୍ତାନର ସାଧାରଣ ନିର୍ବାଚନରେ ତାଙ୍କ ଦଳ ତେହରିକ୍‌-ଇ-ଇନ୍‌ସାଫ୍‌ ସର୍ବାଧିକ ଆସନ ଜିତି ସରକାର ଗଢ଼ିବାକୁ ଯାଉଛି। ଅଲରାଉଣ୍ଡରରୁ କ୍ରିକେଟ୍‌ ଜୀବନ ଆରମ୍ଭ କରି ଅଧିନାୟକ ଏବଂ ତା’ପରେ ବିଶ୍ୱକପ୍‌ ବିଜେତା ହୋଇ ପାରିଥିବା ଇମ୍ରାନ ଶେଷରେ ନିଜ ଦେଶର ମଙ୍ଗ ଧରିବାକୁ ଯାଉଛନ୍ତି। ଜଣେ କ୍ରିକେଟର ଭାବେ ସଫଳତାର ଶୀର୍ଷ ଛୁଇଁଥିବା ଇମ୍ରାନ୍‌ ରାଜନୀତିରେ ମଧ୍ୟ ଶ୍ରେଷ୍ଠତ୍ୱ ଲାଭ କରିଛନ୍ତି। ଦୀର୍ଘ ୨୨ ବର୍ଷର ଲଢ଼େଇ ପରେ ପ୍ରଧାନମନ୍ତ୍ରୀ ପଦରେ ଅଭିଷିକ୍ତ ହେବାକୁ ଯାଉଛନ୍ତି। ବଦମିଜାଜୀ, ବେପରୁଆ ଏବଂ ବହୁ ବିବାହ ପାଇଁ ଏକଦା ଚର୍ଚାରେ ଥିବା ଇମ୍ରାନ ତା’ ସହ କ୍ରିକେଟର୍‌ରୁ ପ୍ରଧାନମନ୍ତ୍ରୀ ହେବାର ଐତିହାସିକ ସଫଳତା ପାଇଛନ୍ତି। ଯାହା ସମଗ୍ର କ୍ରିକେଟ୍‌ ଜଗତ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଛି। ୧୯୯୨ ମସିହାରେ ପାକିସ୍ତାନକୁ ବିଶ୍ୱକପ୍‌ ବିଜୟୀ କରାଇବାର ୪ ବର୍ଷ ପରେ ଅର୍ଥାତ୍‌ ୧୯୯୬ରେ ସେ ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ ବା ପିଟିଆଇ ଦଳ ଗଢ଼ିଥିଲେ। ପ୍ରଥମ ତିନି ନିର୍ବାଚନରେ ତାଙ୍କ ଦଳ ମାତ୍ର ଗୋଟିଏ ଲେଖାଁଏ ଆସନ ଜିତିଥିଲା। ୨୦୧୩ରେ କିନ୍ତୁ ପାକିସ୍ତାନର ଖିବର ପଖତୁନଖଓ୍ଵା ପ୍ରଦେଶରେ ସରକାର ଗଢ଼ିଥିଲା। ସେହିଠାରୁ ହିଁ ତାଙ୍କ ରାଜନୈତିକ ଜୀବନର ମୋଡ଼ ବଦଳି ଯାଇଥିଲା। ପିଟିଆଇ ପାକିସ୍ତାନ ରାଜନୈତିକ ଦୁନିଆରେ ଏକ ମହାଶକ୍ତିି ଭାବେ ଉଭା ହୋଇଥିଲା। ଗୋଟିଏ ପ୍ରଦେଶରୁ ପିଟିଆଇ ଏବେ ସାରା ଦେଶରେ ରାଜୁତି କରିବାକୁ ଯାଉଛି। ଆଉ କ୍ରିକେଟ୍‌ ଦୁନିଆର ସେହି ଅଜେୟ ଅଧିନାୟକ ଇମ୍ରାନ ଏକ ନୂଆ ଜୀବନ ଆରମ୍ଭ କରିବେ। ସେ ପାକିସ୍ତାନର ଊନ୍ନବିଂଶ ପ୍ରଧାନମନ୍ତ୍ରୀ ହେବେ।

୧୯୭୦ରେ ମାତ୍ର ୧୬ ବର୍ଷ ବୟସରେ ଇମ୍ରାନ୍‌ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ପାଦ ଦେଇଥିଲେ। ଏହାର ଗୋଟିଏ ବର୍ଷ ପରେ ଏଜ୍‌ବାଷ୍ଟନ୍‌ରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ୍‌ ପଦାର୍ପଣ କରିବାର ସୁଯୋଗ ପାଇଥିଲେ। ସେହି ଇଂଲଣ୍ଡ ବିପକ୍ଷରେ ସେ ୧୯୭୪ରେ ମଧ୍ୟ ଦିନିକିଆ ଆନ୍ତର୍ଜାତିକ ପଦାର୍ପଣ କରିଥିଲେ। ୧୯୭୮ରେ ପର୍ଥରେ ୧୩୯.୭ କିମି ବେଗରେ ବଲ୍‌ ପକାଇ ଦ୍ରୁତତମ ବୋଲର ଭାବେ ଜେଫ୍‌ ଥମ୍‌ସନ୍‌ ଏବଂ ମାଇକେଲ୍‌ ହୋଲ୍ଡିଂଙ୍କ ପଛକୁ ତୃତୀୟ ସ୍ଥାନରେ ରହିଥିଲେ। ୧୯୮୨ରେ ସେ ୯ ଟେଷ୍ଟ୍‍ରୁ ୧୩.୨୯ ହାରରେ ୬୨ ଓ୍ଵିକେଟ୍‌ ଅକ୍ତିଆର କରି ନିଜର ଦମ୍‌ ଦେଖାଇଥିଲେ। ଟେଷ୍ଟ୍‍ କ୍ରିକେଟ୍‌ ଇତିହାସରେ ଗୋଟିଏ ବର୍ଷରେ ସବୁଠୁ କମ୍‌ ହାରରେ ୫୦ ଓ୍ଵିକେଟ୍‌ ନେବାରେ ଇମ୍ରାନ ମଧ୍ୟ ପ୍ରଥମ ବୋଲର ହୋଇଥିଲେ। ଇଆନ୍‌ ବୋଥାମ (୭୨)ଙ୍କ ପରେ ସେ ଦ୍ୱିତୀୟ ଅଲ୍‌ରାଉଣ୍ଡର୍‌ ଭାବେ ୭୫ ଟେଷ୍ଟ୍‍ରେ ୩୦୦ ଓ୍ଵିକେଟ୍‌ ଏବଂ ୩୦୦୦ ରନ୍‌ କରିଥିଲେ। ୧୯୯୨ରେ ଇମ୍ରାନ ଶ୍ରୀଲଙ୍କା ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ଟେଷ୍ଟ୍‍ ଖେଳିଥିଲେ। ଇଂଲଣ୍ଡ ବିପକ୍ଷ ୧୯୯୨ ବିଶ୍ୱକପ୍‌ ଫାଇନାଲ୍‌ ମ୍ୟାଚ୍‌ ଖେଳି କ୍ରିକେଟ୍‌ରୁ ସନ୍ୟାସ ନେଇଥିଲେ। ତାଙ୍କ ନେତୃତ୍ୱରେ ପାକିସ୍ତାନ ସେହି ବର୍ଷ ପ୍ରଥମ ଥର ଲାଗି ବିଶ୍ୱକପ୍‌ ଜିତିଥିଲା। ସେ ୮୮ ଟେଷ୍ଟ୍‍ରେ ୧୨୬ ପାଳି ଖେଳି ୬ ଶତକ ଓ ୧୮ ଅର୍ଧଶତକ ସହ ୩୭.୬୯ ହାରରେ ୩୮୦୭ ରନ୍‌ କରିଥିଲା ବେଳେ ୩୬୨ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ୧୭୫ ଦିନିକିଆରେ ସେ ୩୭୦୯ ରନ୍‌ କରିବା ସହ ୧୮୨ ଓ୍ଵିକେଟ୍‌ ନେଇଥିଲେ। ଦିନିକିଆରେ ତାଙ୍କର ସର୍ବାଧିକ ସ୍କୋର୍‌ ୧୦୨ ଥିଲା ବେଳେ ୬/୧୪ ଶ୍ରେଷ୍ଠ ବୋଲିଂ ଚିତ୍ର ରହିଥିଲା। ୩୦ ବର୍ଷ ବୟସରେ ୧୯୮୨ ମସିହାରେ ଇମ୍ରାନ୍‌ ପାକିସ୍ତାନ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲେ। ସେ ନେତୃତ୍ୱ ନେଇଥିବା ୪୮ ଟେଷ୍ଟ୍‍ରୁ ପାକିସ୍ତାନ ୧୪ ଟେଷ୍ଟ୍‌ ଜିତିଥିଲା ବେଳେ ୮ଟି ହାରିଛି। ୨୬ ମୁକାବିଲା ଅମୀମାଂସିତ ରହିଛି। ତାଙ୍କ ନେତୃତ୍ୱରେ ପାକିସ୍ତାନ ୧୩୯ ଦିନିକିଆ ଖେଳି ୭୭ ମ୍ୟାଚ୍‌ ଜିତିଥିଲା ବେଳେ ୫୭ ମ୍ୟାଚ୍‌ ହାରିଛିା। ଗୋଟିଏ ଲଢ଼େଇ ଟାଇ ରହିଥିଲା। କପିଳ ଦେବ, ରିଚାର୍ଡ ହାଡଲି, ଇଆନ ବୋଥାମ ଓ ଇମ୍ରାନଙ୍କୁ ଅଶୀ ଏବଂ ନବେ ଦଶକ ପ୍ରାରମ୍ଭରେ ବିଶ୍ୱ କ୍ରିକେଟ୍‌ରେ ଶ୍ରେଷ୍ଠ ଚାରି ଅଲରାଉଣ୍ଡର୍‌ର ମାନ୍ୟତା ମିଳିଥିଲା। ସେତେବେଳର ଶ୍ରେଷ୍ଠ ଅଲରାଉଣ୍ଡର୍‌ ପାଇଁ ଏମାନେ ସମସ୍ତେ ନିଜ ନିଜ ମଧ୍ୟରେ ଲଢ଼ିଥିଲେ। ହେଲେ ଇମ୍ରାନ ସମ୍ଭବତଃ ସମସ୍ତଙ୍କୁ ପଛରେ ପକାଇ ନିଜ ଦେଶରେ ଜାତୀୟ ନାୟକର ମାନ୍ୟତା ଲାଭ କରିଥିଲେ। ତାଙ୍କ ବ୍ୟକ୍ତିତ୍ୱ ମଧ୍ୟ ଅନ୍ୟ ସମସ୍ତଙ୍କଠାରୁ ପ୍ରଭାବଶାଳୀ ଥିଲା।

ସମ୍ବନ୍ଧିତ ଖବର